ଗ୍ରେଡ୍‌ ପେ’ ଆଧାରରେ ସମାନ ଦରମା ଦାବି: ୬୬୨ ବର୍ଗ କଲେଜ ସଂଘ ପକ୍ଷରୁ ବିଶାଳ ସମାବେଶ

ଭୁବନେଶ୍ବର: ଗ୍ରେଡ୍‌ ପେ ଆଧାରରେ ସମାନ ଦରମା ଦାବି କରି ୬୬୨ ବର୍ଗ କଲେଜ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି। ୪୮୮ବର୍ଗ ସହ ସମାନ ଭାବେ ୭ମ ବେତନ କମିସନ ଆଧାରରେ ଦରମା ପ୍ରଦାନ କରିବାକୁ ପାଇଁ ସଂଘ ଦାବି କରିଛି।

ସଂଘର ଅଭିଯୋଗ ଅନୁଯାୟୀ, ୪୮୮ ଓ ୬୬୨ ବର୍ଗ କଲେଜ ଗୁଡ଼ିକର ଅଧ୍ୟାପକମାନେ ସମାନ ଦରମା ପାଇବେ ବୋଲି ୨୦୨୧ ଡିସେମ୍ବର ୩୧ରେ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହି ଆଧାରରେ ନିର୍ଦ୍ଦେଶନାମା ମଧ୍ୟ ପ୍ରକାଶ ପାଇଥିଲା। ଏହାର ୮ମାସ ପରେ ୪୮୮ ବର୍ଗ କଲେଜ ଅଧ୍ୟାପକଙ୍କୁ ୬୬୨ ବର୍ଗ ଅଧ୍ୟାପକଙ୍କ ଠାରୁ ୬ହଜାର ଟଙ୍କାରୁ ଅଧିକ ଦରମା ଦେବା ପାଇଁ ନିଷ୍ପତ୍ତି ହୋଇଛି। ଯାହା ସମସ୍ତଙ୍କୁ ବିସ୍ମିତ କରିଛି ବୋଲି ସଂଘ କହିଛି।

ଏପରିକି ୪୮୮ବର୍ଗ ପିଇଟି, ଡେମନ୍‌ଷ୍ଟ୍ରେଟର, ଲାଇବ୍ରେରିଆନ୍‌ ଓ ସ୍କୁଲ୍‌ ଶିକ୍ଷକଙ୍କ ଠାରୁ ୪ହଜାର ଟଙ୍କାରୁ କମ୍‌ ଦିଆଯିବ ବୋଲି କୁହାଯାଇଛି। ଏଭଳି ପାର୍ଥକ୍ୟ ଭିତ୍ତିକ କୌଣସି ଅନୁଦାନ ନୀତିକୁ ଗ୍ରହଣ କରାଯିବ ନାହିଁ ବରଂ ଆବଶ୍ୟକ ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଆଜିର ସମାବେଶରେ ସଂଘ ରାଜ୍ୟ ସଭାପତି ଗୋଲକ ନାୟକ, ସାଧାରଣ ସଂପାଦକ ସତାପଉଦ୍ଦିନ୍‌ ଅହମ୍ମଦ, ଗଗନ ବେଉରା, ରଂଜନ ପ୍ରଧାନ, ତପନ ଜେନା, ବିଜୟ ପଟ୍ଟନାୟକ, ଅଶୋକ ପୁରୋହିତ, ଜ୍ୟୋତ୍ସ୍ନା ବସ୍ତିଆ, ଶିଶିର ବିଶୋଇ, ତ୍ରିନାଥ ପାଟିକା, ଗଜେନ୍ଦ୍ର ନାୟକ, ସଂଗ୍ରାମ ମଲ୍ଲିକ, ସଂଜୟ ଷଡ଼ଙ୍ଗୀ, ଅନିଲ ତ୍ରିପାଠୀ, ନରେନ୍ଦ୍ର ପାଇକରାୟଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ, ଜିଲ୍ଲା କର୍ମକର୍ତ୍ତା ଓ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର