ପ୍ରତି ୱାର୍ଡକୁ ମିଳିବ ୫୦ଲକ୍ଷ

ଦଶହରା ପୂର୍ବରୁ ୱାର୍ଡ ସ୍ତରରେ କାମ ଆରମ୍ଭ ହେବ, ଡ୍ରେନ୍ ବାବଦକୁ ଅତିରିକ୍ତ ଅର୍ଥ ମିଳିବ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମର ନିର୍ବାଚିତ ପ୍ରତିନିଧି (କର୍ପୋରେଟର)ଙ୍କ କାର୍ଯ୍ୟକାଳ ଜାନୁଆରିରୁ ଶେଷ ହେଲାଣି। ଏହାପରେ ୮ମାସ ହେଲା କୌଣସି ୱାର୍ଡରେ କିଛି ବି ଉନ୍ନତିମୂଳକ କାର୍ଯ୍ୟ ହେଉନି। ଏପରିକି ଅଧିକାଂଶ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ଖାଲ ହୋଇଥିବା ବେଳେ ନା ନୂଆ ରାସ୍ତା ନିର୍ମାଣ ହେଉଛି ନା ଏହାକୁ ମରାମତି କରାଯାଉଛି। ଡ୍ରେନ୍ ଭାଙ୍ଗି ଯାଇଥିବାରୁ ବର୍ଷା ପାଣି ଘରେ ପଶୁଛି। ୱାର୍ଡଗୁଡ଼ିକର ସ୍ଥିତି ଯାହା ଥିଲା ତାହାକୁ ଅଧିକ ବିପର୍ଯ୍ୟସ୍ତ କରିଦେଲା ବାତ୍ୟା ଫନି। ରାଜଧାନୀର ରାସ୍ତା, ଡ୍ରେନ୍ ଆଦି ଉଜୁଡ଼ି ଯାଇଥିବା ବେଳେ ଏହାର ପୁନରୁଦ୍ଧାର କରିବା ପାଇଁ ବିଏମ୍‌ସି ପ୍ରତି ୱାର୍ଡକୁ ୫୦ଲକ୍ଷ ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇଛି।

୮ମାସ ହେଲା କର୍ପୋରେଟରଙ୍କ କାର୍ଯ୍ୟକାଳ ସରି ଯାଇଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ବି ତାଙ୍କ କଥାକୁ ବିଶେଷ ଗୁରୁତ୍ବ ଦେଉନାହାନ୍ତି। ଏପରିକି ଲୋକମାନେ ବିଏମ୍‌ସି ଅଫିସକୁ ସେମାନଙ୍କ ଅଞ୍ଚଳର ଅଭିଯୋଗ ଆଣି ଆସିଲେ ବି ତାଙ୍କୁ ପରେ କାମ ହେବ ବୋଲି କହି ବିଏମ୍‌ସି ଅଧିକାରୀମାନେ ଫେରାଇ ଦେଉଛନ୍ତି। ପୂର୍ବତନ କର୍ପୋରେଟରମାନେ ଯଦି ଅଭିଯୋଗ ଆଣି ଆସୁଛନ୍ତି ତାଙ୍କୁ ଉତ୍ତର ମିଳୁଛି ବିଏମ୍‌ସିରେ ଟଙ୍କା ନାହିଁ। ଯେତେବେ‌‌ଳେ ଟଙ୍କା ଆସିବ, ସେତେବେଳେ ଦିଆଯିବ। ଏଭଳି ସ୍ଥିତିରେ ରାଜଧାନୀ‌ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଏବେ ବିଏମ୍‌ସି ପ୍ରତି ୱାର୍ଡ ପାଇଁ ୫୦ଲକ୍ଷ ଲେଖାଏଁ ଦେବା ପାଇଁ ପ୍ରକଳ୍ପର ତାଲିକା କରୁଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାନୁଆରିରେ ବିଏମ୍‌ସି କର୍ପୋରେସନ୍ କାର୍ଯ୍ୟକାଳ ସରିବାକୁ ଥିବାରୁ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରତି ୱାର୍ଡକୁ ୫୦ଲକ୍ଷ ଲେଖାଏଁ ଦିଆଯାଇଥିଲା। କିନ୍ତୁ ଏହା ପୂର୍ବ ବର୍ଷ ୨୦୧୭-୧୮ରେ ପ୍ରତି ୱାର୍ଡକୁ ଦେଢ଼ କୋଟି ଲେଖାଏଁ ଦିଆଯାଇଥିଲା। କେତେକ ୱାର୍ଡରେ ତ ୨କୋଟି ଲେଖାଏଁ ଖର୍ଚ୍ଚ ହୋଇଥିଲା। ଦୁଇ ଆର୍ଥିକ ବର୍ଷକୁ ହିସାବ କଲେ ବିଏମ୍‌ସି କିଛି କମ୍‌ ଅର୍ଥ ୱାର୍ଡ ବଜେଟ ବାବଦକୁ ଦେଇନଥିଲା। ହେଲେ ନିର୍ବାଚନ ବର୍ଷ ଥିବାରୁ ଯେଉଁ ବର୍ଷ ଦେଢ଼ କୋଟି ଲେଖାଏଁ ଦିଆଯାଇଥିଲା ସେବର୍ଷ ବି କର୍ପୋରେଟରମାନେ ୱାର୍ଡ ସ୍ତରରେ ବିଶେଷ କିଛି କାମ କଲେନି। ବିଏମ୍‌ସି ତହବିଲରୁ ବିଲ୍‌ କରି ଟଙ୍କା ନେଇଗଲେ ହେଲେ ରାସ୍ତା, ଡ୍ରେନ୍ ଯେପରି ନିର୍ମାଣ କରିବା କଥା କଲେନି। ଯେଉଁ ପ୍ରକଳ୍ପରେ ସେମାନଙ୍କ ସ୍ବାର୍ଥ ରହିଲା ତାକୁ କଲେ। ୨୦୧୮ରେ ବିଏମ୍‌ସି ନିର୍ବାଚନ ହେବାର ସମ୍ଭାବନା ଥିବାରୁ ୱାର୍ଡ ବଜେଟ୍‌ କମ୍‌ କରାଯାଇଥିଲା। ହେଲେ ନିର୍ବାଚନ ହେଲାନି। ଏହାପରେ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ଏବଂ ସରକାର ଭାଙ୍ଗିବା କାରଣରୁ ବିଏମ୍‌ସିକୁ ବଜେଟ୍‌ ମିଳିଲାନି। ପରେ ବାତ୍ୟା ଯୋଗୁଁ ବିଏମ୍‌ସି ପାଖରେ ଥିବା ଟଙ୍କା ଜରୁରୀକାଳୀନ ଖର୍ଚ୍ଚରେ ଲାଗିଲା। ଏବେ ରାଜ୍ୟ ବଜେଟ୍‌ରେ ଅର୍ଥ ମିଳିଥିବାରୁ ୱାର୍ଡ ସ୍ତରରେ କିଛି କିଛି କାମ କରିବାକୁ ଯୋଜନା କରିଛୁ।

ଅପରପକ୍ଷେ ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ରାଜ୍ୟ ବଜେଟ୍‌ରୁ ବିଏମ୍‌ସିକୁ ଟଙ୍କା ମିଳିଥିବାରୁ ପ୍ରତି ୱାର୍ଡ ପାଇଁ ୫୦ଲକ୍ଷ ଲେଖାଏଁ ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ଏଥିରେ ପ୍ରତି ୱାର୍ଡରେ ରାସ୍ତା ମରାମତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ହେବ। ଡ୍ରେନ୍ ନିର୍ମ‌ାଣ ଓ ମରାମତି ପାଇଁ ସ୍ବତନ୍ତ୍ର ଅର୍ଥ ଦିଆଯିବ। କନିଷ୍ଠ ଯନ୍ତ୍ରୀମାନେ କେଉଁ ୱାର୍ଡରେ କେତେ ରାସ୍ତା, କେଉଁଠି ଡ୍ରେନ୍ ନିର୍ମାଣ ହେବ ଆଦି ସର୍ଭେ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। ଏହାସହ ପୂର୍ବତନ କର୍ପୋରେଟରମାନେ ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ବିଚାର କରାଯାଇଛି। ସବୁ ରିପୋର୍ଟ ପାଇବା ପରେ ଖର୍ଚ୍ଚ ଅଟକଳ କରାଯାଇଛି। ସେପ୍ଟେମ୍ବରରେ ହିଁ ୱାର୍ଡ ବଜେଟ୍‌ ଦେବାକୁ ଯୋଜନା ହୋଇଛି। ଦଶହରା ପୂର୍ବରୁ ୱାର୍ଡ ସ୍ତରରେ କାମ ‌ଆରମ୍ଭ ହେବ।

ସମ୍ବନ୍ଧିତ ଖବର