କୁକୁର ପାଇଁ ହାତାହାତି: ଦୁଇ ଆହତ, ଉତ୍ତେଜନା

ସିସିଟିଭି ଫୁଟେଜ୍‌ ଜବତ ଥାନାରେ ଉଭୟ ପକ୍ଷର ଅଭିଯୋଗ

ଭୁବନେଶ୍ବର: ଲିଫ୍ଟରେ କୁକୁର ନେବାକୁ କେନ୍ଦ୍ରକରି ଝାରପଡ଼ା ବାଲାଜୀ ଆପାର୍ଟମେଣ୍ଟରେ ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ଏହାକୁ ନେଇ ଆପାର୍ଟମେଣ୍ଟରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ଗତକାଲି ସନ୍ଧ୍ୟାରୁ ଚାପା ଉତ୍ତେଜନା ଲାଗି ରହିଛି। ଲକ୍ଷ୍ମୀସାଗର ଥାନାରେ ଉଭୟ ପକ୍ଷ ଅଭିଯୋଗ କରିବା ପରେ ଦୁଇଟି ମାମଲା ରୁଜୁ ହୋଇଛି। ଲିଫ୍ଟ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ପୁଲିସ ତଦନ୍ତ ଚଳାଇଛି।

ଆପାର୍ଟମେଣ୍ଟ ଅନ୍ତେବାସୀ ଅମିତ ହଂସ ପ୍ରଥମେ ସୋସାଇଟି ସମ୍ପାଦକ ସନ୍ତୋଷ ତ୍ରିପାଠୀ ଓ କୋଷାଧ୍ୟକ୍ଷଙ୍କ ନାଁରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଅମିତଙ୍କ ନାବାଳିକା ଝିଅ ଓ ପୁତୁରା କୁକୁରକୁ ଆପାର୍ଟମେଣ୍ଟ ତଳକୁ ବୁଲାଇବା ପାଇଁ ଆଣିଥିଲେ। ଆପାର୍ଟମେଣ୍ଟରେ କୁକୁର ଓ ପୋଷା ଜୀବଙ୍କୁ ନେବା ଆଣିବା କରିବା ଲାଗି ଏକ ଛୋଟ ଲିଫ୍ଟ ରହିଛି। ସେହି ଲିଫ୍ଟରେ ନେବାକୁ ଯାଉଥିବା ସମୟରେ ଜଣେ ବୟସ୍କ ସହାୟକ ଯାଉଥିଲେ। ତେଣୁ ସେମାନେ ସେହି ଲିଫ୍ଟରେ ନ ଯାଇ ସାଧାରଣ ଲୋକଙ୍କ ଲାଗି ଉଦ୍ଦିଷ୍ଟ ଲିଫ୍ଟ ନିକଟକୁ ଆସିଥିଲେ। ଆପାର୍ଟମେଣ୍ଟ ସୋସାଇଟି ସମ୍ପାଦକ ସନ୍ତୋଷ ଉକ୍ତ ଲିଫ୍ଟରେ ନ ଯିବା ଲାଗି ବାରଣ କରିଥିଲେ। ଅମିତଙ୍କ ଝିଅ ଅନୁରୋଧ କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଝିଅ ଏ କଥା ଜଣାଇବା ପରେ ଅମିତ, ତାଙ୍କ ପତ୍ନୀ ଓ ପରିବାର ଲୋକ ସନ୍ତୋଷଙ୍କୁ ପଚାରିବାରୁ ସେ ହେଲମେଟରେ ମାରି ଅମିତଙ୍କ ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ସନ୍ତୋଷ କହିଛନ୍ତି ଅମିତ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଗତକାଲି ଅମିତଙ୍କ ଝିଅ ଓ ଅନ୍ୟ ଜଣେ କୁକୁରକୁ ଲିଫ୍ଟରେ ନେବା ପାଇଁ ଛିଡ଼ା ହୋଇଥିଲେ। ତାଙ୍କୁ ମନା କରିବାରୁ ସେମାନେ ଜିଦ୍ ଧରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହେବାରୁ ଅମିତ ଓ ତାଙ୍କ ପରିବାର ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସେ ଆହତ ହୋଇଛନ୍ତି। ଅମିତ ଓ ତାଙ୍କ ପରିବାର ଲୋକ ବାରମ୍ବାର ସୋସାଇଟି ନିୟମ ଭାଙ୍ଗୁଛନ୍ତି। ଯାହା ଫଳରେ ଲୋକମାନେ ଅସୁବିଧା ଭୋଗୁଛନ୍ତି। ଦୁଇ ପକ୍ଷର ଅଭିଯୋଗ ଆଧାରରେ ଦୁଇଟି ମାମଲା ରୁଜୁ ହୋଇଛି ବୋଲି ଲକ୍ଷ୍ମୀସାଗର ଥାନାର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର