ବିଦ୍ୟୁତ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ଶବ ରଖି ଗ୍ରାମବାସୀଙ୍କ ପ୍ରତିବାଦ

ମାହାଲ ସାହି‌ରେ ତୀବ୍ର ଉତ୍ତେଜନା

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଦିପୋଟି ସାହିର ଲାଇନ୍‌ମ୍ୟାନ୍‌ ବିଷ୍ଣୁଚରଣ ରାଉତ(୪୦)ଙ୍କ ମୃତ୍ୟୁକୁ କେନ୍ଦ୍ର କରି ଆଜି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଷ୍ଣୁଙ୍କ ମୃତ୍ୟୁ ପାଇଁ ତାଙ୍କୁ ବିଦ୍ୟୁତ୍‌ କାମ କରାଇବାକୁ ଡାକିଥିବା ମାହାଲ ସାହିର ମାନସ ମହାପାତ୍ରଙ୍କୁ ଦାୟୀ କରି ଗ୍ରାମବାସୀମାନେ ହୋହଲ୍ଲା କରିଥିଲେ। ଏପରିକି ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିରେ ସେମାନେ ବିଷ୍ଣୁଙ୍କ ଶବକୁ ମାନସଙ୍କ ଘର ଭିତରେ ପୂରାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ଷତିପୂରଣ ନ ଦେବା ପର୍ଯ୍ୟନ୍ତ କୋକଇ ତାଙ୍କ ଘର ଅଗଣାରୁ ଉଠିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଶେଷରେ ମାନସ ଏବଂ ତାଙ୍କ ବାପା ଜୟକୃଷ୍ଣ ମହାପାତ୍ର ୮ଲକ୍ଷ ୫୦ହଜାର ଟଙ୍କାର ଏକ ଚେକ୍‌ ମୃତକଙ୍କ ପୁଅକୁ ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗ୍ରାମବାସୀ ବିଷ୍ଣୁଙ୍କ ଶବକୁ ଶଶ୍ମାନରେ ସଂସ୍କାର କରାଇଥିଲେ। ଯୁବନେତା ଅରବିନ୍ଦ ସାହୁ ଓ ପବିତ୍ର ମୋହନ ବେହେରାଙ୍କ ନେତୃତ୍ବରେ ଏହି ପ୍ରତିବାଦ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପିପିଲି ବିଦ୍ୟୁତ୍‌ ସବ୍‌-ଡିଭିଜନ୍‌ରେ ଲାଇନ୍‌-ମ୍ୟାନ୍‌ ଭାବେ ବିଷ୍ଣୁ କାର୍ଯ୍ୟ କରନ୍ତି। ଗତକାଲି ମାହାଲ ସାହିର ମାନସଙ୍କ ଘର ସମେତ ୩ ପରିବାରର ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ତେଣୁ ବିଦ୍ୟୁତ୍‌ ମରାମତି ପାଇଁ ସେ ବିଷ୍ଣୁଙ୍କୁ ଡାକିଥିଲେ। ବିଷ୍ଣୁ ଛାତ ଉପରେ ଚଢ଼ି କାମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ତାଙ୍କର ମୃତ୍ୟୁ ହୋଇଯାଇ ଥିଲା। ତେବେ ବ୍ୟବଚ୍ଛେଦ ପରେ ଆଜି ମଧ୍ୟାହ୍ନରେ ବିଷ୍ଣୁଙ୍କ ଶବ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀମାନେ କୋକେଇରେ ଶବ ରଖି ବିଷ୍ଣୁଙ୍କ ପତ୍ନୀ କାମିନୀ ଓ ନାବାଳକ ପୁଅ ସୂର୍ଯ୍ୟଙ୍କୁ ସାଙ୍ଗରେ ନେଇ ମାନସଙ୍କ ଘର ଆଗରେ ଥୋଇବା ସହ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ।

ସମ୍ବନ୍ଧିତ ଖବର