ଭୁବନେଶ୍ୱର : ଲକ୍‌ଡାଉନ ସମୟରେ ବାର୍‌ରେ ପାର୍ଟି କଲେ, ନାଚିଲେ

ଭୁବନେଶ୍ବର : ବାର୍‌ରେ ପାର୍ଟି ଚାଲିଛି, ଫୁଲ୍‌ ସାଉଣ୍ଡରେ ଡିଜେ ବାଜୁଛି। ନାଚଗୀତରେ ମସଗୁଲ୍ ନାମୀଦାମୀ ଘରର ପିଲା। ଲକ୍‌ଡାଉନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମିତି ଏକ ଭିଡିଓ ରାଜଧାନୀରେ ଚର୍ଚ୍ଚା ସୃଷ୍ଟି କରିଛି। କଟକ ରୋଡ୍‌ରେ ଥିବା ଏକ ବାର୍‌ ଭିତରେ ଏଭଳି ଖୁଲମ୍‌ଖୁଲା ଡ୍ୟାନ୍ସ ଚାଲୁଥିବା ନେଇ ଅଭିଯୋଗ ଆସିଛି। ଭିଡିଓଟି କେବେକାର ଜଣାପଡ଼ି ନ ଥିଲେ ବି ଗତ ସୋମବାରର ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଗତ ସୋମବାର ଜଣେ ବ୍ୟବସାୟୀ ଉକ୍ତ ବାରରେ ଏକ ପାର୍ଟିର ଆୟୋଜନ କରିଥିଲେ। ବ୍ୟବସାୟୀଙ୍କ ପୁଅଙ୍କର ସାଙ୍ଗସାଥୀ, ସମ୍ପର୍କୀୟ ଏମିତି ପ୍ରାୟ ୨୫ରୁ ୩୦ ଜଣ ଯୋଗ ଦେଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟାରେ ପାର୍ଟି ଆରମ୍ଭ ହୋଇଥିଲା। ପ୍ରଥମେ କେକ୍ କଟା ଯାଇଥିଲା। ପରେ ମଦର ଆସର ଜମିଥିଲା। ନିଶା ମୁଣ୍ଡକୁ ଚଢ଼ିବା ପରେ ଆରମ୍ଭ ହୋଇ ଯାଇଥିଲା ଉନ୍ମତ୍ତ ନାଚ। ଖାଇବା ପିଇବା, ମଉଜ ମସ୍ତି ସଞ୍ଜ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ କେହି ବି ଏ ସମ୍ପର୍କରେ ଟେର୍ ପାଇ ନ ଥିଲେ। ଯଦି ଭିଡିଓ ସତ ହୋଇଥାଏ, ତାହାଲେ ସାଂଘାତିକ। କାରଣ ମଦ ହୋମ୍ ଡେଲିଭରି ପାଇଁ କେବଳ ବାରକୁ ଅନୁମତି ଥିବା ବେଳେ କେମିତି ପାର୍ଟିର ଆୟୋଜନ କରା ଯାଇଥିଲା? ଯଦି ଘଟଣାର ସତ୍ୟାସତ୍ୟ ମିଳେ, ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ପୁଲିସ ଓ ଅବକାରୀ ବିଭାଗ? ଏ ସମ୍ପର୍କରେ ଲକ୍ଷ୍ମୀସାଗର ଥାନାର ଜଣେ ଅଧିକାରୀ କହିଛନ୍ତି ଘଟଣାର ଅନୁସନ୍ଧାନ କରାଯାଉଛି। କିନ୍ତୁ ଅବକାରୀ ଅଧିକାରୀ ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର