ଉତ୍ତରା ଛକରେ ବୁଲିଲା ଖଣ୍ଡା

ଧଉଳି: ଭୁବନେଶ୍ବର –ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଉତ୍ତରାଛକ କଳିଙ୍ଗ ଢାବା ନିକଟରେ ଆଜି ଅପରାହ୍‌ଣ ପ୍ରାୟ ୩ଟା ସମୟରେ ୩ ଜଣ ଯୁବକ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ। ସେଠାରେ ଠିଆ ହୋଇ କଥା ହେଉଥିବା ଧଉଳି ଥାନା ଅଞ୍ଚଳର ଅନ୍ୟ ୩ଜଣ ଯୁବକଙ୍କୁ ଖଣ୍ଡାରେ ହାଣିବା ପାଇଁ ଗୋଡ଼ାଇ ଥିଲେ। ଏଥିରେ ଧଉଳି ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ସନ୍ତୋଷ ଗୋଚ୍ଛାୟତ ଓ ଚନ୍ଦନ ବେହେରା ଆହତ ହୋଇଥିବା ଅଭିଯୋଗ ହୋଇଛି। ଧଉଳି ଥାନା ପୁଲିସ ଉଭୟ ଚନ୍ଦନ ଓ ସନ୍ତୋଷଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଛି। ଆକ୍ରମଣକାରୀ ୩ ଜଣଙ୍କ ମଧ୍ୟରୁ ଫାଣ୍ଟା ଜାତୀୟରାଜପଥ ଉପରେ ଖଣ୍ଡା ବୁଲାଇ ବିରୋଧୀ ଗୋଷ୍ଠୀର ଏହି ଯୁବକଙ୍କୁ ଆକ୍ରମଣ କରିଥିବା ନେଇ ଏତଲାରେ ଦର୍ଶାଯାଇଛି। ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ଅପରାହ୍‌ଣରେ ପୁଣି ସେମାନେ ମୁହାଁମୁହିଁ ହୋଇଥିଲେ। ଦୁଇଗୋଷ୍ଠୀର ଯୁବକମାନେ ଫାଇନାନ୍ସ ସଂସ୍ଥାର ଅନୁଗତ ବୋଲି ଜଣାପଡ଼ିଛି। ପୁରୀ – କଟକ ବାଇପାସ ଜାତୀୟ ରାଜପଥ ସହିତ ଧଉଳି ଥାନା ଓ ବରଗଡ଼ ଥାନା ସୀମା ଅନ୍ତର୍ଗତ ସାଇମନ୍ଦିର ରାସ୍ତା ଓ ଉତ୍ତରାଛକ ଅଞ୍ଚଳ ଫାଇନାନ୍ସ ସଂସ୍ଥାର ପୋଷା ଗୁଣ୍ଡାମାନଙ୍କ କବ୍‌ଜାରେ ରହିଛି। ଟଙ୍କା ଖିଲାପକାରୀ ଗାଡ଼ି ମାଲିକମାନଙ୍କୁ ମାଡ଼ମାରି ତାଙ୍କ ବାଇକ ଓ ଗାଡ଼ି ଛଡ଼ାଇ ନେଉଛନ୍ତି। ପୁଲିସ ଏସବୁ ଜାଣି ସୁଦ୍ଧା ସେମାନଙ୍କୁ ଗିରଫ କରୁନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଦିଗରେ ପୁଲିସ କମିସନର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର