ଘରେ ୧୨ଘଣ୍ଟା ପଡ଼ି ରହିଲା କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ

ଭୁବନେଶ୍ୱର : ଘରେ ପୃଥକାବାସରେ ଥିବା ଜଣେ କରୋନା ଆକ୍ରାନ୍ତ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଲା। ମାତ୍ର ମୃତଦେହ ଘରେ ୧୨ଘଣ୍ଟା ପଡ଼ି ରହିଲା। ବିଏମ୍‌ସି କିମ୍ବା ପୁଲିସ ପକ୍ଷରୁ ମୃତଦେହ ଉଠାଇବା ପାଇଁ କୌଣସି ପ୍ରକାର ତତ୍ପରତା ଦେଖାଗଲା ନାହିଁ। ଶୋକସନ୍ତପ୍ତ ପରିବାରବର୍ଗ ଓ ପଡ଼ୋଶୀମାନେ ମୃତଦେହ ଉଠିବାକୁ ବ୍ୟାକୁଳତାର ସହ ଅପେକ୍ଷା କରିଥିବା ବେଳେ ବିଏମ୍‌ସି ପକ୍ଷରୁ ସାମାନ୍ୟତମ ଭାବାବେଗ ପ୍ରଦର୍ଶନ କରା ଯାଇନଥିଲା। ତେଣୁ ଏୟାରଫିଲ୍‌ଡ ଥାନା ଭୀମଟାଙ୍ଗିସ୍ଥିତ ଏକ ଆପାର୍ଟମେଣ୍ଟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୃତଦେହ ଉଠାଇବାରେ ବିଏମ୍‌ସି ପକ୍ଷରୁ ହେଉଥିବା ଏତେ ବିଳମ୍ବକୁ ସବୁ ମହଲରୁ ନିନ୍ଦା କରାଯାଇଛି।

ସୂଚନାନୁସାରେ, ୮୦ ବର୍ଷୀୟ ଏହି ବରିଷ୍ଠ ନାଗରିକଜଣକ ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟ୍‌ରେ ରହୁଥିବା ବେଳେ ତାଙ୍କ ପତ୍ନୀ, ପୁଅ, ବୋହୂ ଓ ଅନ୍ୟମାନେ ଏକ ଫ୍ଲାଟ୍‌ରେ ରହୁଥିଲେ। ବୃଦ୍ଧ ବାପା କୋଭିଡ଼୍ ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିଥିଲା। ପରିବାର ପକ୍ଷରୁ ନିୟମିତ ତାଙ୍କ ଖାଇବା ପିଇବା ଓ ଔଷଧ ସେବନ କଥା ବୁଝା ହେଉଥିଲା। ମାତ୍ର ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ବୃଦ୍ଧ ଆଖି ବୁଜି ଦେଇଥିଲେ। କରୋନା ଆକ୍ରାନ୍ତ ଥିବାରୁ ବୃଦ୍ଧଙ୍କ ମୃତଦେହକୁ କେହି ଛୁଇଁ ନଥିଲେ। ପରିବାର ପକ୍ଷରୁ ମୃତଦେହକୁ ନେଇ ସତ୍କାର କରିବା ବାଟ ନଥିଲା। ତେଣୁ ପରିବାର ପକ୍ଷରୁ ୧୯୨୯କୁ ଫୋନ୍ କରି ଜଣାଇ ଦିଆଯାଇଥିଲା। ପରେ ପରେ ମଧ୍ୟ ପରିବାର ପକ୍ଷରୁ ବିଏମ୍‌ସିକୁ ଜଣାଇ ଦିଆଯାଇଥିଲା। କିନ୍ତୁ ମୃତଦେହ ଉଠାଇବାକୁ ବିଭାଗୀୟ ତତ୍ପରତା ନଥିଲା। ପରିବାର ପକ୍ଷରୁ ବାରମ୍ବାର ଫୋନ୍ କରାଯାଉଥିଲେ ମଧ୍ୟ ‘ବୁକିଂ ସରିଛି’ ଅପେକ୍ଷା କରନ୍ତୁ ବୋଲି ଉତ୍ତର ମିଳୁଥିଲା। ଏପଟେ ଆପାର୍ଟମେଣ୍ଟରେ ମୃତଦେହଟି ପଡ଼ି ରହିଥିବାରୁ ପଡ଼ୋଶୀମାନେ ମଧ୍ୟ ବ୍ୟସ୍ତ ହୋଇପଡ଼ିଥିଲେ। ମୃତକ କରୋନା ରୋଗୀ ହୋଇଥିବାରୁ କୌଣସି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ସହଯୋଗ ମିଳିବା ବାଟ ନଥିଲା। ତେଣୁ ବାଧ୍ୟ ହୋଇ ସମସ୍ତେ ବିଏମ୍‌ସିକୁ ହିଁ ଅପେକ୍ଷା କରି ରହିଲେ। ଶେଷରେ ଆଜି ମଧ୍ୟାହ୍ନ ୧୨ଟାରେ ବିଏମ୍‌ସି ଶବ ଉଠାଇଥିଲା ଓ ସରକାରୀ ନିମୟମାନୁସାରେ ସତ୍ୟନଗର ଶ୍ମଶାନରେ ସତ୍କାର କରାଯାଇଥିଲା।

ଜଣେ କରୋନା ରୋଗୀ ହସ୍ପିଟାଲ‌ରେ ପ୍ରାଣ ହରାଇ‌ଲେଏ ସତ୍କାର ପାଇଁ ଯେତିକି ବିଳମ୍ବ କରାଯାଉଛି, ଘରେ ମଲେ, ତା’ଠାରୁ ବେଶ୍ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଛି ବୋଲି ଏହି ଘଟଣାରୁ ପ୍ରମାଣିତ ହେଉଛି।

ସମ୍ବନ୍ଧିତ ଖବର