ବିଦେଶରେ ଯୋଗାଚାର୍ଯ୍ୟଙ୍କୁ ଦୁର୍ବ୍ୟବହାର ରାଜଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର : ଓଡ଼ିଶାର ଯୋଗାଚାର୍ଯ୍ୟ ଭାଗୀରଥି ସେଠୀଙ୍କୁ ଭିଏତ୍‌ନାମ୍‌ରେ ଭାରତ ବିଦେଶ ମନ୍ତ୍ରାଳୟର କନସୁଲେଟ୍‌ ଜେନେରାଲ ସ୍ମିତା ପନ୍ଥ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ଯୋଗାଚାର୍ଯ୍ୟ ଆଜିଠାରୁ ରାଜଭବନ ସମ୍ମୁଖରେ ଧାରଣା ଦେଇଛନ୍ତି। ମାଗଣାରେ ଯୋଗ ଶିଖାଇବାକୁ ମନା କରିବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ସେ କହିଛନ୍ତି। ଏ ନେଇ ସେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ହସ୍ତକ୍ଷେପ କରିନାହାନ୍ତି। ସେଠାରେ ତାଙ୍କ ଜୀବନ ପ୍ରତି ବିପଦ ବଢ଼ିଥିବାରୁ ସେ ଓଡ଼ିଶା ଆସି ଏଠାରେ ଧାରଣା ଦେଉଛନ୍ତି। ବଡ଼ କଥା ହେଉଛି ତାଙ୍କ ଛୋଟ ଝିଅର ଯୋଗମୁଦ୍ରାରେ ଖୁସି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍‌ କି ବାତ୍‌ରେ ତାଙ୍କ କଥା ଉଲ୍ଲେଖ କରିଥିଲେ। ଏହା ସହିତ ବିଶ୍ବ ଯୋଗ ଦିବସରେ ଭିଏତ୍‌ନାମ୍‌ ସରକାର ଯୋଗାଚାର୍ଯ୍ୟଙ୍କ ସହଯୋଗରେ ବିଶାଳ ଯୋଗ ଶିବିର ଆୟୋଜନ କରିପାରିଥିଲେ। ସମ୍ପୃକ୍ତ ଅଧିକାରୀଙ୍କୁ ୪ ମାସ କାଳ ଯୋଗ ଶିଖାଇଥିଲେ ମଧ୍ୟ ସେ ପ୍ରାପ୍ୟ ଦେଇ ନଥିବା ଅଭିଯୋଗ ହୋଇଛି। ବିଭିନ୍ନ ସୋସିଆଲ ମିଡିଆରେ ଏହି ଅଭିଯୋଗକୁ ଉପସ୍ଥାପନ କରିବାରୁ ତାଙ୍କ ଉପରେ ମାନସିକସ୍ତରରେ ଆକ୍ରମଣ ହୋଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କଠାରୁ ଅରାରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି। ଏବେ ତାଙ୍କୁ ସମର୍ଥନ କରି ଆରୋଗ୍ୟ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ବିଭୂତି ଭୂଷଣ ରାଉତ, ନିର୍ଦ୍ଦେଶିକା ମୌସୁମୀ ଦାସ, ଓଡ଼ିଆ ଜାତୀୟ ସମ୍ମିଳନୀର ଉପସଭାପତି ପ୍ରଣବ ଛୋଟରାୟ, ସାଧାରଣ ସମ୍ପାଦକ ନିରାକାର ବେଉରା, ଓଡ଼ିଶା ପ୍ରଦେଶ ଶିକ୍ଷକ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନୀରଦ ବରଣ ଖୁଣ୍ଟିଆ, ଯୋଗ ଶିକ୍ଷକ ମର୍ଦ୍ଦରାଜ ଭୋଇ, ସମାଜସେବୀ ସୁରେଶ ମହାପାତ୍ର, ଦୀପ ନାରାୟଣ ବିଶ୍ବାଳ, ଲୋକେଶ୍ବର ପ୍ରଧାନ ପ୍ରମୁଖ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର