ରୁଚିକା ମାର୍କେଟ୍‌ ଦୁର୍ଗାପୂଜା, ପୂଜାରେ ଶ୍ରଦ୍ଧାଳୁଙ୍କୁ ବଣ୍ଟାଯିବ ଚାରା

ଭୁବନେଶ୍ବର: ପରିବେଶ ପ୍ରତି ସମର୍ପିତ ପ୍ରାଣ ନେଇ ଏଥର ଦୁର୍ଗାପୂଜା ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି ରୁଚିକା ମାର୍କେଟ୍‌ ଦୁର୍ଗାପୂଜା ସମିତି। ପୂଜା ଖର୍ଚକୁ ନେଇ ପ୍ରତିଯୋଗିତାରୁ ଦୂରେଇ ରହି ଏଥର ଶ୍ରଦ୍ଧାଳୁଙ୍କୁ ୧୦ ହଜାର ଚାରା ବାଣ୍ଟିବା ନେଇ ଯୋଜନା କରିଛି ପୂଜା ସମିତି। ଫନି ବାତ୍ୟା ତାଣ୍ଡବ ରଚିବା ପରେ ରାଜଧାନୀର ସବୁଜିମା ପ୍ରଭାବିତ ହୋଇଥିବାରୁ ସବୁଜିମା ଭରିବା ପାଇଁ ଏହିପରି ବ୍ୟବସ୍ଥା କରାଯାଇଛି। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଚାରା ବଣ୍ଟାଯିବ।

ସବୁବେଳେ ସ୍ବଚ୍ଛତା ଅବଲମ୍ବନ ପାଇଁ ଚର୍ଚ୍ଚାରେ ରହୁଥିବା ଏହି ପୂଜା କମିଟି ଏଥର ବି ଚାନ୍ଦା ଉପରେ ନିର୍ଭର କରିବ ନାହିଁ। ବରଂ ‌ଯେଉଁମାନେ ପୂଜା ମଣ୍ଡପକୁ ଆସି କିଛି ଦାନ ଦେବେ, ସେଇଥିରେ ପୂଜାର୍ଚନା କରାଯିବ। ବଡ଼ କଥା ହେଉଛି, ପ୍ରତିବର୍ଷ ପୂଜା କମିଟି ପକ୍ଷରୁ ପୂଜା ଖର୍ଚର ବିବରଣୀ ସମସ୍ତ ବଦାନ୍ୟ ବ୍ୟକ୍ତିଙ୍କୁ ଏକ ପୁସ୍ତକ ଜରିଆରେ ଦିଆଯିବ। ଏଥର ପୂଜା ପାଇଁ ୧୧ ଲକ୍ଷ ଟଙ୍କା ବ୍ୟୟ କରାଯିବାକୁ ଯୋଜନା କରାଯାଇଥିବା ବେଳେ କାଳ୍ପନିକ ତୋରଣ ଓ ଏଲ୍‌ଇଡି ତୋରଣ ଶୋଭା ପାଇବ। ବିନ୍ଦୁ ସାଗରରୁ ୧୧ ଜଣ ମହିଳା କଳସରେ ପାଣି ଆଣିବା ପରେ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚନା ପୂର୍ବକ ମା’ଙ୍କ ଘଟ ସ୍ଥାପନା କରାଯିବ। ଭକ୍ତମାନେ ଏଠାରୁ ଭୋଗ କିଣି ନେବାର ବନ୍ଦୋବସ୍ତ ହେବ। ପ୍ରତିଦିନ ସନ୍ଧ୍ୟା‌ରେ ମହିଳାମାନେ ଏକାଠି ହୋଇ ମା’ଙ୍କୁ ସିନ୍ଦୂର ଦାନ ସହ କନକାଞ୍ଜଳି କରିବେ।

ସ୍ଥାପନ ହେବ ମାନସିକ ହୁଣ୍ଡି
ପ୍ରତିବର୍ଷ ଭଳି ଏଥର ମଧ୍ୟ ମାନସିକ ହୁଣ୍ଡି ସ୍ଥାପନ ହେବ। ଭକ୍ତମାନେ ନିଜର ମାନସିକ ଲେଖି ଏହି ହୁଣ୍ଡିରେ ପକାଇବେ। ଦଶହରା ଦିନ ସନ୍ଧ୍ୟା ଆଳତି ପରେ ହୁଣ୍ଡି ଖୋଲାଯାଇ ମା’ଙ୍କ ପାଦ‌ ତଳେ ମାନସିକ ସମ୍ପର୍କିତ ଲେଖାକୁ ଅର୍ପଣ କରାଯିବ। ଏଥିସହ ଭକ୍ତଙ୍କ ପକ୍ଷରୁ ଦାନ କରାଯାଇଥିବା ଘିଅରେ ମା’ଙ୍କ ପାଖରେ ଏକ ଅଖଣ୍ଡ ଦୀପ ଲଗାଯିବ।

ରବିନାରାୟଣ ମିଶ୍ର (ସଭାପତି)

ପ୍ଲାଷ୍ଟିକ୍‌ ଦ୍ରବ୍ୟରେ ଭୋଗ ଆଣିବାକୁ ବାରଣ
ସାଂସ୍କୃତିକ କାର୍ଯ୍ୟକ୍ରମରେ ସପ୍ତମୀରେ ଭଜନ ସମାରୋହ, ଅଷ୍ଟମୀରେ ଝାଙ୍କି, ନବମୀରେ ଚିରସବୁଜ ସଂଗୀତର ଉତ୍ସବ ଓ ଦଶମୀରେ ନୃତ୍ୟ ସହ କମେଡି କାର୍ଯ୍ୟକ୍ରମ ପରିବେଷଣ ହେବ। ପ୍ଲାଷ୍ଟିକ୍‌ରେ ଭୋଗ ଆଣିବା ପାଇଁ ବାରଣ କରାଯିବ। ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ସୁବିଧା ଦର୍ଶନ ପାଇଁ ସ୍ବତନ୍ତ୍ର ସେବା ଯୋଗାଇ ଦିଆଯିବ।
କେ ରଂଜନ କୁମାର (ସମ୍ପାଦକ)

ସମ୍ବନ୍ଧିତ ଖବର