ଏକାମ୍ର କ୍ଷେତ୍ର ଯୋଜନା: ୨୦ପରିବାର ଜମି ଦେବାକୁ ସମ୍ମତି ଦେଲେ

ଭୁବନେଶ୍ବର: ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଏକାମ୍ର କ୍ଷେତ୍ର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା’ ଘୋଷଣା କରିଥିବା ବେଳେ ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ‌ଲୋକମାନେ କିପରି ସୁବିଧାରେ ଜମି ଦେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ୬ ମାସ ମଧ୍ୟରେ ଏହି ଯୋଜନାକୁ ରୂପ ଦେବାକୁ ଥିବାରୁ ଜମି ଅଧଗ୍ରହଣ ପ୍ରକ୍ରିୟା ଜୋରଦାର୍ କରାଯାଇଛି। ପ୍ୟାକେଜ୍ ଘୋଷଣାର ମାସକ ମଧ୍ୟରେ ଜମି ଦାନ କଲେ ୧୦% ଅଧିକ ଅର୍ଥ ମିଳିବାକୁ ଥିବାରୁ ସପ୍ତାହକ ମଧ୍ୟରେ ୨୦ଟି ପରିବାର ଜମି ଦାନ କରିବାକୁ ସହମତି ଦେଇଥିବା ଜଣାପଡ଼ିଛି।

ବିଏମ୍‌ସିର ଡେପୁଟି କମିସନର (ଜମି) କମଲଜିତ୍ ଦାସଙ୍କ ସୂଚନା ଅନୁଯାୟୀ, ଶ୍ରୀ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବ ଉନ୍ନତି ପାଇଁ ୨୦ପରିବାର ଜମି ଦେବାକୁ ସହମତି ଦେଇଛନ୍ତି। ସେମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହାସହ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ସେହିପରି ଆଉ ୭ଜଣ ଜମି ଦାନ କରିବାକୁ ଆବେଦନ କରିଛନ୍ତି। ସେମାନଙ୍କର କାଗଜପତ୍ର ଯାଞ୍ଚ ପରେ ଘୋଷଣା ହୋଇଥିବା ପ୍ୟାକେଜ୍ ଅନୁଯାୟୀ ଅର୍ଥ ଦେଇ ଜମି ଅଧିଗ୍ରହଣ କରାଯିବ। ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ପ୍ରାୟ ୧୦୦ ଘର ଭଙ୍ଗା ହେବାକୁ ଥିବାବେଳେ ଲୋକମାନଙ୍କ ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ ହୋଇଛି। ରାଜସ୍ବ ବିଭାଗ, ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଦେବୋତ୍ତର ବିଭାଗ, ସଂସ୍କୃତି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏହି ଟିମ୍ ଗଠନ ହୋଇଛି। ଏହି ଟିମ୍ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଘର ମାପଚୁପ କରି ସରକାରୀ ପ୍ୟାକେଜ୍ ଅନୁଯାୟୀ କେତେ ଟଙ୍କା ପାଇବେ ତାହା ଜଣାଉଛନ୍ତି। ଯେଉଁ ଲୋକ ରାଜି ହେଉଛନ୍ତି ସେମାନଙ୍କୁ ତୁରନ୍ତ ଚେକ୍ ଦେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉଛି। ଲୋକମାନେ ସ୍ବଇଚ୍ଛାରେ ଜମି ଦାନ କରୁଥିବାରୁ ଆମେ ମାସକ ମଧ୍ୟରେ ସମସ୍ତ ଜମି ଅଧିଗ୍ରହଣ କରି ପାରିବାର ଆଶା ରଖିଛୁ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର