ଏକାମ୍ର ପ୍ୟାକେଜ୍‌ ଘୋଷଣାକୁ ମାସେ ପୂରିବ, ଚୁକ୍ତି କରିବେ ସ୍ଥିତିବାନ ଜମି ମାଲିକ

ପୁରୁଣା ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଏକାମ୍ର ପ୍ୟାକେଜ୍’ ଘୋଷଣା ହୋଇଛି। ୬୫ଏକର ପରିମିତ ଜମିରେ ସୌନ୍ଦର୍ଯ୍ୟୀକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟବସ୍ଥା ପାଇଁ ସ୍ଥିର ହୋଇଛି। ଏହି ଘୋଷଣାକୁ ଆସନ୍ତାକାଲି ମାସେ ପୂରିବାକୁ ଯାଉଛି। ଏନେଇ ଆଜି ସନ୍ଧ୍ୟାରେ ବିଏମ୍‌ସି ପକ୍ଷରୁ ସ୍ଥିତିବାନ ଜମି ମାଲିକଙ୍କୁ ଡକାଇ ଆଲୋଚନା କରାଯାଇଛି। ଯେଉଁମାନେ କ୍ଷତିପୂରଣ ବାବଦ ଶତକଡ଼ା ୧୦ଭାଗ ଅଧିକ ପାଇବାକୁ ଚାହୁଁଛନ୍ତି ସେମାନେ ଚୁକ୍ତି କରିବାକୁ କୁହାଯାଇଛି। ଯୋଗ୍ୟ ବ୍ୟକ୍ତିମାନେ ଏଥିପାଇଁ ବିଏମ୍‌ସି କାର୍ଯ୍ୟାଳୟରେ କୋର୍ଟ ପେପରରେ ଚୁକ୍ତି କରିବାକୁ ଜଣାଇ ଦିଆଯାଇଛି।

ପ୍ରକାଶ ଯେ, ଶ୍ରୀଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନିକଟସ୍ଥ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଗତ ଜାନୁଆରି ୨୭ତାରିଖରେ ଘୋଷଣା କରାଯାଇଥିଲା। ଅଧିଗୃହୀତ ସମସ୍ତ ଜମି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ କରାଯିବ। ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାଁ ପ୍ରକଳ୍ପ ଅଞ୍ଚଳ ଫଳକରେ ରଖାଯିବ। ପୁରୀ ଶ୍ରୀମନ୍ଦିର ପ୍ୟାକେଜ୍ ଶୈଳୀରେ ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ୟାକେଜ୍ ଘୋଷଣା ହୋଇଥିବା ବେଳେ ୬ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ତେଣୁ ଅଧିଗ୍ରହଣ ବିଜ୍ଞପ୍ତି ଜାରି ହେବାର ୩୦ଦିନ ମଧ୍ୟରେ କ୍ଷତିଗ୍ରସ୍ତ ବ୍ୟକ୍ତି ଯଦି ସ୍ୱଇଚ୍ଛାରେ ଜମି ପ୍ରଦାନ କଲେ ତାଙ୍କୁ ଅତିରିକ୍ତ ୧୦ପ୍ରତିଶତ ଅର୍ଥ ପ୍ରୋତ୍ସାହନ ଦିଆଯିବ ବୋଲି କୁହାଯାଇଥିଲା। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ସ୍ଥିତିବାନ ମାଲିକମାନଙ୍କ ସହ ବିଏମ୍‌ସି ସଭାଗୃହରେ ଆଲୋଚନା କରିବା ସହ ପ୍ୟାକେଜ୍‌ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଏଥିପାଇଁ ବୁଧବାର ବିଏମ୍‌ସି କାର୍ଯ୍ୟାଳୟରେ ସ୍ବତନ୍ତ୍ର ଶିବିର କରାଯିବ। ଷ୍ଟାମ୍ପ ଭେଣ୍ଡର, ନୋଟାରି, ତହସିଲଦାରଙ୍କ ଉପସ୍ଥିତିରେ ୩ଟି ବିଭାଗ କରାଯାଇ ଏହି କାର୍ଯ୍ୟ କରାଯିବ। ସକାଳ ୧୦ରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଏହି ଚୁକ୍ତି କରାଯିବ। ବର୍ତ୍ତମାନ ସୁଦ୍ଧା ୪୦ଜଣ ସରକାରଙ୍କୁ ଜମି ପ୍ରଦାନ ପାଇଁ ଅନୁମତି ଦେଇଥିବା ବେଳେ ୪ଜଣ ଚୁକ୍ତି କରିସାରିଛନ୍ତି।

ଏହି ଆଲୋଚନା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ଭୁବନେଶ୍ବର ସ୍ମ‌ାର୍ଟ ସିଟି ଲିମିଟିଡେର ମହାପ୍ରବନ୍ଧକ କମଲଜିତ ଦାଶ ଓ ବହୁ ଅଧିକାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର