ଶେଷ ଦିନରେ ବି ନାଗା ବାବାଙ୍କ ପାଖରେ ରୋଗୀଙ୍କ ଭିଡ଼

ଯାତ୍ରାକୁ ଝୁରିଲେ ଦର୍ଶକ

ଖଣ୍ଡଗିରି: ବିଏମସି କଟକଣା ଜାରି କରିଥିବା ସତ୍ତ୍ବେ ଅନ୍ତିମ ଦିନରେ ବି ଖଣ୍ଡଗିରିକୁ ଆସିଥିବା ମହନ୍ତ ମୋହନ ଗିରି ନାଗା ସନ୍ନ୍ୟାସୀଙ୍କ ନିକଟରେ ଭିଡ଼ ଜମିଥିଲା। ପୂର୍ବ ଦିନ ଅପେକ୍ଷା ଅଧିକ ସଂଖ୍ୟାରେ ଗୁରୁତର ରୋଗୀମାନେ ବାବାଙ୍କଠାରେ ପହଞ୍ଚିଥିଲେ। ରୋଗୀଙ୍କୁ ଦେଖିବା ପରେ ବାବାଙ୍କ ସହଯୋଗୀ ଔଷଧ ମଧ୍ୟ ଲେଖି ଦେଉଥିଲେ। ଆହୁରି ମଧ୍ୟ ଅଧିକାଂଶ ରୋଗୀଙ୍କ ଯୋଗାଯୋଗ ନମ୍ବର ବାବାଙ୍କ ଶିଷ୍ୟମାନେ ଲେଖି ରଖିଥିଲେ। ଏହି ଅବସରରେ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଥିଲେ ବି କେହି ଏହାକୁ ଦୃଷ୍ଟି ଦେଇ ନ ଥିଲେ।

ଯାତ୍ରାକୁ ଝୁରିଲେ ଦର୍ଶକ

ଖଣ୍ଡଗିରି: ଶେଷରେ ରାଜ୍ୟରେ ଯାତ୍ରା ଆୟୋଜନ ପାଇଁ ସରକାର ଆଜି ଅନୁମତି ଦେଇଛନ୍ତି। କିନ୍ତୁ ଯେଉଁ ଖଣ୍ଡଗିରି ମେଳାରୁ ପ୍ରତିବର୍ଷ ଅପେରା ପାର୍ଟିମାନେ ଯାତ୍ରା ପରିବେଷଣ କରି ବର୍ଷ ଆରମ୍ଭ କରୁଥିଲେ, ସେହି‌ ମେଳାରେ ଏ ବର୍ଷ ଯାତ୍ରା ଆୟୋଜିତ ହୋଇ ପାରିଲା ନାହିଁ। ଏଥିଯୋଗୁଁ ଯାତ୍ରା କଳାକାରଙ୍କ ସହିତ ଦର୍ଶକ ଏବଂ ସ୍ଥାନୀୟ ଅଧିବାସୀ ନିରାଶ ହୋଇଛନ୍ତି।
ପ୍ରତିବର୍ଷ ଖଣ୍ଡଗିରି ମାଘମେଳାରେ ରାଜ୍ୟର ପ୍ରମୁଖ ଅପେରା ପାର୍ଟିମାନେ ସେମାନଙ୍କ ‌ଦ୍ବାରା ପ୍ରସ୍ତୁତ ଶ୍ରେଷ୍ଠ ଯାତ୍ରା ପରିବେଷଣ କରନ୍ତି। ଏକାସହିତ ୭ଟି ମଞ୍ଚରେ ରାତିରୁ ସକାଳ ଯାଏ ଯାତ୍ରା ପରିବେଷିତ ହୁଏ। ପ୍ରତିଦିନ ୪୦ରୁ ୪୫ ଲକ୍ଷ ଟଙ୍କାର ଟିକଟ ବିକ୍ରି ହୋଇଥାଏ। ରାତିରାତି ଧରି ହଜାର ହଜାର ଦର୍ଶକ ଯାତ୍ରାକୁ ଉପଭୋଗ କରୁଥିବାରୁ ରାଜଧାନୀର ଏହି ଅଞ୍ଚଳ ମୁଖରିତ ହୋଇ ଉଠେ। କିନ୍ତୁ ଏ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ଯାତ୍ରା ଆୟୋଜନକୁ ଅନୁମତି ଦେଇ ନ ଥିଲା ବିଏମ୍‌ସି। ଫଳରେ କଳାକାରଙ୍କ ଆକର୍ଷଣୀୟ ସଂଳାପ, ରୋମାଞ୍ଚିତ କରୁଥିବା ରେକର୍ଡ ନୃତ୍ୟ, ଲୁହଭରା କାହାଣୀ ଦେଖିବାରୁ ଯାତ୍ରାପ୍ରେମୀ ବଞ୍ଚିତ ହୋଇଥିଲେ। ଏଥିସହିତ ୫୭ ବର୍ଷର ପରମ୍ପରା ଭାଙ୍ଗି ଯାଇଥିଲା।
ଖଣ୍ଡଗିରି ମେଳାରେ ଯାତ୍ରା ଆୟୋଜନର ଇତିହାସକୁ ସ୍ମରଣ କରି ସୁରକ୍ଷା ମଞ୍ଚର ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରରାୟ କହନ୍ତି, ମାଘମେଳା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ ଦାବିପତ୍ର ଦିଆଯାଇଥିଲା। ତେବେ ୧୯୬୪ ମସିହାରେ ପ୍ରଥମେ ହରେକୃଷ୍ଣ ମହତାବ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା ତାରାପୁର ଅପେରା। ଅନେକ ବର୍ଷ ପର୍ଯ୍ୟନ୍ତ କେବଳ ଏହି ଏକମାତ୍ର ମଞ୍ଚରେ ଯାତ୍ରା ଚାଲୁଥିଲା। ପ୍ରାୟ ୨୦ରୁ ୨୫ ବର୍ଷ ପରେ ତୁଳସୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଇଷ୍ଟର୍ଣ୍ଣ ଅପେରା, ଇନ୍ଦ୍ର ଭୁବନ, ସୂର୍ଯ୍ୟ ମହଲ, ବାଘାଯତିନ, କଳିଙ୍ଗ ଗଣନାଟ୍ୟ ପ୍ରଭୃତି ରାଜ୍ୟର ନାମକରା ଯାତ୍ରାପାର୍ଟିଗୁଡ଼ିକ ଏଥିରେ ସାମିଲ ହୋଇଥିଲେ। ପୂର୍ବରୁ ୧୮ ଦିନ ପର୍ଯ୍ୟନ୍ତ ଯାତ୍ରା ହେଉଥିଲା। ମହିଳାଙ୍କ ଚରିତ୍ର ପୁରୁଷମାନେହିଁ ନିର୍ବାହ କରୁଥିଲେ। ୧୯୮୫ ମସିହାରୁ ନାୟିକାମାନେ ଏହି କ୍ଷେତ୍ରରେ ପ୍ରବେଶ ପରେ ଯାତ୍ରା ଆହୁରି ଲୋକପ୍ରିୟ ହୋଇଥିଲା।

ସମ୍ବନ୍ଧିତ ଖବର