ପେଟ୍ରୋଲ ପମ୍ପରେ ବିସ୍ଫୋରଣ ମାମଲା: ଡିଏନ୍‌ଏ ଟେଷ୍ଟ ପାଇଁ ମିଳିଲା ସ୍ବୀକୃତି

ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣରେ ନିଖୋଜ କର୍ମଚାରୀଙ୍କୁ ଚିହ୍ନଟ କରିବା ପାଇଁ ଡିଏନ୍‌ଏ ଟେଷ୍ଟ କରାଯିବ। ଏଥିପାଇଁ ଗତକାଲି କମିସନରେଟ୍‌ ପୁଲିସ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିଲା ଓ ଆଜି ଏଥିପାଇଁ ସ୍ବୀକୃତି ମିଳିଛି। ତେଣୁ ଡିଏନ୍‌ଏ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ପୁଲିସ ସୂଚନା ଦେଇଛି।ଦୁର୍ଘଟଣାସ୍ଥଳରୁ ଛିଟିକି ପଡ଼ିଥିବା ଦରପୋଡ଼ା ମାଂସଖଣ୍ଡକୁ ପୁଲିସ ସଂଗ୍ରହ କରି ରଖିଛି। ତେବେ କେବଳ ହାଡ଼ରୁ ନମୁନା ନିଆଯାଇ ଡିଏନ୍‌ଏ ଟେଷ୍ଟ କରାଯିବ। ଏଥିସହିତ ଦୁର୍ଘଟଣାସ୍ଥଳରୁ ନିଖୋଜ ଥିବା ସୀମାଞ୍ଚଳଙ୍କ ପରିବାରବର୍ଗଙ୍କର ନମୁନା ମଧ୍ୟ ସଂଗ୍ରହ କରାଯାଇ ଡିଏନ୍‌ଏ ପରୀକ୍ଷା ପାଇଁ ଯିବ। ଏଥିପାଇଁ ତାଙ୍କ ପରିବାରବର୍ଗଙ୍କୁ ଭୁବନେଶ୍ବର ଆସିବା ପାଇଁ ପଡ଼ିବ ନାହିଁ। ସ୍ବତନ୍ତ୍ର ଟେକ୍ନିସିଆନ୍‌ ତାଙ୍କ ଘରକୁ ଯାଇ ନମୁନା ସଂଗ୍ରହ କରିବେ। ଏଏଫ୍‌ବି(ଏସିଡ୍‌ ଫାଷ୍ଟ ବାସିଲସ୍‌) ଜରିଆରେ ଏହି ନମୁନା ସଂଗ୍ରହ କରାଯିବ।

ଆସନ୍ତାକାଲି ଏହି ନମୁନା‌ ସବୁ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି। ଉଭୟ ନମୁନାର ଡିଏନ୍‌ଏ ମ୍ୟାଚ୍‌ ହେଲେ ନିଖୋଜ ସୀମାଞ୍ଚଳଙ୍କ ବାବଦରେ ସ୍ପଷ୍ଟ ସୂଚନା ମିଳି ପାରିବ। ଦ୍ବିତୀୟତଃ ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ମାଂସଖଣ୍ଡ ଅନ୍ୟ କାହାର କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେବ। କାରଣ ଜବତ ମାଂସଖଣ୍ଡଗୁଡ଼ିକର ଏଫ୍‌ଏମ୍‌ଟି ଯାଞ୍ଚ ରିପୋର୍ଟ ମୁତାବକ ସେସବୁ ମନୁ‌ଷ୍ୟର ବୋଲି ସ୍ପଷ୍ଟ ହୋଇଛି। ଏଣୁ ଏବେ ସମସ୍ତଙ୍କ ନଜର ଏହି ପରୀକ୍ଷା ଉପରେ ରହିଛି। ଅନ୍ୟପଟେ ପୁଲିସ ମଧ୍ୟ ବାସ୍ତବ ଘଟଣା ଜାଣିବାକୁ ତନାଘନା ଜାରି ରଖିଛି। କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା, ସେ ନେଇ ଉତ୍ତର ଖୋଜିବାକୁ ପଚରାଉଚରା ଚଳାଇବା ସହ ପୁଲିସ ପ୍ରମାଣ ଯୋଗାଡ଼ରେ ଲାଗିପଡ଼ିଛି। ଟାଙ୍କି ସଫା ହେବା, ନିୟମିତ ଯାଞ୍ଚ ହେବା ପ୍ରକ୍ରିୟା ଓ ଅନ୍‌ଲୋଡ୍‌ ପ୍ରକ୍ରିୟା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି। ଏ ନେଇ ବି‌ଶେଷଜ୍ଞଙ୍କ ମତ ସଂଗ୍ରହ କରାଯାଉଛି। ସମ୍ପୂର୍ଣ୍ଣ ତଥ୍ୟ ହାସଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର