ବିଦ୍ୟୁତ ନିୟମ ଉଲ୍ଲଂଘନ: ୬୦ ପରିବାରକୁ ନୋଟିସ୍‌, ବିଜୁଳି ଖୁଣ୍ଟ ଜବରଦଖଲ, ଅସୁରକ୍ଷିତ ଘୋଷଣା

ଖଣ୍ଡଗିରି: ବିଦ୍ୟୁତ ନିୟମ ଉଲ୍ଲଂଘନ ଅଭିଯୋଗରେ ଭରତପୁରର ୬୦ ପରିବାରକୁ ନୋଟିସ କରିଛି ଟାଟା ପାୱାର କମ୍ପାନି ଲିମିଟେଡ(ଟିପିସିଏଲ)। ଏଥିସହିତ ସେମାନଙ୍କ ଘରକୁ ଅସୁରକ୍ଷିତ ଘୋଷଣା କରିବା ସହିତ ବିଜୁଳି ପୋଲକୁ ସ୍ଥାନାନ୍ତର ପାଇଁ ସର୍ବାଧିକ ୫୦ ହଜାର ଟଙ୍କା ଦାଖଲ ପାଇଁ ନିର୍ଦେଶ ହୋଇଛି। ଟିପିସିଏଲର ଭୁବନେଶ୍ବର ମହାନଗର ବିତରଣ ଡିଭିଜନ-୨ର ୫ ଜଣିଆ କମିଟି ଭରତପୁର ସ୍ଥିତି ସମୀକ୍ଷା ପରେ ଏହି ନୋଟିସ ଜାରି କରିଛନ୍ତି।

ସୂଚନା ଅନୁଯାୟୀ, କିଛି ବର୍ଷ ହେଲା ଭରତପୁରରେ ଗଢି ଉଠିଛି ଅନେକ ଘର। ମାତ୍ର ସେମାନେ ଏଭଳି ଘର ନିର୍ମାଣ ହୋଇଛି ଯେ ଏହା ସରକାରୀ ଜମିକୁ କବ୍‌ଜା କରି ନେଇଛିନ୍ତି। ଘର ବାଲକୋନି ଭିତରେ ବିଦ୍ୟୁତ ଖୁଣ୍ଟ ରହିଛି। କିଛି ଜଣ ଗୋଟିଏ ତ ଆଉ କିଛି ଜଣଙ୍କ ଘର ପ୍ରାଙ୍ଗଣରେ ଦୁଇଟି ବିଦ୍ୟୁତ ଖୁଣ୍ଟ ରହିଛି। ନିର୍ମାଣ ପୂର୍ବରୁ ସେମାନେ ବିଦ୍ୟୁତ ବିଭାଗକୁ ଏ ସମ୍ପର୍କରେ ଜଣାଇ ମଧ୍ୟ ନାହାନ୍ତି। ସାମାନ୍ୟ ଜମି ଟିକକ ପାଇଁ ଯେଉଁ ଭଳି ଘର ନିର୍ମାଣ ହୋଇଛି ଯେକୌଣସି ସମୟରେ ଏହି ପରିବାର ଗୁଡ଼ିକ ବଡ଼ ଦୁର୍ଘଟଣା ସମ୍ମୁଖୀନର ଆଶଙ୍କା କରାଯାଉଛି। ଏଥିଯୋଗୁଁ ଟିପିସିଓଡିଏଲ ସେମାନଙ୍କୁ ଅସୁରକ୍ଷିତ ଘର ଭାବରେ ଘୋଷଣା କରିଛି।

ଏହି ୬୦ଟି ଘର କେବଳ ବିଦ୍ୟୁତ ଖୁଣ୍ଟ ନୁହେଁ ସରକାରୀ ଜମି, ନାଳକୁ ମଧ୍ୟ କବ୍‌ଜା କରିଥିବା ଯୋଗୁଁ ସ୍ବେରେଜ, ବିଜୁଳି ଏବଂ ପାଣି ପାଇଁ ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ବିଏମସି ଏହି ଜବରଦଖଲ ନଳା, ବାଲକୋନିକୁ ଭାଙ୍ଗିପାରିବ। ଟିପିସିଓଡିଏଲ କହିଛି, ସେମାନେ ଜବରଦଖଲକୁ ଭାଙ୍ଗିପାରିବେ ନାହିଁ। ଏହି ପରିବାରଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନେ ଦଖଲ କରିଥିବା ବିଜୁଳି ଖୁଣ୍ଟକୁ ସ୍ଥାନାନ୍ତରଣ ଆବଶ୍ୟକତା ରହିଛି। ପରିବାର ଏଥିପାଇଁ ଟଙ୍କା ଜମା କରି ଦେଲେ, ବିଭାଗ ପକ୍ଷରୁ ସ୍ଥାନାନ୍ତରଣ କରିବ ବୋଲି କୁହାଯାଇଛି। ଏହି ଯାଞ୍ଚ କମିଟିରେ ଅପରେସନ ଆଣ୍ଡ ମେଣ୍ଟେନାନ୍ସର ଅମୀତ ସିଂ, ଡିଭିଜନାଲ ମ୍ୟାନେଜର ଜ୍ଞାନରଂଜନ ବେହେରା, ସବଡିଭିଜନାଲ ଅଫିସର ବିଶ୍ବରଂଜନ ବେହେରା, ସେକ୍ସନ ମ୍ୟାନେଜର ଯୁଧିଷ୍ଠିର ଚୌଧୁରୀ, ଲାଇନ ମ୍ୟାନ ବିରଞ୍ଚି ନାରାୟଣ ସିଂ ପ୍ରମୁଖ ରହିଥିଲେ।

ସମ୍ବନ୍ଧିତ ଖବର