ରାଜଧାନୀ ଉପକଣ୍ଠରେ ଦଣ୍ଡଯାତ୍ରା ବନ୍ଦ, ୬୦ ବର୍ଷର ପରମ୍ପରା ଭାଙ୍ଗିବ

ଚନ୍ଦ୍ରଶେଖରପୁର: ଏଥର ରାଜଧାନୀ ଉପକଣ୍ଠରେ ଫିକା ପଡ଼ିବ ଦଣ୍ଡଯାତ୍ରା। କରୋନା ଯୋଗୁଁ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଉପକଣ୍ଠ ‌ରଙ୍ଗମାଟିଆ, ଭୋଟପଡ଼ା, ମଞ୍ଚେଶ୍ବର, ଗାଡ଼କଣ, ଚ‌କେଇସିଆଣି, କଳାରାହାଙ୍ଗ, ଓସ୍ତପଡ଼ା, ପଟିଆ, ଅଳଶୁଆ ଓ ଦାରୁଠେଙ୍ଗ ଗ୍ରାମରେ ଏଥର ଦଣ୍ଡଯାତ୍ରା ହେବ ନାହିଁ ବୋଲି ସୂଚନା ମିଳିଛି। ୬୦ରୁ ଊର୍ଧ୍ବ ବ‌ର୍ଷର ଏହି ପରମ୍ପରାରେ କରୋନା ମହାମାରୀ ପ୍ରତିବନ୍ଧକ ଲଗାଇଥିବା ବ‌େଳେ ଦଣ୍ଡୁଆମାନେ ମଧ୍ୟ ଏହି ଯାତ୍ରା ନେଇ ଯୋଗାଡ଼ ବନ୍ଦ କରି ଦେଇଛନ୍ତି। ମାତ୍ର ଶକ୍ତିପୀଠରେ ପୂଜା ଚାଲିବ ବୋଲି କୁହାଯାଇଛି। ମାନସିକଧାରୀ ପୀଠକୁ ଆସିବେ ନାହିଁ। ଘରେ ରହି ମା’ଙ୍କ ନାମରେ ପଣା ପ୍ରସ୍ତୁତ କରି ପୀଠରେ ଭୋଗ କରିବା ନିମନ୍ତେ ଦାନ କରିବ‌େ। ସେହିଭଳି ଯେଉଁମାନଙ୍କୁ କାଳେସି ଲାଗିଥା’ନ୍ତି, ସେମାନ‌େ ମଧ୍ୟ ପୀଠକୁ ଆସିବେ ନାହିଁ। ଗ୍ରାମଦେବୀଙ୍କ ମୁଖ୍ୟ କାଳେସି ପୂଜକଙ୍କ ସହଯୋଗରେ ସଂକ୍ରାନ୍ତି ଦିନ ଏକ ହୋମ କରି ନିଜକୁ ପବିତ୍ର କରିବେ ଓ ଗ୍ରାମ ଦେବୀଙ୍କ ନିକଟରେ ଦଣ୍ଡ ପୂଜା କରିବେ ବୋଲି ଗ୍ରାମ୍ୟ ଦଣ୍ଡଯାତ୍ରା କମିଟି ପକ୍ଷରୁ କୁହାଯାଇଛି।

ରଙ୍ଗମାଟିଆ ଗ୍ରାମ ମୁଖ୍ୟ କାଳେସି ଭଗବାନ ମହାରଣାଙ୍କ କହିବା ଅନୁଯାୟୀ, ଦଣ୍ଡଯାତ୍ରା ବାତିଲ କରାଯାଇ ନଥିଲେ ପୀଠରେ ଶହ ଶହ ଲୋକଙ୍କ ଭିଡ଼ ଜମିଥା’ନ୍ତା। ଫଳରେ ମହାମାରୀ କରୋନା ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଥା’ନ୍ତା। ତେଣୁ ଚଳିତବର୍ଷ ବିନା ବାଜା, ବାଣ, ଘଣ୍ଟଘଣ୍ଟିରେ ନିରାଡ଼ମ୍ବର ଭାବେ କେବଳ ଦଣ୍ଡ ପୂଜା କରାଯିବ। ପୀଠକୁ ଜଣେ ଦୁଇ ଜଣ କାଳେସି ଆସି ପୂଜା କାର୍ଯ୍ୟରେ ଯୋଗଦେବେ। ଅପରପକ୍ଷେ ବାସୁଳେଇ ମା’ଙ୍କ ପୀଠକୁ କେହି ଦଣ୍ଡୁଆ ଆସିବେ ନାହିଁ। ମେରୁଯାତ୍ରାରେ ମଧ୍ୟ କୌଣସି ପ୍ରକାର ଯାତ୍ରାର ଆୟୋଜନ କରାଯାଇନାହିଁ। ଫଳରେ ଲୋକ ସମାଗମ ହେବାର ପ୍ରଶ୍ନ ଉଠୁନାହିଁ। କଲ୍ୟାଣପୁର ପଞ୍ଚାୟତ ଓସ୍ତପଡ଼ା ଗ୍ରାମ ବାଟୁଆଶୁଣି ମଙ୍ଗଳା ପୀଠର ମୁଖ୍ୟ କାଳେସି ରୋହିତ ସାମଲଙ୍କ କହିବା ଅନୁଯାୟୀ, ସରକାର ଯେଉଁ ନିୟମ କରିଛନ୍ତି, ତାକୁ ମାନିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏନେଇ ମା’ ବାଟୁଆସୁଣୀଙ୍କ ପୀଠରେ କେବଳ ମୁଁ ଏକା ହୋମରେ ବସି ପୂଜା କରିବି। ସେହିପରି ଦଣ୍ଡ ପୂଜା କରାଯିବା ପରେ ଦଣ୍ଡୁଆମାନଙ୍କ ଘରେ ଘରେ ଭୋଗ ପ୍ରସାଦ ପହଞ୍ଚାଇ ଦିଆଯିବ। ଫଳରେ କେହି ପୀଠକୁ ଆସି ପ୍ରସାଦ ପାଇଁ ଗହଳି କରିବେ ନାହିଁ। ସ୍ଥାନୀୟ କିଛି ବୁଦ୍ଧିଜୀବୀଙ୍କ କହିବା କଥା ହେଲା, ରାଜଧାନୀର ଏହି ଉପକଣ୍ଠ ଗ୍ରାମାଞ୍ଚଳଗୁଡ଼ିକରେ ଗତ ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରତିବର୍ଷ ରୀତିନୀତି ଅନୁଯାୟୀ ଦଣ୍ଡଯାତ୍ରା ହୋଇଆସୁଥିଲା। କିନ୍ତୁ ଏ ବର୍ଷ କରୋନା ପାଇଁ ସବୁକିଛି ଓଲଟପାଲଟ ହୋଇଯାଇଛି। ସାରା ଦେଶ ଯାହାକୁ ନେଇ ଚିନ୍ତାରେ ରହିଛି, ତାହାର ପ୍ରତିକାର କରିବା ଆମ ସମସ୍ତଙ୍କ କର୍ତବ୍ୟ। ତେଣୁ ସମସ୍ତଙ୍କ ସ୍ବୀକୃତି ଓ ସରକାରୀ ନିୟମକୁ ମାନି ଚଳିତବର୍ଷ ଦଣ୍ଡ ଯାତ୍ରା ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର