ଚହଟୁଛି ରାଜଧାନୀ, ନାଚିଲେ… ଖାଇଲେ…

ରାସ୍ତା ପାଲଟିଛି ଚେସ୍‌ ବୋର୍ଡ। ପଡ଼ିଆରୁ ଭାସି ଆସୁଛି ଦେଶୀ ବିଦେଶୀ ଖାଦ୍ୟର ମହକ। ସଂଜ ବୁଡ଼ିଲେ ପ୍ରଦର୍ଶନୀ ପଡ଼ିଆ ପାଲଟୁଛି ମିନି ବଲିଉଡ୍‌। ଗୋଟେ ପଟେ ଚଟ୍‌ପଟି ଖାଦ୍ୟର ମହମହ ବାସ୍ନା, ଅନ୍ୟପଟେ ଧୁମ ଧଡ଼କା ସଂଗୀତର ମନମତାଣିଆ ଆସର। ଯେମିତି ରାଜଧାନୀରେ ମାଖି ହୋଇଛି ଅଦିନିଆ ରଙ୍ଗ। ହକି ବିଶ୍ବକପ୍‌ ମହାକୁମ୍ଭ ସାଙ୍ଗକୁ ମନୋରଂଜନର ହବ୍‌ ପାଲଟିଛି ରାଜଧାନୀ। ଏହି ଅବସର ଆଣି ଦେଇଛି ବିଡିଏ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଡଟ୍‌ ଫେଷ୍ଟ୍‌ ଏବଂ ଫୁଡ୍‌ ଫେଷ୍ଟିଭାଲ୍‌। ପୂରା ମଧୁସୂଦନ ମାର୍ଗକୁ ରଙ୍ଗ ଓ ଆଲୁଅରେ ଏମିତି ସଜା ଯାଇଛି, ଯେମିତି ରାସ୍ତା ଓ ଗଛଲତା କଥା କହୁଛି। ଏ ସ୍ଥାନରେ ପାଦ ଥାପିବା କ୍ଷଣି ଏକ ନୂଆ ଦୁନିଆକୁ ପଶି ଆସିବା ଭଳି ହୃଦ୍‌ବୋଧ ହେଉଛି। ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମେୟର ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଶ୍ରୀ ପୂଜାରୀ କାର୍ଯ୍ୟକ୍ରମ ଉଦ୍‌ଘାଟନ ନେଇ ଘୋଷଣା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହେବ ବୋଲି ଶ୍ରୀ ପୁଜାରୀ ସୂଚନା ଦେଇଥିଲେ।

ପ୍ରସ୍ତୁତିରେ ତ୍ରୁଟି
ବିଶାଲ୍‌ ଠିକ୍‌ ୮ଟା ୨୨ ମିନିଟ୍‌ରେ ସଂଗୀତ ପରିବେଷଣ ପାଇଁ ମଂଚକୁ ଓହ୍ଲାଇଥିଲେ। ମଂଚରେ ଆସି ମାଇକ୍‌ ଧରି ଗାଇବା ଆରମ୍ଭ କଲେ। ମାତ୍ର କନ୍‌ସୋଲ୍‌ କଟିଗଲା। ସଂଗୀତ ଉଚ୍ଚ ସ୍ବରରେ ବାଜୁଥିଲା। ବିଶାଲ୍‌ ଗୀତ ଆରମ୍ଭ କରିଥିଲେ। କିନ୍ତୁ ଗୀତ ଶୁଭି ନଥିଲା। ଦର୍ଶକ ଛିଡ଼ା ହୋଇ ଶୁଭୁନାହିଁ କହିଥିଲେ। କିନ୍ତୁ ବିଶାଲ୍‌ ଗାଇ ଚାଲିଥିଲେ। ବିଶାଲ୍‌ ଶେଷରେ ସବୁ ଜାଣିବା ପରେ ଦର୍ଶକଙ୍କ ପାଖକୁ ଆସି ଲୁହା ବ୍ୟାରିକେଡ୍‌ ଉପରେ ଚଢ଼ି ଲୋକଙ୍କୁ ହାତ ଯୋଡ଼ି ଯାନ୍ତ୍ରିକ ତ୍ରୁଟି ସମ୍ବନ୍ଧରେ କହିଥିଲେ। ଯାନ୍ତ୍ରିକ ସମସ୍ୟା ସୁଧୁରିବାରୁ ପୁଣି ୮ଟା ୪୭ ମିନିଟ୍‌ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଶାଲ୍‌ ମଂଚକୁ ଆସିବା ପରେ କହିଥିଲେ, ବିଶାଲ୍‌-‌ଶେଖରଙ୍କ ସଂଗୀତ କାର୍ଯ୍ୟକ୍ରମରେ କେହି ସିଟ୍‌ରେ ବସି ରୁହେନି। ତୁମେ ମାନେ ମୋ ସାମ୍ନାକୁ ଚାଲିଆସ। ମୋ ଗୀତ ସହ ନାଚ। ସିକ୍ୟୁରିଟିଙ୍କ କଥା ମୁଁ ବୁଝିବି। ଏତିକି କହିବା କ୍ଷଣି ଭିଆଇପି ସିଟ୍‌ରେ ଯେତେ ଦର୍ଶକ ଥିଲେ ମଂଚ ସାମ୍ନାକୁ ଧାଇଁ ଯାଇଥିଲେ। ଲୁହା ବ୍ୟାରିକେଡ୍‌ ଓ ପୁଲିସ୍‌ର କଟକଣା ବି କାମ ଦେଲା ନାହିଁ।

ଧୁମ୍‌ ମଚାଲେ…
ବିଶାଲ୍‌ଙ୍କ କଣ୍ଠରେ ଓମ୍‌ ଶାନ୍ତି ଓମ୍‌… ଗୀତ ଆରମ୍ଭ ହେବା କ୍ଷଣି ଶୀତୁଆ ସଂଜରେ ଯେମିତି ନିଆଁ ଲାଗି ଯାଇଥିଲା। ପରେ ଆଜା ଆଜା ଦିଲ୍‌ ନିଚୋଡେ.., ଓ ହମ୍‌ସଫର୍‌ ଓ ହମ୍‌ନବାବ .., ତୁନେ ମାରି ଏଣ୍ଟ୍ରିୟାର୍‌.., ଧୁମ୍‌ ମଚାଲେ .., ଚଲ୍‌ ବେଟା ସେଲ୍‌ଫି ଲେ ଲେ ରେ.. ଏବଂ ବିଶାଲ୍‌-ଶେଖର ଯୋଡ଼ିଙ୍କ ସ୍ବାଗ୍‌ ସେ ସ୍ବାଗତ.., ବଚ୍‌ନା ‌ଏ ହସିନୋ.. ଭଳି ଗୀତ ପ୍ରଦର୍ଶନୀ ପଡ଼ିଆକୁ ଦୁଲୁକାଇଥିଲା। ପିଲାଙ୍କଠୁ ଯୁବଗୋଷ୍ଠୀ ପର୍ଯ୍ୟନ୍ତ ବସିଥିବା ସିଟ୍‌ରେ ଛିଡ଼ା ହୋଇ ନାଚିଥିଲେ।

ଆଜି ସିଦ୍ଧାନ୍ତ ଶର୍ମାଙ୍କ ରକ୍‌ ବ୍ୟାଣ୍ଡ୍‌ ସୋ
ଇଂଲିସ୍‌ ଟ୍ୟାଲେଣ୍ଟ୍‌ ସୋ ‘ସୋ-ଦି ଷ୍ଟେଜ୍‌’ ୩ର ବିଜେତା ସିଦ୍ଧାନ୍ତ ଶର୍ମାଙ୍କ ସମେତ ରକ୍‌ ବ୍ୟାଣ୍ଡ୍ ଦେଖିବାକୁ ମିଳିବ। ରକ୍‌ ଏନ୍‌ ରୋଲ୍‌ ଗୀତ ଗାଇବାରେ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ବ୍ୟାଣ୍ଡ୍‌ ଉତ୍ସବରେ ରଙ୍ଗ ଭରିବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବଲିଉଡ୍‌ର ବହୁ ଚିହ୍ନାମୁହଁ ସଂଗୀତ ପରିବେଷଣ କରିବେ।

ଏକାମ୍ର ହାଟ ଶିଳ୍ପୀ, ବ୍ୟବସାୟୀଙ୍କ କ୍ଷୋଭ
ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ଫୁଡ୍‌ ଫେଷ୍ଟିଭାଲ୍‌ ଓ ସାଂସ୍କୃତିକ ଉତ୍ସବ ପାଇଁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି। ଫଳରେ ଏକାମ୍ର ହାଟରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀଙ୍କ ବ୍ୟବସାୟରେ ବାଧା ପହଞ୍ଚିଛି। ପ୍ରଦର୍ଶନୀ ପଡ଼ିଆକୁ ସୁସଜ୍ଜିତ କରାଯାଇଥିବା ବେଳେ ଏହି ପରିସରକୁ ଲାଗି ଏକାମ୍ର ହାଟରେ ଅନ୍ଧାର ଛାଇ ଯାଇଛି। ଏହି ପରିସରରେ ଥିବା ବହୁ କଳାକୃତି ଓ କାରିଗରୀ ବିକ୍ରି ପାଇଁ ଡଟ୍‌ ଫେଷ୍ଟ୍‌ ଏକ ସୁଯୋଗ ହୋଇଥିଲେ ହେଁ ଯାନବାହନ ଚଳାଚଳ ନକରିବା ଏବଂ ଏକାମ୍ର ହାଟକୁ ଏହି‌ ଡଟ୍‌ ଫେଷ୍ଟ୍‌ ମଧ୍ୟରେ ଗୁରୁତ୍ବ ନଦେବା ନେଇ ବ୍ୟବସାୟୀ ଓ କାରିଗରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

୨୫ ବାଇକ୍‌, ୬ କାର୍‌ ଉଠାଇନେଲା
କଟକଣା ସତ୍ତ୍ବେ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍‌ ଫେଷ୍ଟ ସମୟରେ ବେଆଇନ୍‌ ପାର୍କିଂ ହୋଇଥିବା ୨୫ ବାଇକ୍‌ ଓ ୬ କାର୍‌କୁ ଟ୍ରାଫିକ୍‌ ପୁଲିସ ଉଠାଇ ନେଇଛି। ଗାଡ଼ି ପାର୍କିଂ ନେଇ ନିର୍ଦିଷ୍ଟ ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ କିଛି ଲୋକ ଏଣେତେଣେ ଗାଡ଼ି ପାର୍କିଂ କରିଥିଲେ। ପରେ ଟ୍ରାଫିକ୍‌ ଥାନାରେ ବାଇକ୍ ଚାଳକ ୧୦୦ଟଙ୍କା ଓ କାର ଚାଳକ ୫ଶହ ଟଙ୍କା ଜରିମାନା ଦେଇ ଗାଡ଼ି ନେଇଥିବା ଟ୍ରାଫିକ୍‌ ଏସିପି ଅନୁପ୍‌ କାନୁନ୍‌ଗୋ ସୂଚନା ଦେଇଛନ୍ତି।

ଇରାନ ଚା’ରୁ ବିୟର ବ୍ରିନେଡ୍‌ ଚିକେନ୍‌
ଆପଣ ବିଭିନ୍ନ ରକମର ଚା’ ତ ପିଇଛନ୍ତି। କିନ୍ତୁ କେବେ ଇରାନ୍‌ ଚା’ ପିଇଛନ୍ତି କି ? ଯଦି ପିଇନାହାନ୍ତି ଥରେ ଏହି ଇରାନ ଚା’ର ମଜା ନେବା ପାଇଁ ଫୁଡ୍‌ ଫେଷ୍ଟିଭାଲ୍‌କୁ ଆସନ୍ତୁ। ଏହି ପରିସରରେ ଉପଲବ୍ଧ ହେଉଥିବା ଚା’ରେ ସେଇ ଚା’ ପତି ପଡ଼ୁଛି, ହେଲେ ଖିର ବଦଳରେ ସେଥିରେ ମିଶୁଛି ଖୁଆ। ଖୁଆ ମିଶିବା ପରେ ତାହାର ବାସ୍ନାରେ ଆଖପାଖ ମହକି ଯାଉଛି। ସେହିଭଳି ଚିକେନ୍‌କୁ ବିୟର ମିଶାଇ ଏମିତି ଏକ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହେଉଛି ଯାହା ‌ଲୋକଙ୍କୁ ନିଶ୍ଚେ ନିଆରା ଟେଷ୍ଟ୍‌ ଦେବ। ଏଥିସହିତ ଉପଲବ୍ଧ ହେଉଥିବା ବୋଟି ମର୍‌ଟ୍ବାନ୍‌ କସ୍‌ତେ ନିଆରା ସ୍ବାଦ ଦେଉଛି। କବାବ ଓ ବିରିଆନିର ସ୍ବାଦକୁ ଏକାଠି କରି ଏହି ଡିସ୍‌ ପ୍ରସ୍ତୁତ କରାଯାଉଛି ବୋଲି ପ୍ରବୀଣ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର