ପିଇବା ପାଣିରେ ଏଫ୍‌ସିଆଇ କୀଟନାଶକ

ଖୋର୍ଦ୍ଧା: ଭାରତ ସରକାରଙ୍କ ଖାଦ୍ୟ ନିଗମ (ଏଫ୍‌ସିଆଇ) ଚାଷୀଙ୍କଠାରୁ ଧାନ, ଚାଉଳ, ଗହମ ଆଦି ସଂଗ୍ରହ କରି ଲୋକଙ୍କ ଖାଦ୍ୟ ଆବଶ୍ୟକତା ମେଣ୍ଟାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଜଟଣୀରେ ଥିବା ଏଫ୍‌ସିଆଇ ଗୋଦାମର କର୍ମକର୍ତ୍ତାଙ୍କ ଅପରିଣାମଦର୍ଶୀ କାର୍ଯ୍ୟ ଏବେ ଲୋକଙ୍କ ଜୀବନରେ ବିଷ ବୋଳି ଦେଇଛନ୍ତି। ଏହି କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏଫ୍‌ସିଆଇରେ ଥିବା ଶତାଧିକ କ୍ବିଣ୍ଟାଲ୍ ଓଜନର ଏକ୍ସପାଏରି କୀଟନାଶକ ଓ ରସାୟନକୁ ଖୋଲାରେ ଫିଙ୍ଗି ଦେବା ଫଳରେ ବର୍ଷାଜଳରେ ଏହା ଶତାଧିକ କୂଅ, ନଳକୂଅ ଆଦିର ଜଳକୁ ବିଷାକ୍ତ କରିଦେଇଛି।

ସୂଚନାନୁସାରେ, ମୌସୁମୀ ଯୋଗୁଁ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେଉଛି। ଜଟଣୀର ୧୧ ନମ୍ବର ୱାର୍ଡ଼ର ଲୋକମାନଙ୍କ ପାଇଁ ସବୁ ସାମାନ୍ୟ ରହିଥିଲା। କିନ୍ତୁ ଗତକାଲି ସେମାନେ ନିଜର ଘରେ ଥିବା କୂଅର ଜଳ ବ୍ୟବହାର କରିବା ପରେ ଦେହ, ମୁହଁ ହାତ ସବୁ ଲାଲ ହୋଇ ଫୁଲି ଯିବା ସହ ପ୍ରବଳ କୁଣ୍ତାଇ ହେଲା। ପ୍ରଥମେ ଏହାର କାରଣ କିଛି ଜାଣିପାରିନଥିଲେ। ପରେ ଆଖପାଖ ଇଲାକା ଅଜଣା ଦୁର୍ଗନ୍ଧରେ ଭରିଗଲା। ଏନେଇ ଅନୁସନ୍ଧାନ କରିବା ପରେ ଜାଣିଲେ ଯେ ନିକଟରେ ଥିବା ଏଫ୍‌ସିଆଇ ଗୋଦାମର ଶତାଧିକ କ୍ବିଣ୍ଟାଲ୍ ଓଜନର କୀଟନାଶକ, ରସାୟନ ସବୁ ଏକ ପରିତ୍ୟକ୍ତ ପଡ଼ିଆରେ ଜମା ହୋଇଛି। ବର୍ଷା ଜଳରେ ରସାୟନ ଗୁଡ଼ିକ ମିଶି ଆଖପାଖର କୂଅ ଓ ନଳକୂଅ ଜଳକୁ ବିଷାକ୍ତ କରିଦେଇଛି। ଏନେଇ ଏଫ୍‌ସିଆଇର ଗୋଦାମ ଇନ୍‌ଚାର୍ଜ କେଦାର ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏଫ୍‌ସିଆଇ ଗୋଦାମର ଏକ ସ୍ବତନ୍ତ୍ର ଗୃହରେ ସେହି କୀଟନାଶକ ଓ ଅନ୍ୟ ରସାୟନଗୁଡ଼ିକ ଗତ ୪୦ ବର୍ଷ ଧରି ରହିଥିଲା। ସେହି ଘରଟି ପୁରୁଣା ହୋଇଯିବାରୁ ବର୍ତ୍ତମାନ ନୂତନ ଗୋଦାମ ଗୃହ ନିର୍ମାଣ ପାଇଁ ଅନୁଦାନ ଆସିଛି। ଏଣୁ କୀଟନାଶକ ଓ ରସାୟନଗୁଡ଼ିକୁ ନେଇ ବାହାରେ ଏକ ଖାତରେ ପକାଇଦିଆଯାଇଥିଲା। ତେବେ ଲୋକଙ୍କ ଅଭିଯୋଗ ହେବା ପରେ ଏଫ୍‌ସିଆଇ ସଫେଇ କାର୍ଯ୍ୟରେ ନିଯୁକ୍ତ ଥିବା ଠିକା ସଂସ୍ଥା ସେଗୁଡ଼ିକୁ ପୁଣି ବାହାର କରି ଅନ୍ୟସ୍ଥାନରେ ପକାଇବାକୁ ଯୋଜନା କରାଯାଇଛି। ତେବେ ଏଫ୍‌ସିଆଇର ନିୟମାନୁସାରେ, ଏଭଳି କୀଟନାଶକ ଓ ରସାୟନକୁ ନଷ୍ଟ କରିବାକୁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସେଗୁଡ଼ିକୁ ଏଭଳି ଖୋଲାରେ ଫିଙ୍ଗିବା ଉପରେ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି। ଯଦି ଏଭଳି କରାଯାଏ ତେବେ ସମ୍ପୃକ୍ତ ଗୋଦାମ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ଦାୟୀ ରହିବେ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଘଟଣା ସମ୍ପର୍କରେ ଜଟଣୀ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତପନ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ଘଟଣାସ୍ଥଳ ପରିଦର୍ଶନ କରିଛି। ଆଖପାଖର ଲୋକଙ୍କୁ ବିଷାକ୍ତ କୂଅ ଓ ନଳକୂଅ ପାଣି ପିଇବାକୁ ବାରଣ କରାଯିବା ସହ ସେମାନଙ୍କ ନିମନ୍ତେ ଟ୍ୟାଙ୍କରରେ ଜଳ ଯୋଗାଇ ଦିଆଯାଇଛି। ଏହା ସହ ବିନାନୁମତିରେ ଏଭଳି ବିଷାକ୍ତ ସାମଗ୍ରୀ ଜମା କରିଥିବାରୁ ଏଫ୍‌ସିଆଇକୁ ନୋଟିସ୍‌ ଜାରି କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର