ରାସ୍ତାରେ ଡ୍ରେନ୍ ପାଣିର ବନ୍ୟା : ବିଷ ପାଣି ଘେରରେ ଅମୃତ ପାର୍କ

ଭୁବନେଶ୍ବର : ରାସ୍ତାରେ ଡ୍ରେନ୍‌ ପାଣି ଲହଡ଼ି ମାରୁଛି। ପ୍ରାୟ ଫୁଟେ ଉଚ୍ଚରେ ପଚା ପାଣି ବୋହୁଛି। ତେଣୁ କଲୋନିବାସୀ ଚଳପ୍ରଚଳ ହେବାରେ ଘୋର ସମସ୍ୟାରେ ପଡ଼ିଛନ୍ତି। ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ମହିଳା ଓ ଛୋଟପିଲାମାନେ ଯାତାୟାତ କରିବାରେ ଅସୁବିଧା‌ରେ ପଡ଼ୁଛନ୍ତି। ଏହା ହେଉଛି ରସୁଲଗଡ଼ ଜିଜିପି କଲୋନି ଅମୃତ ପାର୍କ ଅଞ୍ଚଳର ଲୋକଙ୍କ ସମସ୍ୟା। ସ୍ବେରେଜ୍‌ ଲାଇନ୍‌ ମ୍ୟାନ୍‌ହୋଲ୍‌ ଜାମ୍‌ ହୋଇଥିବାରୁ ଡ୍ରେନ୍‌ ପାଣି ରାସ୍ତା ଉପରକୁ ଉଛୁଳି ଏଭଳି ସମସ୍ୟା ସୃଷ୍ଟି କରିଛି। ଫଳରେ ଏବେ ଅମୃତ ପାର୍କ ଚାରି କଡ଼ରେ ବିଷ ପାଣି ଜମି ରହିଥିବାରୁ ଲୋକେ ସେଠାକୁ ଯାଇପାରୁନାହାନ୍ତି।

ସୂଚନାନୁସାରେ ୧୯ ନମ୍ବର ୱାର୍ଡ ଜିଜିପି କଲୋନୀ ଅମୃତ ପାର୍କ ନିକଟରେ ଏକ ମ୍ୟାନ୍‌ହୋଲ‌୍ ଦୀର୍ଘ ଦିନ ହେଲା ଜାମ୍‌ ହୋଇଛି। ଫଳରେ ଡ୍ରେନ୍ ପାଣି ନିସ୍କାସନ ହୋଇପାରୁନାହିଁ ଓ ରାସ୍ତା ଉପରକୁ ଉଛୁଳି ଆସୁଛି। ରାସ୍ତା ଉପରେ ପ୍ରାୟ ଫୁଟେ ଉଚ୍ଚରେ ପଚା ଦୁର୍ଗନ୍ଧ ପାଣି ଜମି ରହୁଛି। ପରିସ୍ଥିତି ଏମିତି ହୋଇଛି ଯେ ଏଠାରେ ରହୁଥିବା ୫୦ ପରିବାରଙ୍କ ଚଳପ୍ରଚଳ ଏକପ୍ରକାର ଜାମ୍‌ ହୋଇଯାଇଛି। ଫଳରେ ଗତ କିଛି ଦିନ ହେଲା ଏଠିକାର ବରିଷ୍ଠ ନାଗରିକମାନେ ଘରୁ ଗୋଡ଼ କାଢ଼ି ପାରୁନାହାନ୍ତି। ଯିଏ କାର୍‌ ବା ବାଇକ୍‌ ଭଳି ମଟରଯାନରେ ଯାଉଛି, ସେ ଅନ୍ୟ ଲୋକଙ୍କ ପାଇଁ ସମସ୍ୟାର କାରଣ ହେଉଛି। ମହିଳାମାନେ ସକାଳୁ ମନ୍ଦିର ଯାଇପାରୁନଥିବା ଅଭିଯୋଗ କରିଛନ୍ତି।

ସ୍ଥାନୀୟ ବାସିନ୍ଦା ପ୍ରଦୀପ ଓଝାଙ୍କ କହିବାନୁସାରେ ଏହି ସମସ୍ୟା ଦୀର୍ଘ ଦିନର। ବାରମ୍ବାର ଅଭିଯୋଗ କଲେ ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଆସନ୍ତି ଓ ଅସ୍ଥାୟୀଭାବେ ମରାମତି କରି ଫେରିଯାଆନ୍ତି। ଫଳରେ ଦିନକ ପରେ ପୁଣି ରାସ୍ତାରେ ସୃଷ୍ଟି ହୁଏ ଡ୍ରେନ୍‌ ପାଣିର ବନ୍ୟା। ବରିଷ୍ଠ ନାଗରିକ ସୁବାସଚନ୍ଦ୍ର ପାତ୍ରଙ୍କ କହିବାନୁସାରେ ସେମାନେ ଗୃହବନ୍ଦୀ ହୋଇ ରହିଛନ୍ତି। ସକାଳେ ସନ୍ଧ୍ୟାରେ ଚଲାବୁଲା କରିହେଉନାହିଁ। ଏହି ସମସ୍ୟାର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର