ଶେଷ ହେଲା ନାଟକ ଉତ୍ସବ: ‘କବି ସମ୍ରାଟ’ରେ ଉପେନ୍ଦ୍ର ଭଞ୍ଜଙ୍କ କଥା ଓ ବ୍ୟଥା

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ବାରା ଆୟୋଜିତ ଓଡ଼ିଶାର ବରପୁତ୍ରମାନଙ୍କର ଜୀବନୀ ଉପରେ ଆଧାରିତ ୫ ଦିନିଆ ନାଟକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ମଧୁସୂଦନ ପାଢ଼ୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ଉପସଭାପତି ମନ୍ମଥ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନାଟକ ଉତ୍ସବ ନାଟକର ନୂଆଧାରା ସୃଷ୍ଟି କରିବ। ଏବଂ ବରପୁତ୍ରଙ୍କ ତ୍ୟାଗ, ସମର୍ପଣ ଭାବକୁ ଆଗାମୀପିଢ଼ିଙ୍କ ନିକଟରେ ପହଞ୍ଚାଇବାର ଏହାଏକ ବଳିଷ୍ଟ ମାଧ୍ୟମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଆଜି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଆଧାରିତ ନାଟକ ‘କବି ସମ୍ରାଟ’ ମଞ୍ଚସ୍ଥ ହୋଇଥିଲା। ଘୁମୁସର ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ ଉପେନ୍ଦ୍ର ଭଞ୍ଜ। କିନ୍ତୁ ବହୁ ଦୃଷ୍ଟିରୁ ବିଡମ୍ବିତ ଥିଲା ତାଙ୍କର ଭାଗ୍ୟ। ପିଲାଦିନରୁ ସେ ଯୁଦ୍ଧ ବିଦ୍ୟା ଅପେକ୍ଷା ଶାସ୍ତ୍ର ବିଦ୍ୟା ଅଧୟନ କରିବାକୁ ମନସ୍ଥ କରିଥିଲେ। କ୍ଷମତାକୁ ନେଇ ଦ୍ବନ୍ଦ୍ବ, ଦୁଇ ଦୁଇ ଥର ପତ୍ନୀ ବିୟୋଗ ପରେ ମଧ୍ୟ ତାଙ୍କର ଲେଖନୀ ଚାଳନା ବନ୍ଦ ହୋଇନଥିଲା। ତାଙ୍କର ଅସାମାନ୍ୟ ପାଣ୍ଡିତ୍ୟ, ବିପୁଳ ଶବ୍ଦ ଓ ଶାସ୍ତ୍ର ଜ୍ଞାନ ଫଳରେ ସେ ଓଡ଼ିଆ ବାଣୀ ଭଣ୍ଡାରକୁ ପୂର୍ଣ୍ଣ କରିଥିଲେ।

ଆଜି ମଞ୍ଚରେ ଭୁବନେଶ୍ବର ଉତ୍କଳ ରଙ୍ଗମଞ୍ଚର କଳାକାରମାନେ ଅତି ନିଖୁଣ ଭାବେ କବି ସମ୍ରାଟଙ୍କ ଜୀବନୀକୁ ନେଇ ତଥ୍ୟ ଭିତ୍ତିକ ନାଟକ ‘କବି ସମ୍ରାଟ’ ପରିବେଷଣ କରିଥିଲେ। ଡ. ଶାନ୍ତନୁ କୁମାର ରଥଙ୍କ ରଚିତ ଏହି କାଳଜୟୀ ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ଅନନ୍ତ ମହାପାତ୍ର। ନାଟକରେ ରବି ନାରାୟଣ ତ୍ରିପାଠୀ, ମମତା ମହାନ୍ତି, ପ୍ରଜ୍ଞାଦତ୍ତ ସାହୁ, ଶିବ ଶଙ୍କର ତ୍ରିପାଠୀ, ନବୀନ ପରିଡ଼ା, ବିନାୟକ ମିଶ୍ର, ପ୍ରଦୀପ ବିଶ୍ବାଳ, ଜ୍ୟୋତି ପଣ୍ଡା, ପ୍ରକାଶ ମହାରଣା, ମାନସ ମିଶ୍ର, ଦିବ୍ୟଭାରତୀ ଦାସ, ଲିଲିପ୍ତା ପ୍ରଧାନ, ଐଶ୍ବର୍ଯ୍ୟା ଭାରତୀ, ଶଙ୍କରବସୁ ମଲ୍ଲିକଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା। ସଙ୍ଗୀତ ଓ କଣ୍ଠ ଦାନ ବିଜୟ ଜେନା ଓ ହରପ୍ରିୟା ସ୍ବାଇଁ, ପ୍ରଚ୍ଛଦ ସଙ୍ଗୀତ ଶକ୍ତି ପ୍ରସାଦ ମିଶ୍ର, ରୂପସଜ୍ଜା ବିଧାନ ଷଡ଼ଙ୍ଗୀ, ଆଲୋକ ଲଲାଟେନ୍ଦୁ ପାଣିଗ୍ରାହୀ, କାର୍ଯ୍ୟକ୍ରମ ସଂଯୋଜକ ଜ୍ୟୋତି ପଣ୍ଡା ଓ ଆଶିଶ ପାତ୍ର, କାର୍ଯ୍ୟକ୍ରମ ପରିଚାଳନା ସୁରେଶ ସାହୁ ଏବଂ ସହ ନିର୍ଦ୍ଦେଶନାରେ ଅଜୟ ରଥ ସହଯୋଗ କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର