ଗଣଶିକ୍ଷା ମନ୍ତ୍ରୀଙ୍କ ସହ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ବର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ କର୍ମକର୍ତା ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଫେଡେରେସନ୍‌ର ସଭାପତି ହୃଦାନନ୍ଦ ଦ୍ବିବେଦୀ ଓ ମହାସଚିବ ଅମିୟ ଦାଶଙ୍କ ନେତୃତ୍ବରେ ୧୧ଜଣିଆ ପ୍ରତିନିଧିମଣ୍ଡଳୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକମାନଙ୍କୁ ଅଧିକ ସ୍ବାଧୀନତା, ଦୀର୍ଘ ୬ମାସ ଧରି କ୍ୟାବିନେଟ୍ ମଞ୍ଜୁରୀ ପରେ କ୍ୟାଡର ରୁଲ କାର୍ଯ୍ୟକାରୀ କରିବାରେ ବିଳମ୍ବ, ମଧ୍ୟାହ୍ନ ଭୋଜନରୁ ଅବ୍ୟାହତି, ପିଲାଙ୍କ ପାଇଁ ସୁସ୍ଥ ମଧ୍ୟାହ୍ନ ଭୋଜନସ୍ଥଳୀ ନିର୍ମାଣ, ବିଭିନ୍ନ ସରକାରୀ ଚିଠିରେ ସ୍ପଷ୍ଟ ନିର୍ଦେଶ ନ ଥିବାରୁ ଏମ୍‌ଏସିପି, ଆରଏସିପି କାର୍ଯ୍ୟରେ ମନ୍ଥରତା, ଗଣଶିକ୍ଷକମାନଙ୍କୁ କ୍ୟାଡରଭୁକ୍ତ କରିବା, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ସିଧାସଳଖ ସପ୍ତମ ବେତନ କମିସନର ମୂଳ ଦରମା ପ୍ରଦାନ ଭଳି ଦାବି ଉପରେ ଆଲୋଚନା ହୋଇଥିଲା। ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରାଥମିକ ସ୍ତରରେ ବିଦ୍ୟାର୍ଥୀମାନଙ୍କୁ ମୌଳିକ ଶିକ୍ଷା ପରିବର୍ତେ ଏକାଧିକ ପ୍ରକଳ୍ପ ଘୋଷଣା କରାଯାଇଛି। ଏହାକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଫଳରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମାନସିକ ଚାପରେ ରହୁଥିବାରୁ ସରକାରଙ୍କ ଶିକ୍ଷା ବ୍ୟବସ୍ଥାରୁ ଆଶାଜନକ ଫଳ ଉପଲବ୍ଧ ହେଉନାହିଁ। ତେଣୁ ଶିକ୍ଷକଙ୍କୁ ଚାପମୁକ୍ତ ସହ ଅଧିକ ସ୍ବାଧୀନତା ପ୍ରଦାନ କରିବା ପାଇଁ ଫେଡେରେସନ୍‌ ପକ୍ଷରୁ ଦାବି ହୋଇଛି। ଆଲୋଚନାରେ ସଂଘର ସଂଯୋଜିକା ଚାରୁଲତା ମହାପାତ୍ର, ଉପସଭାପତି ବିଜୟ ମହାନ୍ତି, ପ୍ରଶାନ୍ତ କୁମାର ସର, ଆଞ୍ଚଳିକ ସଂପାଦକ ମନୋଜ କୁମାର ସାହୁ, ସୁଚିତ୍ର ଦାସ, ପ୍ରଭାସିନୀ ମହାନ୍ତି, ବିରଜାଲକ୍ଷ୍ମୀ ସାହୁ, ନବରଙ୍ଗପୁର ଜିଲ୍ଲା ସଂପାଦକ ରମଣୀ ରଂଜନ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର