ମନମୋହିଲା ପୁରୁଷ ନୃତ୍ୟଶିଳ୍ପୀଙ୍କ ଏକକ ନୃତ୍ୟ

ଶେଷ ହେଲା ବିଶ୍ବ ଓଡ଼ିଶୀ ଉତ୍ସବ

ଭୁବନେଶ୍ବର: ‘ସାଂସ୍କୃତିକୀ’ ପକ୍ଷରୁ ତିନି ଦିନ ଧରି ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ‘ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ’ ଆଜି ଉଦ୍‌ଯାପିତ ହୋଇଯାଇଛି। ଆଜି ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପୁରୁଷ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଏକକ ନୃତ୍ୟ ପରିବେଷଣ। ଏଥିରେ ଗୁରୁ ସୁଧାକର ସାହୁ, ଗୁରୁ ଦୁର୍ଗାଚରଣ ରଣବୀର୍, ଗୁରୁ ନବକିଶୋର ମିଶ୍ର, ଗୁରୁ ନିରଞ୍ଜନ ରାଉତ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ମନୋରଂଜନ ପ୍ରଧାନ, ଗୁରୁ ପୀତାମ୍ବର ବିଶ୍ୱାଳ ଓ ଗୁରୁ ଭରତ ଚରଣ ଗିରି ପ୍ରମୁଖ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ‘ରୁଦ୍ରାକ୍ଷ ଫାଉଣ୍ଡେସନ୍‌’ର ପୁରୁଷ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ଏହି ଅଧିବେଶନରେ ୯ଟି ଏକକ ଓ ଗୋଟିଏ ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ପ୍ରଥମ ଅଧିବେଶନରେ କୁନି ନୃତ୍ୟଶିଳ୍ପୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ବେଶ୍‌ ମନମୁଗ୍ଧକର ଥିଲା। ପ୍ରଥମେ ପରିଧି ଶାହାଙ୍କ ଦ୍ୱାରା ଗୁରୁ କୁମାରୀ ରାଜଲକ୍ଷ୍ମୀଙ୍କ ନୃତ୍ୟ ନିର୍ଦ୍ଦେଶନାରେ ମଙ୍ଗଳାଚରଣରେ ‘ଧେନ୍ତ୍ରୀୟମ୍’, ଅଙ୍କିତା ମୁଖାର୍ଜୀ ‘କାଳୀ ମଙ୍ଗଳାଚରଣ’ ଓ ଶୁଭସ୍ମିତା ମହାପାତ୍ର ‘ଯମୁନାକୁ ଆଉ ଯାଆନା’ ଏକକ ନୃତ୍ୟ ପ୍ରଦର୍ଶନ କରିଥିଲେ। ପରେ ପରେ କୁନି କଳାକାର ଆଦ୍ୟା ଉତ୍କଳିକା ଦାସ ‘କାହିଁ ଗଲେ ମୁରଲୀଧର’ ଓ ସଗୁନ୍‌ ସାମନ୍ତରାୟଙ୍କ ‘ଶିବ ଆରାଧନା’ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାପରେ ୯ ବର୍ଷର କୁନି ନୃତ୍ୟଶିଳ୍ପୀ ସାନ୍‌ଭି ଠାକୁର ‘ଦେଖଗୋ ରାଧା ମାଧବ ଚାଲି’ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୬ଟି ଏକକ ନୃତ୍ୟ ଓ ୨ଟି ଦ୍ବୈତ ନୃତ୍ୟ ପରିବେଷିତ ହୋଇଥିଲା। ସନ୍ଧ୍ୟା‌ରେ ସମସ୍ତ ନୃତ୍ୟଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଦେବୀ ବସୁଙ୍କୁ ‘ଓଡ଼ିଶୀ ଅନ୍ତର୍ଜାତୀୟ ଜୀବନବ୍ୟାପୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସଂଯୋଜକ କେଦାର ମିଶ୍ର ଓ ଅଧ୍ୟକ୍ଷ ଗୁରୁ ରାମହରି ଦାଶ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ୟାମହରି ଚକ୍ର। ଅରୁସ୍ମିତା ଆଚାର୍ଯ୍ୟ ଓ ଅଞ୍ଜଳି ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର