ଖଣ୍ଡଗିରି ଯାତ୍ରା, ଆଜି ସାମିଲ୍ ହେବ ଶିବାନୀ

ଭୁବନେଶ୍ବର: ଗୌର ଦାସ ବଖାଣିଛି କାହାର ଦୋଷ। ଗୌରୀ ନାନୀ କହିଛି ତା’ର ନୂଆ ଠିକଣା। ଗୋଟେ ଗାଁ ଜଗନ୍ନାଥ ଆଉ ଗୋଟେ ଗାଁ ଆଲ୍ଲାଙ୍କ କଥାର ଅବତାରଣା ବି ହୋଇଛି। ହସ-କାନ୍ଦ-ପ୍ରେମ-‌କମେଡ଼ିର ସମାହାରର ମନୋରଂଜନ ପେଡ଼ି ଧରି ଆଜି ଖଣ୍ଡଗିରି ଯାତ୍ରା ମଇଦାନକୁ ଓହ୍ଲାଇଥିଲେ ୩ ଯାତ୍ରା ଦଳ। ମହତାବ ପେଣ୍ଡାଲ୍‌ରେ ମଂଚସ୍ଥ ଚର୍ଚ୍ଚିତ ନାଟକ ‘ଆମ ଗାଁ ଜଗନ୍ନାଥ, ତୁମ ଗାଁ ଆଲ୍ଲା’ ପ୍ରଥମ ଦିନରୁ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିଛି। ଗଙ୍ଗାଧରଙ୍କ ନୃତ୍ୟ ସଂଯୋଜନାରେ ସର୍କସ ମିଶା ମେଲୋଡ଼ି ବି ଦର୍ଶକଙ୍କ ମନ କିଣିନେଇଛି। ପ୍ରତାପଙ୍କ ସଂଳାପ ଏବଂ ରବି ଶତପଥୀଙ୍କ କମେଡ଼ି ଛୁଙ୍କରେ ବିଭୋର ହୋଇଛନ୍ତି ଦର୍ଶକ। ପ୍ରଥମ ଦିନ ହୋଇଥିଲେ ହେଁ ମେଳା ବୁଲିବା ସହ ଯାତ୍ରା ଦେଖିବା ପାଇଁ ଆଜି ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ମଧ୍ୟ ଏହି ନାଟକ ମଂଚସ୍ଥ ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୃ‌ଷ୍ଣଚନ୍ଦ୍ର ଜେନା, ନୃସିଂହ ପ୍ରସାଦ ସୁନ୍ଦରାୟ ସୂଚନା ଦେଇଛନ୍ତି। କଳିଙ୍ଗ ପେଣ୍ଡାଲ୍‌ରେ ପ୍ରଥମ ପର୍ଯ୍ୟାୟ ଯାତ୍ରା ପରିବେଷଣ କରିଛି ଗୌରୀ ଗଣନାଟ୍ୟ। ଗୌରୀ ନାନୀର ନୂଆ ଠିକଣା’ ଭଳି ନୂଆ ନାଟକ ନାରୀ କେନ୍ଦ୍ରିକ ହୋଇଥିବା ବେଳେ କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ସେହିପରି କହ ‘ଗୌର ଦାସ କାହାର ଦୋଷ’ ନାଟକ ନେଇ ମଂଚକୁ ଓହ୍ଲାଇ ବହୁ ପ୍ରଶଂସା ସାଉଁଟିଛି ଧଉଳି ଗଣନାଟ୍ୟ। ଗୌର ଦାସଙ୍କ ଅଭିନୟ ମନ ଜିଣିଥିବା ବେଳେ ଭିକୁ ସେଠ୍‌ ଓରଫ୍‌ ମହେନ୍ଦ୍ର ଦାସଙ୍କ ଖଳନାୟକ ଚରିତ୍ର ଦର୍ଶକଙ୍କୁ ବାନ୍ଧି ରଖିଛି। ଏଥିସହ ଚଳିତ ବର୍ଷ ସ୍ଥାନ ବଦଳାଇଛି ବାରଭୂଜା ସାଂସ୍କୃତିକ ପରିଷଦ। ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଶିବାନୀ ଗଣନାଟ୍ୟ ‘ରଜନୀ ସଜନୀ ରାତି ପାହିଲା’ ନାଟକ ନେଇ ମଂଚକୁ ଓହ୍ଲାଇବ ବୋଲି ସୂଚନା ମିଳିଛି।

ଆଜିର ନାଟକ
ମହତାବ —— ଆମ ଗାଁ ଜଗନ୍ନାଥ, ତୁମ ଗାଁ ଆଲ୍ଲା ପେଣ୍ଡାଲ୍ (ରଚନା: ଅରୁଣ ବାରିକ, ନିର୍ଦେଶନା: ତାପସ ସ୍ବାଇଁ)
କଳିଙ୍ଗ ——- ଗୌରୀ ନାନୀର ନୂଆ ଠିକଣା ପେଣ୍ଡାଲ୍ ପଡ଼ିଆ (ରଚନା/ ନିର୍ଦେଶନା: ହର ବାରିକ
ଘାଟିକିଆ —— କହ ଗୌର ଦାସ, କାହାର ଦୋଷ ପେଣ୍ଡାଲ୍ (ରଚନା-ଦୀପକ ଜେନା, ନିର୍ଦେଶନା- ଗୁରୁପ୍ରସାଦ ମିଶ୍ର
ବରମୁଣ୍ଡା
ଖେଳ ପଡ଼ିଆ — ରଜନୀ ସଜନୀ ରାତି ପାହିଲା

ସମ୍ବନ୍ଧିତ ଖବର