ଆଧ୍ୟାତ୍ମିକ ପୁସ୍ତକ ମେଳା: ‘ସମ୍ବାଦ- ଆମ ଓଡ଼ିଶା’ ଷ୍ଟଲରେ ଆକର୍ଷଣୀୟ ରିହାତି ବ୍ୟବସ୍ଥା

‘ବିଧର୍ମୀ ଆକ୍ରମଣ ଓ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସୁରକ୍ଷା’ ଆଲୋଚନାଚକ୍ର

ଭୁବନେଶ୍ବର, : ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ୮ମ ଆଧ୍ୟାତ୍ମିକ ପୁସ୍ତକ ମେଳାରେ ‘ବିଧର୍ମୀ ଆକ୍ରମଣ ଓ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସୁରକ୍ଷା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୈତରଣୀ ଆଧ୍ୟାତ୍ମିକ ଚେତନା ପରିଷଦର ପ୍ରତିଷ୍ଠାତା ଗୁରୁ ଗୌରାଙ୍ଗ ପାଢ଼ୀ ମୁଖ୍ୟ ଅତିଥି, ରାମକୃଷ୍ଣ ଦାସ ମହାରାଜ ମୁଖ୍ୟବକ୍ତା ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ହରପ୍ରସାଦ ମିଶ୍ର, ସଦାନନ୍ଦ ପରିଡ଼ା, ବଳରାମ ଦାଶ, ଡିଭିଜିନାଲ୍‌ ଶ୍ରମ କମିସନର୍‌ କିଶଳୟ ଶତପଥୀ, ଦେବେନ୍ଦ୍ର ମାନସିଂହ ଓ ପୂର୍ବତନ ଶିକ୍ଷା ନିରୀକ୍ଷିକା ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମତ ରଖିଥିଲେ। ଟ୍ରଷ୍ଟର ସଂପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ଗବେଷକ ମଦନ ମୋହନ ମହାପାତ୍ର ଆଲୋଚନାଚକ୍ର ସଂଯୋଜନା କରିଥିଲେ। ଭବାନୀ ଶଙ୍କର ବଳିଆରସିଂହ ଧନ୍ୟବାଦ ଦେଇଥିଲେ।

‘ସମ୍ବାଦ- ଆମ ଓଡ଼ିଶା’ ଷ୍ଟଲରେ ଆକର୍ଷଣୀୟ ରିହାତି ବ୍ୟବସ୍ଥା
ମେଳା ପରିସରରେ ପଡ଼ିଥିବା ‘ସମ୍ବାଦ- ଆମ ଓଡ଼ିଶା’ ଷ୍ଟଲରେ ପାଠକଙ୍କୁ ଆକର୍ଷିତ କରିବା ତଥା ସୁଲଭ ଦରରେ ପୁସ୍ତକ ଯୋଗାଇ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ରିହାତି ବ୍ୟବସ୍ଥା କରାଯାଇଛି। ସ୍ତମ୍ଭକାର ଅସିତ୍‌ ମହାନ୍ତିଙ୍କ ‘ଆମ ଦେବଦେବୀ’, ‘ନବକଳେବର କଥା’ ଓ ‘ଜଗନ୍ନାଥଙ୍କ ରସଗୋଲା’ ପୁସ୍ତକ ସମେତ କଥାକାର ଗୌରହରି ଦାସଙ୍କ ‘ମା‌ମୁ, ‘କଥାଟିଏ’, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ରଙ୍କ ‘ନୂଆ ଅବୋଲକରା କାହାଣୀ, ସାହିତ୍ୟିକ ଦାଶ ବେନହୁରଙ୍କ ‘ପିଲାଙ୍କ ଗପବହି’, ‘ପଗଡ଼ି ପୁରୁଷ’, ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟାନୟକଙ୍କ ‘ଶ୍ରୀମଦ୍‌ ଭାଗବତ’, ‘ସମ୍ବ‌ାଦ’ର ପୂର୍ବତନ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ‘ଶେଷ ସ୍ତମ୍ଭ’ ଓ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ରଣଜିତ୍‌ ଗୁରୁଙ୍କ ପୁସ୍ତକ ‘ଓଡ଼ିଶା ରାଜନୀତି ଶାସନ ଓ ବିକାଶ’ ସହ ଅନୀଲ ଦେଙ୍କ ‘ଅର୍କକ୍ଷେତ୍ର କୋଣାର୍କ’ ଆଦି ପୁସ୍ତକ ଅଧିକରୁ ଅଧିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର