ଧାରା ଶ୍ରୀରାଧା ମହୋତ୍ସବର ଦ୍ବିତୀୟ ସଂଧ୍ୟା

ଭୁବନେଶ୍ବର: କବି ମଙ୍ଗଳା ପ୍ରସାଦଙ୍କ ରଚିତ ‘ଧାରା ଶ୍ରୀରାଧା’ କାବ୍ୟ ଆଧାରିତ ନୃତ୍ୟ, ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଧାରା ଶ୍ରୀରାଧା’ର ଆଜି ଥିଲା ଦ୍ବିତୀୟ ଦିବସ। ଓଡ଼ିଶା ଆର୍ଟ ଏଣ୍ଡ କଲଚର ପକ୍ଷରୁ ଭଞ୍ଜ କଳା ମଣ୍ଡପରେ ଚାଲିଥିବା ଏହି ମହୋତ୍ସବରେ ଆଜି ନୃତ୍ୟଶିଳ୍ପୀ ମନୀଷା ମନସ୍ବିନୀ ମଂଗଳ ଗୀତ ‘ଜୟ ମା’ ଗୋ…’ ପରିବେଷଣ କରିଥିଲେ। ପରେ ପ୍ରିୟଦର୍ଶିନୀ ପ୍ରଧାନ ଓ ଗାୟତ୍ରୀ ମିଶ୍ର ଏକକ ନୃତ୍ୟ ପରିବେଷଣ କରିଥିବା ବେଳେ ଶୁଭଲକ୍ଷ୍ମୀ ଓ ଶେଫାଳି ଯୁଗଳନୃତ୍ୟରେ ଦର୍ଶକଙ୍କ ମନ ମୋହିଥିଲେ। ଶେଷରେ ବର୍ଷାମୋହିନୀ, ସଂଧ୍ୟା ଓ ସାଥୀମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ସଂଗୀତ ଗୁରୁ ଘନଶ୍ୟାମ ପଣ୍ଡା, ନୃତ୍ୟ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ ଓ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତଙ୍କୁ ‘ଧାରା ଶ୍ରୀରାଧା’ ପଣ୍ଡିତ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଜିର ସଂଧ୍ୟାକୁ ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ, ଅବସରପ୍ରାପ୍ତ ପ୍ରଶାସକ ଅବସର ବେଉରିଆ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ କବି ଅରୁଣ ସାହୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ଅଜୟ ସ୍ବାଇଁ, ଧାରା ଶ୍ରୀରାଧା ମହୋତ୍ସବର ନିର୍ଦେଶକ ପ୍ରଫେସର ରାମହରି ଦାସ, ମହୋତ୍ସବ କମିଟିର ସାଂଗଠନିକ ସଂପାଦକ ବନୋଜ ତ୍ରିପାଠୀ ଓ ମହୋତ୍ସବର ମୁଖ୍ୟ ଉ‌ପଦେଷ୍ଟା ଆଶୋକ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର