ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳନାରେ ବିଭ୍ରାଟ : ପରୀକ୍ଷା ବେଳେ ଜଣାଉଛନ୍ତି ପ୍ରଶ୍ନପତ୍ର ଢାଞ୍ଚା

ଦ୍ବନ୍ଦ୍ବରେ ଛାତ୍ରୀ, ମୂଲ୍ୟାୟନକୁ ନେଇ ଆଶଙ୍କା, ବଦଳି ପାଇଁ ପରୀକ୍ଷା ନିୟନ୍ତ୍ରକଙ୍କ ୪ ପୃଷ୍ଠାର ଚିଠି

ଭୁବନେଶ୍ୱର : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବ୍ରଜ କିଶୋରଙ୍କ ଖାମଖିଆଲି କାର୍ଯ୍ୟକଳାପ ପାଇଁ ୩୦ ହଜାର ସ୍ନାତକ ଛାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଏକ ଘଣ୍ଟାର ପରୀକ୍ଷାରେ ପରୀକ୍ଷାର୍ଥୀ କେତୋଟି ପ୍ରଶ୍ନର ଉତ୍ତର ଦେବାକୁ ହେବ ସେନେଇ ପରୀକ୍ଷା ପୂର୍ବରୁ କୌଣସି ସୂଚନା ଦିଆଗଲା ନାହିଁ। ପରିଣାମ ସ୍ବରୂପ ବିଶ୍ବବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିବା କେତେକ ସ୍ନାତକ ଛାତ୍ରୀଙ୍କୁ ଏକ ଘଣ୍ଟାରେ ୩ଟି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିଛି ତ ଆଉ କିଛି ପରୀକ୍ଷାର୍ଥୀ ଦୁଇଟି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ବିଜ୍ଞପ୍ତି ପ୍ରକାଶ ପାଇବା ଦିନରୁ ହିଁ ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏବର୍ଷ ଏକ ଘଣ୍ଟା ପରୀକ୍ଷା କରିବା ପାଇଁ ସ୍ଥିର ହୋଇଥିଲା। ତେବେ ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ ଓ ଛାତ୍ରୀ କେତୋଟି ପ୍ରଶ୍ନର ଉତ୍ତର ଦେବେ ସେନେଇ ଦ୍ବନ୍ଦ୍ବରେ ଥିଲେ। ଏମିତିକି ପରୀକ୍ଷାର ପ୍ରଥମ ଦିନ ତଥା ୨୩ ତାରିଖରେ ହିଁ ବହୁ ଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ୯ଟି ଜିଲ୍ଲାର ୪୮ ମହିଳା ମହାବିଦ୍ୟାଳୟର ଛାତ୍ରୀ ଏକ ଘଣ୍ଟାରେ କେତୋଟି ପ୍ରଶ୍ନର ଉତ୍ତର ଦେବେ ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଥିଲେ। ପ୍ରଶ୍ନପତ୍ରରେ ଉଲ୍ଲେଖ ଥିଲା ଯେ ଏକ ଘଣ୍ଟା ମଧ୍ୟରେ ପ୍ରଶ୍ନପତ୍ରର ୫ଟି ପ୍ରଶ୍ନରୁ ତିନିଟି ଉତ୍ତର ଦେବାକୁ ହେବ। ତେବେ ପରୀକ୍ଷା ଆରମ୍ଭ ହେବାର ୫ ମିନିଟ୍‌ ପୂର୍ବରୁ ପରୀକ୍ଷା ନିୟନ୍ତ୍ରକ ଅନୁବନ୍ଧିତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଛାତ୍ରୀଙ୍କୁ ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ନିର୍ଦେଶ ଦେଇଥିଲେ। କେତେକ ଶିକ୍ଷାନୁଷ୍ଠାନ ଏନେଇ ଛାତ୍ରୀଙ୍କୁ ଜଣାଇଥିବା ବେଳେ ଆଉ କିଛି କଲେଜ ପରୀକ୍ଷାର୍ଥୀଙ୍କୁ ଜଣାଇ ପାରି ନ ଥିଲେ। ଯେଉଁଥିପ‌ାଇଁ ଛାତ୍ରୀମାନେ ହଟହଟା ହୋଇଥିଲେ।

ବିଶ୍ବବିଦ୍ୟାଳୟର ବିଫଳ ପରୀକ୍ଷା ପରିଚାଳନା ଯୋଗୁଁ ଛାତ୍ରୀମାନେ ଏବେ ଚିନ୍ତାରେ। ପ୍ରଶ୍ନପତ୍ରରେ ଉଲ୍ଲେଖ କରାଯାଇଥିବା ନିୟମ ଅନୁଯାୟୀ ମାର୍କ ମିଳିବ କି ପରୀକ୍ଷା ନିୟନ୍ତ୍ରକଙ୍କ ନିର୍ଦେଶ ଅନୁଯାୟୀ ଉତ୍ତର ଖାତା ମୂଲ୍ୟାୟନ କରାଯିବ ସେନେଇ ଛାତ୍ରୀ, ଅଭିଭାବକ, କଲେଜ ଅଧ୍ୟକ୍ଷ, ଅଧ୍ୟାପକମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏନେଇ ମୂଲ୍ୟାୟନରେ ବି ସମସ୍ୟା ଦେଖାଦେଇଛି। ରାଜ୍ୟର ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟ ବିଜ୍ଞପ୍ତି ପ୍ରକାଶ କରିବା ସମୟରେ ପରୀକ୍ଷା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଉଥିବା ବେଳେ ରମାଦେବୀ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବ୍ରଜ କିଶୋର କାହିଁକି ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରମାଦେବୀ ବିଶ୍ବବିଦ୍ୟାଳୟରେ କାମ କରିବାକୁ ପରୀକ୍ଷା ନିୟନ୍ତ୍ରକଙ୍କ ଇଚ୍ଛାପ୍ରକାଶ କରୁନାହାନ୍ତି। ଯେଉଁଥିପାଇଁ ସେ ଗୋଟିଏ ପରେ ଗୋଟିଏ ଭୁଲ୍‌ କରିଚାଲିଛନ୍ତି। ବିଶ୍ବବିଦ୍ୟାଳୟର ଉପରିସ୍ଥ ଅଧିକାରୀଙ୍କୁ ବି ଖାତିର କରୁନାହାନ୍ତି। ଯେଉଁଥିପାଇଁ ଅଧିକାରୀମାନେ ଉଚ୍ଚଶିକ୍ଷା ବିଭାଗ କର୍ତୃପକ୍ଷଙ୍କୁ ଏନେଇ ଜଣାଇ ସାରିଲେଣି। ସେପଟେ ଏହି ବିଶ୍ବବିଦ୍ୟାଳୟରୁ ତାଙ୍କୁ ଅନ୍ୟତ୍ର ବଦଳି କରିବା ଲାଗି ପରୀକ୍ଷା ନିୟନ୍ତ୍ରକ ଉପରିସ୍ଥ ଅଧିକାରୀଙ୍କୁ ୪ ପୃଷ୍ଠାର ପତ୍ର ଲେଖି ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ପରୀକ୍ଷା ନିୟନ୍ତ୍ରକ ବ୍ରଜ କିଶୋରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇ ନ ଥିଲେ।

ସମ୍ବନ୍ଧିତ ଖବର