ବିରାଜିବେ ମା’ : ଅକ୍ଷର ଧାମରୁ ପଦ୍ମାବତୀ ପ୍ୟାଲେସ୍‌, ଶାରଦୀୟ ମହାପାର୍ବଣ ପାଇଁ ରାଜଧାନୀରେ ଏବେ ଚାଲିଛି ସୁଦୃଶ୍ୟ ତୋରଣ ନିର୍ମାଣ

ଭୁବନେଶ୍ବର : ଶରତ ଆଗମନର ବାର୍ତା ନେଇ ପୁଣି ପ୍ରକୃତି କୋଳକୁ ଫେରିଛି କାଶତଣ୍ଡୀ। ଅଗ୍ରପୂଜ୍ୟ ଗଜାନନଙ୍କୁ ଆବାହନ ପରେ ପାର୍ବଣ ମୁଖର ହୋଇଛି ପରିବେଶ। ଶାରଦୀୟ ମହାପାର୍ବଣ ପାଇଁ ରାଜଧାନୀ ଏବେ ଚଳଚଞ୍ଚଳ। ମା’ ଦୁର୍ଗାଙ୍କୁ ଆବାହନ ପାଇଁ ଆରମ୍ଭ ହୋଇଯାଇଛି ଅଘୋଷିତ ପ୍ରତିଯୋଗିତା। ଏଥର ବି ରାଜଧାନୀରେ ଛିଡ଼ା ହେବା ଏକରୁ ଆରେକ ବଳିକି ସୁଦୃଶ୍ୟ ତୋରଣ। ସମଗ୍ର ରାଜଧାନୀରେ ୧୬୫ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ ସିଂହବାହିନୀ। ତେବେ ସୁଦୃଶ୍ୟ ତୋରଣ ଓ ମନଲୋଭା ସାଜସଜ୍ଜା ପାଇଁ ଆକର୍ଷଣ ସାଜିବେ କିଛି ପ୍ରମୁଖ ପୂଜା ମଣ୍ଡପ।

ନୂଆପଲ୍ଲୀରେ ‘ପଦ୍ମାବତୀ ପ୍ୟାଲେସ୍‌’
ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଚଳିତ ବର୍ଷ ଦୁର୍ଗାପୂଜା ୩୨ ବର୍ଷରେ ପଦାର୍ପଣ କରୁଛି। ବିଶେଷକରି ବନ୍ଦାଣ ବର ପୀଠରେ ଏହି ପୂଜା ଆୟୋଜନ କରାଯାଉଥିବାରୁ ଏଠାରେ ଷୋଳପୂଜା ଅନୁଷ୍ଠିତ ହେବ। ଚଳିତ ବର୍ଷ ତୋରଣରେ ଝଟକିବ ‘ପଦ୍ମାବତୀ ପ୍ୟାଲେସ୍‌’। ଗୁଜୁରାଟର ଏହି ପ୍ୟାଲେସ୍‌ ନିର୍ମାଣ ପାଇଁ ଅଗଷ୍ଟ ୧୫ରୁ କାମ ଆରମ୍ଭ ହୋଇଗଲାଣି। ଶଙ୍ଖ ଓ କଉଡ଼ିରେ ୧୨୦ ଫୁଟ ଦୀର୍ଘ ଓ ୮୫ ଫୁଟ ଉଚ୍ଚର ଏହି ସୁଦୃଶ୍ୟ ତୋରଣ ଶୋଭା ପାଇବ ବୋଲି ସମିତିର ଉପଦେଷ୍ଟା ନବକିଶୋର ବେହେରା କହିଛନ୍ତି।

ଲଣ୍ଠନ ଫିତାରେ ଜମ୍ମୁ କଶ୍ମୀର ପ୍ୟାଲେସ୍‌
୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ଚର୍ଚ୍ଚାରେ ରହିଥିବା ବେଳେ ବମିଖାଲ ଦୁର୍ଗାପୂଜା ସମିତି ପକ୍ଷରୁ ନିର୍ମିତ ହେଉଛି ଜମ୍ମୁ କଶ୍ମୀର ପ୍ୟାଲେସ୍‌। ଲଣ୍ଠନ ଫିତାରେ ହିଁ ଏହି ପ୍ୟାଲେସ୍‌ ନିର୍ମାଣ କରିବେ ବଙ୍ଗାଳି କାରିଗର। ୧୦୦ ଫୁଟ ଦୀର୍ଘ ଓ ୮୦ ଫୁଟ ଉଚ୍ଚର ସୁଦୃଶ୍ୟ ତୋରଣ ଦେଖିବାକୁ ମିଳିବ। କେବଳ ତୋରଣ ପାଇଁ ୧୮ଲକ୍ଷ ଟଙ୍କା ଖର୍ଚ ହେବ ବୋଲି କହିଛନ୍ତି ପୂଜା ସମିତିର ପି.ଆର୍‌ ଜେନା। ଏଥିପାଇଁ କୋଲକାତାର ୩୫ଜଣ କାରିଗର ନିୟୋଜିତ ହୋଇଥିବା ବେଳେ ଅଗଷ୍ଟ ୧୫ରୁ କାମ ଆରମ୍ଭ ହୋଇଯାଇଛି।

ଲ‌କ୍ଷ୍ନୌ ରାଜପ୍ରାସାଦରେ ବିରାଜିବେ ମା’
ଉତ୍ତରପ୍ରଦେଶର ଲକ୍ଷ୍ନୌ ରାଜପ୍ରାସାଦର ଅନୁଭବ ଦେବ ସହିଦନଗର ପୂଜା ସମିତି। ୪୧ ବର୍ଷରେ ପଦାର୍ପଣ କରିଥିବା ପୂଜା ସମିତି ପକ୍ଷରୁ ୭୦ ଫୁଟ ଉଚ୍ଚ ଓ ୧୨୦ ଫୁଟ ଓସାରର ଏହି ତୋରଣ ପ୍ଲାଏ ଓ ଫାଇବରରେ ନିର୍ମିତ ହେବ। କେବଳ ତୋରଣ ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହ ଚାନ୍ଦି ମେଢ଼ ଓ ସୁନା ଅଳଙ୍କାରରେ ମା’ ସଜେଇ ହୋଇ ଦର୍ଶନ ଦେବେ।

ଷ୍ଟେସନ୍‌ ବଜାରରେ ଅଜନ୍ତା-ଏଲୋରା
ରାଜଧାନୀର ସର୍ବ ପୁରାତନ ପୂଜାନୁଷ୍ଠାନ ଷ୍ଟେସନ୍‌ ବଜାରର ଦୁଗାପୂଜା ଚଳିତ ବର୍ଷ ୬୪ ବର୍ଷରେ ପଦାର୍ପଣ କରିଥିବା ବେଳେ ତୋରଣରେ ଏଥର ଅଜନ୍ତା ଏଲୋରାର ଝଲକ ଭେଟିଦେବ। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ଓ ଅଖାରେ ନିର୍ମିତ ଏହି ତୋରଣ ପାଇଁ ୨୧ ଲକ୍ଷ ଟଙ୍କା ଖର୍ଚ ହେବ। ପୂଜା ମଣ୍ଡପ ଭିତର ପାର୍ଶ୍ବ ମଧ୍ୟ ଏଥର ଏକ ନିଆରା କାହାଣୀ କହିବ। ଆଦିମ ମାନବର ପୂଜାର୍ଚନାଠୁ ଆରମ୍ଭ କରି ଆଜିର ମଣିଷର ଆଡ଼ମ୍ବର ପୂଜା ପର୍ଯ୍ୟନ୍ତ କଥାବସ୍ତୁର ଅନୁଭବ ନେବେ ଶ୍ରଦ୍ଧାଳୁ।

ରସୁଲଗଡ଼ରେ କାଳ୍ପନିକ ଆଲୁଅ ତୋରଣ
ଫୁଲ ଓ ଆଲୁଅମାଳାରେ ଆଖିଖୋସା ଅନୁଭବ ଦେବ ରସୁଲଗଡ଼ର କାଳ୍ପନିକ ତୋରଣ। ୭୦ଫୁଟ ଉଚ୍ଚ ଓ ୧୫୦ ଫୁଟ ଦୀର୍ଘ ଏହି ତୋରଣକୁ ଫୁଲ ଓ ରଙ୍ଗିନ ଆଲୁଅରେ ସଜାଯିବ। ଏଥିପାଇଁ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ରସୁଲଗଡ଼ ଦୁର୍ଗାପୂଜା ସମିତିର ସଭାପତି ଅନିଲ କୁମାର ବଳିୟାରସିଂହ କହିଛନ୍ତି।

ବରମୁଣ୍ଡାରେ ‘ଅକ୍ଷର ଧାମ’
ଗୁଜୁରାଟର ଅକ୍ଷର ଧାମ ମନ୍ଦିରକୁ ଏଥରେ ତୋରଣରେ ଫୁଟାଇବ ବରମୁଣ୍ଡା ଦୁର୍ଗାପୂଜା ସମିତି। ବରମୁଣ୍ଡା ଖେଳ ପଡ଼ିଆରେ ଅନୁଷ୍ଠିତ ପୂଜାରେ ୧୨୦ ଫୁଟ ଓସାର ଓ ୭୫ ପୁଟ ଉଚ୍ଚର ଏହି ତୋରଣ ପାଇଁ ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ ହେବ। ଫୋମ୍‌ରେ ତୋରଣକୁ ସଜାଯିବ। ୨୦ବର୍ଷରେ ପଦାର୍ପଣ କରିଥିବା ଏହି ପୂଜାରେ ସାଜସଜ୍ଜା ପାଇଁ କୋଲକାତାର ୩୦ଜଣ କାରିଗର ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର