ମୁହଁ ଖୋଲୁନାହାନ୍ତି ଅଧିକାରୀ, କ୍ଷୟକ୍ଷତି କହିବାକୁ ଅମଙ୍ଗ କାହିଁକି?

ଭୁବନେଶ୍ବର : କ୍ଷୟକ୍ଷତି ନେଇ ବିଭାଗୀୟ ମନ୍ତ୍ରୀ ସମୀକ୍ଷା ବୈଠକ କଲେ। ଆକଳନ ସହ ସହମତି ଭିତ୍ତିରେ ରିପୋର୍ଟ ବି ପ୍ରସ୍ତୁତ କରାଗଲା। ପର୍ଯ୍ୟଟନ ଅପେକ୍ଷା ସଂସ୍କୃତି ବିଭାଗ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ରିପୋର୍ଟରେ ଦର୍ଶାଗଲା। ଅଥଚ କ’ଣ କ୍ଷତି ହୋଇଛି, ସେ ବିଷୟରେ କେହି ‌ମୁହଁ ଖୋଲୁନାହାନ୍ତି। ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ବିଭାଗର ମୁଖିଆମାନଙ୍କୁ ଏ ବିଷୟରେ ପଚାରିଲେ ଉତ୍ତର ଫେରୁଛି, କହିହେବ ନାହିଁ। ବାସ୍ତବରେ ଏଇ କହିହେବ ନାହିଁର ଅର୍ଥ ସେମାନେ ଜାଣନ୍ତିନି ନା ଜାଣି କହିବାକୁ ଚାହୁଁନାହାନ୍ତି? ନା ରିପୋର୍ଟରେ ମନ ଇଚ୍ଛା ହିସାବ ଦିଆଯାଇଥିବାରୁ ଏ ସମ୍ପର୍କରେ ମୁହଁ ଖୋଲିବାକୁ ଦାୟିତ୍ବରେ ଥିବା ଅଧିକାରୀମାନେ ଅମଙ୍ଗ ହେଉଛନ୍ତି? ବାସ୍ତବ କଥା ହେଉଛି, ସମସ୍ତ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ସ୍ବତଃ ନିଜର କ୍ଷୟକ୍ଷତିର ହିସାବ ଦିଆଯାଉଥିବା ବେଳେ ସଂସ୍କୃତି ବିଭାଗର ମଙ୍ଗୁଆଳମାନେ କାହିଁକି ଘଣ୍ଟ ଘୋଡ଼ାଉଛନ୍ତି ତାହା ଏବେ ପ୍ରଶ୍ନବାଚୀ।

ରାଜ୍ୟ ଅଭିଲେଖାଗାର ସମ୍ପର୍କରେ ଯେବେ ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀଙ୍କୁ ଯୋଗାଯୋଗ କଲୁ, ସେ କହିଲେ ଅଭିଲେଖାଗାର ବାହ୍ୟ ପରିସରରେ କେବଳ କିଛି ଗଛ ଭାଙ୍ଗିଯାଇଛି ଏବଂ ଟିଣ ସେଡ୍‌ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏହା ବ୍ୟତୀତ ଅଭିଲେଖାଗାରରେ ମହଜୁଦ କୌଣସି ଅଭିଲେଖ ଅବା ରେକର୍ଡପତ୍ର ନଷ୍ଟ ହୋଇନାହିଁ। ତେବେ ସଂସ୍କୃତି ବିଭାଗ ରିପୋର୍ଟରେ ଦର୍ଶାଯାଇଛି କ୍ଷତିର ପରିମାଣ ୧ କୋଟି। ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର କ୍ଷୟକ୍ଷତି ବାବଦରେ ଯେବେ ଲାଇବ୍ରେରିଆନ୍‌ ତଥା ପିଆଇଓ ସନ୍ତୋଷ ଚାଟାର୍ଜୀଙ୍କୁ ପଚାରିଲୁ, ସେ କହିଲେ ମତେ କହିବାକୁ ମନା ହୋଇଛି। ବାଧ୍ୟ କରି ପଚାରିବାରୁ କହିଥିଲେ, ୫୦୦ ଖଣ୍ଡ ବହି ନଷ୍ଟ ହୋଇଛି ଏବଂ ୩ଟି ସେକ୍ସନ୍‌ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପରିସର ମଧ୍ୟରେ ଥିବା ପାର୍କିଂର କିଛି ଟିଣ ସିଟ୍‌ ଉଡ଼ିଯାଇଛି। ତେବେ ହିସାବ ଦିଆଯାଇଛି ୩ କୋଟିର କ୍ଷତି ହୋଇଛି।

ଭାଙ୍ଗି ପଡ଼ିଥିବା ଗଛକୁ ବାଦ୍‌ ଦେଲେ ଭଂଜ କଳାମଣ୍ଡପରେ ବାହାର କବାଟ ଭାଙ୍ଗିଛି ଏବଂ ଏସି ଖରାପ ହୋଇଛି। ରବୀନ୍ଦ୍ର ମଣ୍ଡପ ବାହ୍ୟ ପରିସରରେ କେବଳ ଲାଇଟ୍‌ ଭାଙ୍ଗିଛି ଓ ବିଜ୍ଞାପନ ବୋର୍ଡ ଭାଙ୍ଗିଛି। ଉତ୍କଳ ମଣ୍ଡପ ମୁକ୍ତାକାଶ ମଞ୍ଚର ଟିଣ ସେଡ୍‌ର କିଛି ଅଂଶ ଉଡ଼ିଯାଇଛି। ରବୀନ୍ଦ୍ର ମଣ୍ଡପର କେୟାର ଟେକର ପ୍ରମୋଦ ବିଶ୍ବାଳ ହିଁ ଏହି ସୂଚନା ଦେଇଛନ୍ତି। ତେବେ ସମୁଦାୟ ୩ ମଣ୍ଡପର କ୍ଷୟକ୍ଷତି ୨ କୋଟି ଦର୍ଶାଯାଇଛି।

‌୨୧୮ ସ୍ମାରକୀ ତଥା ପ୍ରତ୍ନତତ୍ତ୍ବର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ୧୦ କୋଟିର କ୍ଷୟକ୍ଷତି ହୋଇଥିବା ହିସାବ ଦେଇଛି। ଅଥଚ କେଉଁଠି କ’ଣ ଓ କେତେ କ୍ଷତି ହୋଇଛି ତା’ର ହିସାବ ଦେଉନାହାନ୍ତି ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଡ.ସଂଘମିତ୍ରା ଶତପଥୀ। ସୂଚନା ଓ ଲୋକ ସମ୍ପର୍କ ବିଭାଗଠୁ ରିପୋର୍ଟ ମିଳିଯିବ ବୋଲି ସେ କହିଛନ୍ତି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ବାବଦରେ ଯେବେ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଂଗୀତା ଗୋସାଇଁଙ୍କୁ ପଚାରିଲୁ ସେ କିନ୍ତୁ ସବୁ କ୍ଷତିର ହିସାବ ଦେଇଥିଲେ। ଦୁଇ ହଷ୍ଟେଲ୍‌ର କବାଟ ଓ କାଚ ଝରକା ଭାଙ୍ଗିଥିବା ବେଳେ ଦୁଇଟି ପାଣି ଟାଙ୍କି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ଏବଂ କିଛି ପଙ୍ଖା ଅଚଳ ହୋଇଯାଇଛି ‌ବୋଲି ସେ କହିଥିଲେ। ତେବେ କ୍ଷୟକ୍ଷତିର ହିସାବ ୨ କୋଟି ବୋଲି ଦର୍ଶାଯାଇଛି।
କ୍ଷୟକ୍ଷତିର ହିସାବର ଶୀର୍ଷରେ ଦର୍ଶାଯାଇଛି ଯେ, ସଂସ୍କୃତି ଭବନ ଓ ନିର୍ଦେଶାଳୟ ଅନ୍ୟ ଉପବିଭାଗର କ୍ଷୟକ୍ଷତିର ପରିମାଣ ୧୫ କୋଟି। ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ସଂସ୍କୃତି ଭବନ ସମ୍ମିଳନୀ କକ୍ଷ କ୍ଷତିଗ୍ରସ୍ତ ହୋଇଥିଲେ ହେଁ, ଓଡ଼ିଶା ସାହିତ୍ୟ ଏକାଡେମି, ଓଡ଼ିଶା ଲଳିତ କଳା ଏକାଡେମି, ଓଡ଼ିଶା ଉର୍ଦୁ ଏକାଡେମି, ଓଡ଼ିଶା ସଂଗୀତ ନାଟକ ଏକାଡେମିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର