କ୍ରୁଟ୍‌ର ବିଶ୍ୱ ପର୍ଯ୍ୟଟନ ଦିବସ ଭେଟି : ପୁରୀ ଓ କୋଣାର୍କକୁ ଗଡ଼ିବ ‘ମୋ ବସ୍‌’

ଏବେ ଦୁଇଟି ଲେଖାଏଁ ନନ୍‌ଏସି ବସ୍‌ ଚାଲିବ

ଭୁବନେଶ୍ୱର : ଆସନ୍ତା ୨୭ତାରିଖରେ ସାରା ବିଶ୍ବ ପାଳିବ ପର୍ଯ୍ୟଟନ ଦିବସ। ଏହି ଉପଲକ୍ଷେ କ୍ରୁଟ୍‌ ପକ୍ଷରୁ ପୁରୀ ଓ କୋଣାର୍କକୁ ଭୁବନେଶ୍ବରରୁ ‘ମୋ ବସ୍‌’ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା ପର୍ଯ୍ୟଟନର ସବୁଠୁ ଗୁରୁତ୍ବପୂର୍ଣ୍ଣ ପୁରୀ ଓ କୋଣାର୍କକୁ ‘ମୋ ବସ୍‌’ ଚଳାଚଳ କରିବା ପାଇଁ ରାଜ୍ୟ ସରକାର ବହୁ ଦିନରୁ ଯୋଜନା କରିଥିବାବେଳେ ସ୍ଥାନୀୟ ଲୋକ ମଧ୍ୟ ଦାବି କରୁଥିଲେ। ଏହାପରେ କ୍ରୁଟ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ରୁଟ୍‌ ନଂ-୫୦ରେ ମାଷ୍ଟରକ୍ୟାଣ୍ଟିନରୁ ‘ମୋ ବସ୍‌’ ବାହାରି ପୁରୀ ଯିବ। ରୁଟ୍‌-୭୦ରେ ମାଷ୍ଟରକ୍ୟାଣ୍ଟିନରୁ-କୋଣାର୍କ ମଧ୍ୟରେ ବସ୍‌ ଚଳାଚଳ କରିବ। ଏବେ ୨ଟି ନନ୍‌ଏସି ବସ୍‌ ଚାଲିବାକୁ ଥିବାବେଳେ ଆଗାମୀ ଦିନରେ ଏହି ରୁଟ୍‌ରେ ଏସି ବସ୍‌ ଚାଲିବ ବୋଲି ଜଣାପଡ଼ିଛି। ଉଦ୍‌ଘାଟନୀ ଦିବସରେ ଅର୍ଥାତ୍‌ ରବିବାର ଦିନ ଦୁଇଟି ଯାକ ରୁଟ୍‌ରେ ଗୋଟିଏ ଲେଖାଏଁ ବସ୍‌ ଯିବ। କିନ୍ତୁ ସୋମବାର ଠାରୁ ନିୟମିତ ବସ୍‌ ଚଳାଚଳ କରିବ ବୋଲି କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଜଣାଇଛନ୍ତି।

କ୍ରୁଟ୍‌ର ସୂଚନା ଅନୁଯାୟୀ, ରୁଟ୍‌-୫୦ରେ ଅର୍ଥାତ୍‌ ଭୁବନେଶ୍ବରରୁ ପୁରୀକୁ ସକାଳ ୬ଟା ୩୦, ୭ଟା ୨୦, ଅପରାହ୍ନ ୫ଟା ୫୦ ଓ ୬ଟା ୫୦ରେ ବସ୍‌ ଚାଲିବ। ପୁରୀରୁ ସକାଳ ୮ଟା ୨୦, ୯ଟା ୧୦, ରାତି ୮ଟା ଓ ୯ଟାରେ ବସ୍‌ ଆସିବ। ସେହିପରି ରୁଟ୍‌-୭୦ରେ ଭୁବନେଶ୍ବରରୁ ସକାଳ ୬ଟା ୪୦, ୭ଟା ୪୦ରେ ଏବଂ ସଂଧ୍ୟା ୫ଟା ୪୦ ଓ ୬ଟା ୪୦‌ରେ ବସ୍‌ ଯିବ। କୋଣାର୍କରୁ ସକାଳ ୮ଟା ୩୦, ୯ଟା ୩୦ ଏବଂ ରାତି ୭ଟା ୪୦ ଓ ୮ଟା ୪୦ରେ ବସ୍‌ ଭୁବନେଶ୍ବରକୁ ଚଳାଚଳ କରିବ।

ମିଳିଥିବା ସୂଚନା ଅନୁଯାୟୀ, ରୁଟ୍‌-୫୦ରେ ବସ୍‌ ମାଷ୍ଟରକ୍ୟାଣ୍ଟିନରୁ ବାହାରି ରାଜ୍ୟ ସଂଗ୍ରହାଳୟ, ରବି ଟକିଜ୍‌, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ୍‌, ମାଳତୀପାଟପୁର ହୋଇ ପୁରୀ ବସଷ୍ଟାଣ୍ଡରେ ରହିବ। ଠିକ୍ ସେହିପରି ରୁଟ୍-୭୦ରେ ‘ମୋ ବସ୍‌’ ମାଷ୍ଟରକ୍ୟାଣ୍ଟିନରୁ ବାହାରି ରାଜ୍ୟ ସଂଗ୍ରହାଳୟ, ରବି ଟକିଜ୍‌, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ୍‌, ନିମାପଡ଼ା, ଗୋପ ହୋଇ କୋଣାର୍କ ଯିବ।

ରୁଟ୍‌ ୫୦ରେ ସର୍ବାଧିକ ଭଡ଼ା ୭୦ଟଙ୍କା ରହିବ। ରୁଟ୍‌-୭୦ରେ ସର୍ବାଧିକ ଭଡ଼ା ୬୦ଟଙ୍କା ରହିବ। ସେହିପରି ବସଭଡ଼ାର ଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ନଚେତ୍‌ କ୍ୟୁଆର୍ କୋଡ୍ ସେବାର ଅଧିକା ବ୍ୟବହାର କରିବାକୁ କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ନୋଟ୍ ଏବଂ ଖୁଚୁରାର ଆଦାନପ୍ରଦାନ ଜନିତ ଭୂତାଣୁ ସଂକ୍ରମଣକୁ ରୋକାଯାଇପାରିବ ଏବଂ ଯାତ୍ରୀମାନେ ନିଜୁକ ସୁରକ୍ଷିତ ରଖିପାରିବେ।

ସମ୍ବନ୍ଧିତ ଖବର