ବାଲେଶ୍ୱରରୁ ଦାରିଂବାଡ଼ି ଭାୟା ଭୁବନେଶ୍ୱର: ମନ କିଣୁଛି ଦିନ ମଜୁରିଆ କୃଷ୍ଣଙ୍କ ନିର୍ବାଚନ ଗୀତ

‌‌ମୋତେ ଭୋଟ୍‌ ଦିଅ, ମୁଁ ସେବା କରିବି

ବାଲିପାଟଣା : ବିଶ୍ବାସ କରାଯାଏ ଗୀତ ଲେଖିବା ଓ ଗାଇବା ମା’ ସରସ୍ବତୀଙ୍କ ଦାନ। ପାଠପଢ଼ା ବା ଶିକ୍ଷାଗତ ଯୋଗ୍ୟତା ସହ ଏହାର କୌଣସି ସମ୍ପର୍କ ନାହିଁ। ସେମିତି କଳା ନେଇ ପ୍ରସିଦ୍ଧି ଲାଭ କରିଛନ୍ତି ସ୍ଥାନୀୟ ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗାଁର କୃଷ୍ଣ ଭୋଇ। ଭଜନ ଓ ଆଧୁନିକ ଗୀତ ଲେଖାଲେଖି କରୁଥିବା କୃଷ୍ଣ ସେଥିରେ ଆଖିଦୃଶିଆ ସଫଳତା ପାଇ ନଥିଲେ ବି ନିର୍ବାଚନ ଗୀତ ପାଇଁ ତାଙ୍କୁ ଖୋଜାପଡ଼େ। ୨୫ବର୍ଷ ହେଲା ସେ ନିର୍ବାଚନ ଗୀତ ଲେଖି ଆସୁଛନ୍ତି। ନିର୍ବାଚନ ଆସିଲେ ବାଲେଶ୍ବରରୁ ଦାରିଂବାଡ଼ି ପର୍ଯ୍ୟନ୍ତ ତାଙ୍କ ଲେଖା ଗୀତ ଭୋଟରଙ୍କ ମନ କିଣେ। ଦିନମଜୁରିଆ ଭାବେ କାମ କରି ପରିବାର ଭରଣପୋଷଣ କରୁଥିବା କୃଷ୍ଣଙ୍କ ଦିନ ରେକର୍ଡିଂ ଷ୍ଟୁଡିଓରେ କଟେ।
ସେ ମାତ୍ର ଦ୍ୱିତୀୟ ଶ୍ରେଣୀ ଯାଏଁ ପଢ଼ିଛନ୍ତି। ଦାରିଦ୍ର୍ୟ କାରଣରୁ ପାଠପଢ଼ାରେ ଡୋରି ବନ୍ଧା ହେବା ପରେ ପିଲା ଦିନରୁ ଛେଳି ଚରାଇବା ଭଳି କାମ କରୁଥିଲେ। ଏବେ ବି ସେ ଦିନ ମଜୁରିଆ। ମୂଲ ଲାଗିଲେ ଘରେ ଚୁଲି ଜଳେ। କିନ୍ତୁ ଗୀତ ଲେଖିବା ନିଶା ତାଙ୍କର ମରି ପାରିନାହିଁ। ଅଭାବ ଅନଟନ ତାଙ୍କର ଏହି ସଂଗୀତ ପ୍ରୀତିକୁ ପ୍ରଭାବିତ କରିପାରିନାହିଁ। ମଝିରେ ମଝିରେ ସେ ଭଜନ ଓ ଆଧୁନିକ ଗୀତ ଲେଖନ୍ତି ଓ ନିଜେ ସ୍ବର ସଂଯୋଜନା କରି ଗାଆନ୍ତି। ସ୍ଥାନୀୟ ଅଞ୍ଚଳର ମେଳା ମହୋତ୍ସବରେ ସେ ନିଜ ରଚନାର ଗୀତ ଗାଆନ୍ତି। କିନ୍ତୁ ବଣମଲ୍ଲୀ ବଣରେ ଫୁଟି ଝଡ଼ିଗଲା ଭଳି ତାଙ୍କ ଅବସ୍ଥା। ଏଥିପାଇଁ ତାଙ୍କୁ ଭଲ ପାରିଶ୍ରମିକ ମିଳେନି କି ସ୍ବୀକୃତି ମଧ୍ୟ ମିଳେନି। ତଥାପି ତାଙ୍କ ମନରେ ତିଳେ ହେଲେ ଦୁଃଖ ନଥାଏ। ତେବେ ନିର୍ବାଚନ ଋତୁ ଆସିଲେ, ତାଙ୍କୁ ଷ୍ଟୁଡିଓରୁ ଡାକରା ଆସେ। କାରଣ ବେଶ୍ ମନମତାଣିଆ ନିର୍ବାଚନ ଗୀତ ସେ ଲେଖିପାରନ୍ତି। ଦୀର୍ଘ ୨୫ ବର୍ଷ ହେଲା ସେ ନିର୍ବାଚନ ଗୀତ ଲେଖୁଛନ୍ତି। ତାଙ୍କ କହିବା କଥା, ଚଳିତବର୍ଷ ବାଲେଶ୍ବର ଓ ଦାରିଙ୍ଗିବାଡ଼ିର କିଛି ପ୍ରାର୍ଥୀଙ୍କ ପାଇଁ ସେ ଗୀତ ଲେଖିଛନ୍ତି। ସେହିଭଳି ରାଜଧାନୀ ଉପକଣ୍ଠରେ ବି ତାଙ୍କ ରଚିତ ନିର୍ବାଚନ ଗୀତ ବାଜୁଛି। କଟକ ଓ ଭୁବନେଶ୍ବରର କିଛି ଷ୍ଟୁଡିଓ ତାଙ୍କୁ ଏହି ସୁଯୋଗ ଦେଉଥିବାରୁ ସେ ବେଶ୍ ଖୁସି। ଏଥିରୁ ତାଙ୍କୁ କିଛି ପଇସା ବି ମିଳୁଛି। ତେବେ ପଇସା ପାଇଁ ନୁହେଁ, ତାଙ୍କ ଭଳି ଜଣେ ଅକିଞ୍ଚନକୁ ଏତିକି ବି ସ୍ବୀକୃତି ମିଳୁଥିବାରୁ ସେ ଖୁସି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର