ଦିବ୍ୟାଙ୍ଗ ମହିଳାଙ୍କୁ ଯୌନ ନିର୍ଯାତନା ମାମଲା : ମହୁ ଖାଉଥିଲେ କେଉଁ ଅଫିସର?

କିରାଣିଙ୍କ ଗିରଫଦାରୀ ପରେ ଅଧିକାରୀ ଛାନିଆ

ଭୁବନେଶ୍ବର : ପଳାସପଲ୍ଲୀର ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦୀର୍ଘ ଦିନ ଧରି ଚାଲିଥିବା ଯୌନ କେଳେଙ୍କାରୀ ମାମଲା ଏବେ ପଦାକୁ ଆସିବା ପରେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଛି। ଅନୁଷ୍ଠାନର ପୂର୍ବତନ ସମ୍ପାଦକ ସୁରେଶ ବେହେରା ଓ ଖୋର୍ଦ୍ଧା ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣିଙ୍କୁ ମିଶାଇ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂଗିନ ଅଭିଯୋଗର ସତ୍ୟତାକୁ ନେଇ ଆଉ କିଛି ସନ୍ଦେହ ନଥିବା ଚର୍ଚ୍ଚା ହେଉଛି। ସରକାରୀ ଅନୁଦାନକୁ ଆତ୍ମସାତ କରିବାରେ ସହଯୋଗ କରୁଥିବା କିରାଣି ବନ୍ଧା ହେବା ପରେ ଏବେ ଅଧିକାରୀମାନଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି। ଜଣେ କିରାଣି କିଭଳି ଏତେ ବଡ଼ କାଣ୍ଡ କରୁଥିଲେ ଓ ଉପରିସ୍ଥ ଅଧିକାରୀ କିଭଳି କିଛି ଜାଣି ପାରୁନଥିଲେ? ଯୁବତୀଙ୍କୁ ଯୋଗାଇ ଏମାନଙ୍କ ମୁହଁ ବନ୍ଦ କରାଯାଉଥିଲା କି? ମହୁ ଖାଉଥିବା ଏହି ଅଫିସରମାନେ କିଏ? ଲୋକେ ଏବେ ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଛନ୍ତି।

ପୁଲିସ ସୂଚନାନୁସାରେ ଜେଲ୍‌ ହାଜତରେ ଥିବା ଅଭିଯୁକ୍ତମାନଙ୍କୁ ରିମାଣ୍ଡ୍‌ରେ ଆଣିବା ପାଇଁ ଯୋଜନା ଚାଲିଛି। ତଦନ୍ତରେ ଆହୁରି ଅନେକ କିଛି ବାକି ରହିଛି ଓ ବହୁ ରହସ୍ୟ ଉପରୁ ପର୍ଦ୍ଦା ହଟିନାହିଁ ବୋଲି ପୁଲିସ ନିଶ୍ଚିତ ହୋଇଛି। ଏଠାରେ କିରାଣି ମଉଜମଜଲିସ୍‌ କରି ଲକ୍ଷଲକ୍ଷ ଟଙ୍କାର ସରକାରୀ ଅନୁଦାନକୁ ହଡ଼ପ କରୁଥିଲେ। ତେବେ ଅଧିକାରୀଙ୍କ ବିନା ଜ୍ଞାତସାରରେ ଏହା ଚାଲୁଥିଲା ବୋଲି ବିଶ୍ବାସ କରି ହେଉନାହିଁ। ତେଣୁ ଏହି କେଳେଙ୍କାରୀ ପଛରେ କିଛି ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ଥିବା ପୁଲିସ ସନ୍ଦେହ କରୁଛି। ସେହିଭଳି ଅନୁଷ୍ଠାନର ସିସିଟିଭି ଫୁଟେଜ୍‌ ଆଧାରରେ ଆଉ କେତେଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯିବ। ପୁଲିସର ଏହି ତନାଘନା ବାବଦରେ ଜଣାପଡ଼ିବା ପରେ ଏହି ଅନୁଷ୍ଠାନକୁ ନିୟମିତ ଯିବା ଆସିବା କରୁଥିବା କିଛି ଅଧିକାରୀ ଛାନିଆ ହୋଇ ପଡ଼ିଛନ୍ତି।

ଅନୁଷ୍ଠାନକୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଖରୁ ବାର୍ଷିକ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସରକାରୀ ଅନୁଦାନ ଆସୁଥିଲା। ତେଣୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏଠାରେ ବିଭିନ୍ନ ସମୟରେ ଯାଞ୍ଚ କରାଯାଇଥାଏ। ଅନୁଦାନ ଅର୍ଥ ଉଚିତ ମାର୍ଗରେ ଖର୍ଚ୍ଚ ହେଉଛି କି ନାହିଁ, ସେନେଇ ଅଧିକାରୀମାନେ ଯାଞ୍ଚ କରନ୍ତି। ଉଚିତ ମାର୍ଗରେ ଖର୍ଚ୍ଚ ହେଉଛି ବୋଲି ସମ୍ପୃକ୍ତ ଅଧିକାରୀମାନେ ନିଶ୍ଚିତ କଲେ, ପରବର୍ତ୍ତୀ ଅନୁଦାନ ମିଳିଥାଏ। କିନ୍ତୁ ଏଠାରେ ବର୍ଷ ବର୍ଷ ଧରି ଇନ୍‌ଷ୍ଟ୍ରକ୍ଟରମାନେ ଦରମା ପାଉନଥିବା ଅଭିଯୋଗ ରହିଥିଲେ ମଧ୍ୟ ଯାଞ୍ଚ କରୁଥିବା ଅଧିକାରୀମାନେ ଏହାକୁ ନଜରଅନ୍ଦାଜ କରି ଦେଉଥିଲେ। ଏବେ ଏହି ସବୁର ତଦନ୍ତ ପାଇଁ ଭିଜିଲାନ୍‌ସକୁ ଚିଠି କରାଯାଇଥିବାରୁ ଅଧିକାରୀମାନେ ଛାନିଆ ହୋଇଛନ୍ତି।

ସମ୍ବନ୍ଧିତ ଖବର