ବିଦ୍ୟୁତ ବିତ୍ପାତ: ଧାର୍ଯ୍ୟ ହେଲା ନୂଆ ତାରିଖ, ୧୫କୁ କଣ୍ଟ

ଭୁବନେଶ୍ବର : ବାତ୍ୟାର ୧୦ ଦିନ ପରେ ବି ରାଜଧାନୀରେ ସୁଧୁରୁନି ବିଦ୍ୟୁତ ବ୍ୟବସ୍ଥା। ଶ୍ରମିକଙ୍କଠାରୁ ସଚିବଙ୍କ ପର୍ଯ୍ୟନ୍ତ ଦିନରାତି ଏକ କରିଦେଉଥିଲେ ମଧ୍ୟ ଏବେ ବି ଅନେକ ଜାଗାରେ ବିଦୁତ ଅପହଞ୍ଚ। ସାରା ଭୁବନେଶ୍ବରରେ ବିଦ୍ୟୁତ ସଂଯୋଗ ପହଞ୍ଚାଇବା ପୂର୍ବ ନିର୍ଧାରିତ ତାରିଖ ଫେଲ ମାରିବା ପରେ ଆଜି ଆଉ ଏକ ନୂଆ ତାରିଖ ଧାର୍ଯ୍ୟ ହୋଇଛି। ୧୫ ସୁଦ୍ଧା ସବୁ ଅଞ୍ଚଳରେ ବିଦ୍ୟୁତ ପହଞ୍ଚିବ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି।

ବେଙ୍ଗାଲୁରୁରୁ ଆସୁଛନ୍ତି ୩୧୭ କୁଶଳୀ ଶ୍ରମିକ
ପୁନରୁଦ୍ଧାର କାମ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ଯଥେଷ୍ଟ ବୋଲି ପୁର୍ବରୁ କୁହାଯାଇଥିବା ବେଳେ ଆଜି ବାଙ୍ଗାଲୋର୍‌ ଇଲେକ୍ଟ୍ରିକ୍‌ ସପ୍ଲାଇ କମ୍ପାନି(ବେସ୍‌କମ୍‌)ରୁ ୩୧୭ ଜଣ ଟେକ୍ନିସିଆନ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି। ଭୁବନେଶ୍ବର ଏକ୍ସପ୍ରେସ୍‌ ଜରିଆରେ ଆଜି ଅପରାହ୍‌ଣ ୩ଟା ୩୦ ମିନିଟ୍‌ରେ ସେମାନେ ବେଙ୍ଗାଲୁରୁ ଛାଡ଼ିଛନ୍ତି। ଆସନ୍ତାକାଲି ସେମାନେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ପହଞ୍ଚିବେ। ସେମାନଙ୍କ ରହିବା ଓ ସୁରକ୍ଷା ବ୍ୟବସ୍ଥା ପାଇଁ ସେସୁ ମୁଖ୍ୟ ମହାପ୍ରବନ୍ଧକ (ଟେକ୍ନିକାଲ) ସୁକାନ୍ତ ସ୍ବାଇଁଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ବିଦ୍ୟୁତ ସଂଯୋଗରେ ସମସ୍ୟା ନେଇ ବେସ୍‌କମ୍‌ ସହ ଯୋଗାଯୋଗ ହେବା ପରେ ତୁରନ୍ତ କମ୍ପାନି ପକ୍ଷରୁ ଏହି କର୍ମଚାରୀମାନଙ୍କୁ ପଠାଯାଇଛି। ଠିକାଦାରଙ୍କ ଅଧୀନରେ ଥିବା ଶ୍ରମିକଙ୍କ ଦ୍ବାରା ନିର୍ଧାରିତ ସମୟ ଭିତରେ କାମ ହୋଇ ନପାରିବାରୁ ଏମାନଙ୍କୁ ଡକାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ବାରମ୍ବାର କଟୁଛି, ଭୋଲ୍‌ଟେଜ୍‌ କମୁଛି, ବଢ଼ୁଛି
ଲାଇନ୍‌ ସିନା ଆସିଛି, ହେଲେ ନୂଆ ଅଡୁଆ ହୋଇଛି। ବାରମ୍ବାର ଲାଇନ୍‌ କଟୁଥିବା ବେଳେ ଭୋଲ୍‌ଟେଜ୍‌ କମ୍‌-ବେଶି ହେଉଛି। ଅନେକ ଜାଗାରେ ଦିନ ସାରା ସମ୍ପୂର୍ଣ୍ଣ କଟି ଯାଉଥିବା ବେଳେ ରାତିକୁ ଆସୁଛି। ଫଳରେ ଏହି ନୂଆ ଅଡୁଆକୁ ନେଇ ଅସନ୍ତୋଷ ବଢ଼ିଛି। ଭୋଲ୍‌ଟେଜ୍‌ କମ୍‌-ବେଶି ହେଉଥିବାରୁ ଏହାର ପ୍ରଭାବ ବୈଦ୍ୟୁତିକ ସାମଗ୍ରୀ ଉପରେ ପଡ଼ୁଛି। ଅନେକଙ୍କର ଫ୍ୟାନ୍‌ ଖରାପ ହୋଇଯାଇଥିବା ବେଳେ ମୋବାଇଲ୍ ଚାର୍ଜର ମଧ୍ୟ ଖରାପ ହେଉଥିବା ଖବର ମିଳିଛି। କାମ ଚାଲୁ ରହିଥିବାରୁ ଦିନରେ ବିଦ୍ୟୁତ ସେବାକୁ ବନ୍ଦ କରାଯାଉଛି। କାମ ସମୟରେ ଯେପରି ଅଘଟଣ ନହୁଏ ତାହାକୁ ଦୃଷ୍ଟିରେ ରଖି ଏପରି କରାଯାଉଥିବା କୁହାଯାଉଛି।

ଦୁର୍ନୀତି ପାଇଁ ବାଟ
ଫନି ବାତ୍ୟାରେ ବିଦ୍ୟୁତ ବିଭାଗର ୧ ଲକ୍ଷ ୫୬ ହଜାର ଖୁଣ୍ଟ ଭାଙ୍ଗିଥିବା ଆକଳନ କରାଯାଇଛି। ଏହା ବାଦ୍‌ ୫ଟି ୪ଶହ କେଭି, ୨୭ଟି ୨୨୦ କେଭି, ୨୧ଟି ୧୩୨ କେଭି ଟାୱାର ମଧ୍ୟ ଭାଙ୍ଗିଛି। ୪ଟି ଗ୍ରିଡ୍‌ ସହ ୫ ହଜାର ୩୦ କିଲୋମିଟର ୩୩ କେଭି ଲାଇନ୍‌, ୩୮୬୧୩ କିମି ୧୧ କେଭି ଲାଇନ୍‌, ୭୯ ହଜାର ୪୮୫ କିଭି ଏଲ୍‌ଟି ଲାଇନ୍‌ ନଷ୍ଟ ହୋଇଥିବା ବିଭାଗ ଆକଳନ କରିଛି। ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡ଼ିକର ପୁନରୁଦ୍ଧାର ହେବାକୁ ଯାଉଛି। ସେଲ୍‌ ୧୫ ହଜାର ଖୁଣ୍ଟ ଦେବାପାଇଁ ଘୋଷଣା କରିଥିବା ବେଳେ ଅନ୍ୟଗୁଡ଼ିକୁ ବିଭାଗ ସିଧାସଳଖ କିଣିବାକୁ ଯାଉଛି। କିଛି କିଣିବା ପାଇଁ ଅର୍ଡର ମଧ୍ୟ ପ୍ରଦାନ କରାଯାଇଛି। ପୂର୍ବରୁ କିଣାଯାଉଥିବା ଜିନିଷର ଗୁଣବତ୍ତାର ମାନ ପରୀକ୍ଷଣ ପାଇଁ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ କିଣା ପୂର୍ବରୁ ମାନ ପରୀକ୍ଷା କରୁଥିଲା। କିନ୍ତୁ ଅଦ୍ୟାବଧି ଏହି ଟିମ୍‌ ମାନ ନିର୍ଦ୍ଧାରଣ କରିବା ପାଇଁ ଖବର ପାଇନାହିଁ। ଏଣୁ ପୁନରୁଦ୍ଧାର କାମରେ ବ୍ୟବହାର ହେବାକୁ ଯାଉଥିବା ସାମଗ୍ରୀର ମାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଦୁର୍ନୀତି ପାଇଁ ବାଟ ଫିଟିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର