ଏମ୍‌ସରେ କମିଲାଣି କୋଭିଡ୍‌ ଚାପ, ଚିକିତ୍ସାଧୀନ ରୋଗୀ ସଂଖ୍ୟା କମୁଛି

ଆଇସିୟୁରେ ଏବେ ବି ୩୫ ରୋଗୀ, ଓପିଡି ଖୋଲିବାକୁ ଅପେକ୍ଷା

ଭୁବନେଶ୍ବର: ଏମ୍‌ସରେ କମୁଛନ୍ତି ଚିକିତ୍ସାଧୀନ କୋଭିଡ୍‌ ଆକ୍ରାନ୍ତ । ୧୫ ଦିନ ମଧ୍ୟରେ ଓ୍ବାର୍ଡରେ ଚିକିତ୍ସାଧୀନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୨୮ରୁ ୧୧୧କୁ ହ୍ରାସ ପାଇଛି। ଓ୍ବାର୍ଡ ବନ୍ଦର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତେବେ ଆଇସିୟୁରେ ଚିକିତ୍ସାଧୀନ ସଂଖ୍ୟା ୩୧ରୁ ୩୫କୁ ବୃଦ୍ଧି ପାଇଛି। ଏହା ସତ୍ତ୍ବେ ଏଠାରେ ଅଣକୋଭିଡ ଚିକିତ୍ସା ସ୍ବାଭାବିକ ହେବା ନେଇ ଅନିଶ୍ଚିତତା ଜାରି ରହିଛି।

ଡାକ୍ତରଖାନା ପକ୍ଷରୁ ଜାରି ସୂଚନା ଅନୁସାରେ, ଦ୍ବିତୀୟ ଲହରରେ ଏପ୍ରିଲ ମାସରୁ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଠାରେ ଥିବା ଓ୍ବାର୍ଡରେ ଶଯ୍ୟ‌ା ସଂଖ୍ୟା ୨୭ରୁ ୩୬୨କୁ ଏବଂ ଆଇସିୟୁ ଶଯ୍ୟା ୭୦କୁ ବୃଦ୍ଧି କରାଯାଇଛି। ଆବଶ୍ୟକତା ଦୃଷ୍ଟିରୁ ଜୁନ ମାସ ପ୍ରଥମ ସପ୍ତାହରେ ଅତିରିକ୍ତ ଭାବରେ ୧୫ ଭେଣ୍ଟିଲେଟର ଲଗାଯାଇଛି। ମେ ମାସରୁ ଜୁନ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଠାରେ ଯେଉଁ ଭଳି ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା, ଶଯ୍ୟା ମିଳିବା କଷ୍ଟକର ହୋଇ ପଡ଼ୁଥିଲା। ଗୁରୁତର ଅବସ୍ଥାରେ ରୋଗୀ ଆସିଲେ, ଆଇସିୟୁ କିମ୍ବା ଭେଣ୍ଟିଲେଟରର ଆବଶ୍ୟକତା ଥିଲେ; ତୁରନ୍ତ ଆଇସିୟୁ ମିଳିବା ନେଇ ଗ୍ୟାରେଣ୍ଟି ମଧ୍ୟ ଦିଆଯାଇ ପାରୁନଥିଲା। ଏବେ କିନ୍ତୁ ସ୍ଥିତିରେ ପରିବର୍ତ୍ତନ ହୋଇଛି। ଏକ ସପ୍ତାହ ମଧ୍ୟରେ ରୋଗୀ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଉଭୟ ଓ୍ବାର୍ଡ, ଆଇସିୟୁରେ ଶଯ୍ୟା ଖାଲି ରହିଲାଣି। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇବା ନେଇ ଆଶା ରହିଛି। ବର୍ତ୍ତମାନ ଏମ୍ସରେ ଭର୍ତ୍ତି ରୋଗୀଙ୍କ ମଧ୍ୟରେ ୫ ଜଣ ଶିଶୁ ଏବଂ କୋଭିଡ ଆକ୍ରାନ୍ତ ପ୍ରସୂତି ମଧ୍ୟ ଅଛନ୍ତି। ଏଥିସହିତ ହୃଦରୋଗ, ଫୁସଫୁସ ସମେତ ଗୁରୁତର ଅବସ୍ଥାରେ ଅନେକ ଚିକିତ୍ସାଧୀନ ରହିଛନ୍ତି। ଦୁର୍ଘଟଣାର ଶିକାର ପରେ କିଛି ରୋଗୀଙ୍କ ଠାରେ କୋଭିଡ ଚିହ୍ନଟ ହୋଇଛି।

ପ୍ରଥମ ଲହରରୁ ଆଜି ପର୍ଯ୍ୟନ୍ତ ଡାକ୍ତରଖାନାର ୧୧୪୨ କର୍ମଚାରୀଙ୍କ ଠାରେ କୋଭିଡ ଚିହ୍ନଟ ହୋଇଛି। ପ୍ରଥମ ଲହରରେ ଯେତେ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେଉଥିଲେ, ଦ୍ବିତୀୟ ଲହରରେ ସଂଖ୍ୟା କମ ନୁହେଁ। ଜୁନ ୧ ତାରିଖରେ ୨୦ ଜଣ ଏମ୍ସ କର୍ମଚାରୀଙ୍କ ଠାରେ କୋଭିଡ ଚିହ୍ନଟ କରାଯାଇଥିଲା କିନ୍ତୁ ଗତକାଲି କର୍ମଚାରୀ ନୂଆ କୋଭିଡ ଆକ୍ରାନ୍ତ ସଂଖ୍ୟା ୧ ରହିଛି। ଏହା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଆଶ୍ବସ୍ତ କରିଛି। ଅନୁରୂପ ଭାବେ ଆଇସିୟୁରେ ଚିକିତ୍ସାଧୀନ ରୋଗୀ ସଂଖ୍ୟା ହ୍ରାସ ପାଉଛି। କିନ୍ତୁ ଯେଉଁ ସଂଖ୍ୟାରେ ହ୍ରାସ ପାଇବା କଥା ତାହା ହୋଇ ପାରୁନଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୪ ତାରିଖରୁ ଓପିଡି ବନ୍ଦ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ରୋଗୀ ଓପିଡି ଖୋଲିବାକୁ ଅପେକ୍ଷା କରି ରହିଛନ୍ତି।‌ ତେବେ ଏହା କେବେ ଖୋଲିବ, ସେ ନେଇ ଏମ୍ସ ପକ୍ଷରୁ ଏଯାଏ କୌଣସି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର