ମେଣ୍ଢାଶାଳ ହ୍ରଦ ପୋଖରୀରେ କୁମ୍ଭୀର

ଦିନ ତମାମ୍‌ କସରତ ପରେ ବି ଧରାପଡ଼ିଲାନି

ମେଣ୍ଢାଶାଳ: ସ୍ଥାନୀୟ ପଞ୍ଚାୟତ ହ୍ରଦ ପୋଖରୀରେ ଗତକାଲିଠାରୁ ଗୋଟିଏ ବଡ଼ କୁମ୍ଭୀର ପଶିଛି ବୋଲି ଜଣାପଡ଼ିବା ପରେ ବନ୍ୟପ୍ରାଣୀ ବିଭାଗକୁ ଖବର ଦିଆଯାଇଥିଲା। ହଳଦିଆ ରେଞ୍ଜ୍‌ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ମାଛ ଧରାଳିଙ୍କ ସହାୟତାରେ ଆଜି ଦିନତମାମ ଚେଷ୍ଟା କରିଥିଲେ ମଧ୍ୟ କୁମ୍ଭୀରକୁ ଧରିବାରେ ସଫଳ ହୋଇ ନଥିଲେ। ତେବେ ପୋଖରୀରେ ଅଧିକ ପାଣି ଥିବାରୁ କୁମ୍ଭୀର ଧରାପଡ଼ିଲାନି ବୋଲି ମାଛ ଧରାଳିମାନେ ପ୍ରକାଶ କରିଛନ୍ତି। ପୋଖରୀରେ ଗତ ଲଗାଣ ବର୍ଷାରେ ଏହି କୁମ୍ଭୀରଟି ଡେରାସ ଡ୍ୟାମ୍‌ରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି। ଏନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ପଞ୍ଚାୟତ ତରଫରୁ ନିଲାମ ନେଇ ମାଛ ଚାଷ କରିଥିବା ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ମାଛ ଚାଷୀଙ୍କୁ ସହାୟତା ରାଶି ଯୋଗାଇବା ସହ କୁମ୍ଭୀରକୁ ଧରି ଅନ୍ୟତ୍ର ଛାଡ଼ିବାକୁ ସାଧାରଣ‌ରେ ଦାବି ହେଉଛି। ଉଲ୍ଲେଖଥାଉକି, ଗତ ବର୍ଷ ନଭେମ୍ବର ୧୦ ତାରିଖରେ ଏହି ପୋଖରୀରୁ ପାଞ୍ଚ ଫୁଟ ଏକ ଇଞ୍ଚ ଲମ୍ବ, ଦୁଇ ଫୁଟ ଗୋଲେଇ ଓ ୪୦ କେଜି ଓଜନର ଏକ କୁମ୍ଭୀରକୁ ଧରି ବନ କର୍ମଚାରୀମାନେ ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ଥିବା ଅମ୍ବିଲ ୱାଚ୍‌ ଟାୱାର ପୋଖରୀରେ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର