ବେଆଇନ ପାର୍କିଂ ଫି’ ଆଦାୟ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଭୁବନେଶ୍ବର : ରାଜକୋଷ ଭରିବା ନାଁରେ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁଭଳି ଦୀର୍ଘ ବର୍ଷ ହେଲା ବେଆଇନ ପାର୍କିଂ ଫି ଆଦାୟ କରୁଛନ୍ତି ଏବଂ କିଛି ଅଧିକାରୀ ବ୍ୟକ୍ତିଗତ ମୁନାଫା ପାଇଛନ୍ତି ତା’ର କ୍ରାଇମବ୍ରାଞ୍ଚ ତଦନ୍ତ ହେଉ। କ୍ରାଇମବ୍ରାଞ୍ଚ ବିଏମ୍‌ସିର ଗତ ୧୦ବର୍ଷର ପାର୍କିଂ ଫି’ ଆଦାୟ ହିସାବ ଯାଞ୍ଚ କରୁ। ଉତ୍କଳ ସାମ୍ବାଦିକ ସମ୍ମିଳନୀ ସଭା କକ୍ଷରେ ବସିଥିବା ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କର ଜନସମ୍ମିଳନୀରେ ଏହି ଦାବି ଉଠିଛି।

ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଆହ୍ବାନରେ ବସିଥିବା ଏହି ବୈଠକରେ ବିଏମ୍‌ସିର ହୋଲଡିଂ ଟିକସ ବୃଦ୍ଧିକୁ ବିରୋଧ କରାଯାଇଥିଲା। ନୂଆ ହୋଲଡିଂ ଟିକସ ଆଦାୟ ହେଲେ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ। ଆସନ୍ତା ନଭେମ୍ବର ୧ ତାରିଖରୁ ବିଏମ୍‌ସି କର୍ତ୍ତୃପକ୍ଷ ପିଛିଲା ଭାବେ (ଏପ୍ରିଲ, ୨୦୧୯ରୁ )ଏହାକୁ ଲାଗୁ କରିବାକୁ ଥିବାରୁ ତାର ଜୋରଦାର୍ ବିରୋଧ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି।

ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସର ଅମୀୟ ପାଣ୍ଡବ, ସିପିଏମ୍‌ର ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ୍‌ଏଲ୍‌) ଲିବରେସନର ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକର ଜ୍ୟୋତିରଂଜନ ମହାପାତ୍ର, ଭିଟାମାଟି ସୁରକ୍ଷା ମଞ୍ଚର ଅରୁଣ ଜେନା, ଆମ୍ବେଦକର ଲୋହିଆ ବିଚାରମଞ୍ଚର ଅବଦୁଲ୍‌ କାଲାମ୍ ଆଜାଦ୍ ଏବଂ ନାଗରିକ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର