ବାଇକ୍‌ ଉପରେ ଚଢ଼ିଗଲା ହାଇୱା : ବାପ ମୃତ, ପୁଅ ଆହତ, ଟ୍ରକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଅଗ୍ନିଶମ ସେବା ବିଭାଗ କର୍ମଚାରୀଙ୍କୁ ବିରୋଧ

ବାଲିଅନ୍ତା : ଭୁବନେଶ୍ୱର-ବନମାଳିପୁର ମୁଖ୍ୟ ରାସ୍ତାର ବାଳକାଟି ଭାର୍ଗବୀ ବ୍ରିଜ୍‌ ଉପରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଧୀନ ଛତାହାର ଗ୍ରାମର ସୁକାନ୍ତ କୁମାର ନାୟକ(୫୦)। ଦ୍ରୁତଗାମୀ ଏକ ହାଇୱା ତାଙ୍କ ଉପରେ ମାଡ଼ି ଯିବାରୁ ଏହି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ତାଙ୍କ ପୁଅ ସିପୁଲ କୁମାର ନାୟକ(୧୮) ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ, ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ ଓ ଜୋନ୍‌-୪ ଏସିପି ଅମରେନ୍ଦ୍ର ପଣ୍ଡା ସୁକାନ୍ତଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ସିପୁଲଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର‌ରେ ଭର୍ତ୍ତି କରାଇଥିଲା।

ଅପରପକ୍ଷେ ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ହାଇୱାଟି‌‌‌‌କୁ ଜାଳି ଦେଇଥିଲେ। ଏ ସଂପର୍କରେ ପୁଲିସଠାରୁ ଖବର ପାଇ ଅଗ୍ନିଶମ ସେବା ସଂସ୍ଥାର ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ କର୍ମଚାରୀମାନେ ହାଇୱାରୁ ନିଆଁ ଲିଭାଇବାକୁ ଉଦ୍ୟମ କରିବାରୁ ଉତ୍ତ୍ୟକ୍ତ ଲୋକେ ବିରୋଧ କରିଥିଲେ।

ସୂଚନାନୁଯାୟୀ, ସୁକାନ୍ତ ଓ ପୁଅ ସିପୁଲ ଆଜି ମଧ୍ୟାହ୍ନରେ ନିଜ ବାଇକ୍‌ରେ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ସେମାନେ ଭାର୍ଗବୀ ବ୍ରିଜ୍‌ ପାର୍‌ ହେଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ବାଇକ୍‌ ସହ ସୁକାନ୍ତ ତଳେ ପଡ଼ିଯିବାରୁ ହାଇୱାଟି ତାଙ୍କ ମୁଣ୍ଡ ଉପରେ ମାଡ଼ି ଯାଇଥିଲା। ତେବେ ସୌଭାଗ୍ୟବଶତଃ ପୁଅ ସିପୁଲ ଅଳ୍ପକେ ରକ୍ଷା ପାଇ ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ବ୍ରିଜ୍‌ରୁ ଡେଇଁ ଫେରାର୍‌ ହୋଇଯାଇଥିଲା। ଖବର ଲେଖା ହେବା ସୁଦ୍ଧା ପୁଲିସ ସଂପୃକ୍ତ ଚାଳକକୁ ଠାବ କରିବାରେ ସକ୍ଷମ ହୋଇପାରିନାହିଁ।

ସମ୍ବନ୍ଧିତ ଖବର