ରାଜଧାନୀରେ କାଷ୍ଟିଂ କାଉଚ : ପ୍ରଯୋଜକ ଗିରଫ

ଭୁବନେଶ୍ବର : ଓଲିଉଡକୁ ପୁଣି ଫେରିଲା କାଷ୍ଟିଂକାଉଚ। କାଷ୍ଟିଂ କାଉଚ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ପ୍ରଯୋଜକଙ୍କୁ ଗିରଫ କରିଛି। ତା ନାଁ ଅବିନାଶ ଓରଫ୍ ଜେଡି ରାଉତ। ଘର କେନ୍ଦୁଝରରେ। ତା’ର ସହିଦନଗର ଅଞ୍ଚଳରେ ଏକ ଫିଲ୍ମ ଇନଷ୍ଟିଚ୍ୟୁଟ ରହିଛି। ଅଭିଯୁକ୍ତ ଜେଡି କଟକରେ ରହୁଥିବା ଜଣେ ମଡେଲଙ୍କୁ ବୋଲ୍‌ଡ ସିନ ଦେବା ନାଁରେ ଷ୍ଟୁଡିଓ ଭିତରେ ଅସଦାଚାରଣ କରିଥିଲା। ଏ ନେଇ ସମ୍ପୃକ୍ତା ମଡେଲ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜେଡିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜେଡି ଏଭଳି ଆଉ କିଛି ଘଟଣାରେ ସଂପୃକ୍ତ ଅଛି କିମ୍ବା ନାହିଁ ପୁଲିସ ସେ ନେଇ ଖୋଳତାଡ଼ ଚଳାଇଛି। ଏହି ଘଟଣା ଏବେ ରାଜଧାନୀରେ ଚର୍ଚ୍ଚାର ବି‌ଷୟ ହୋଇଛି।

ନେଟଫ୍ଲିକ୍ସ ପରି ବଡ଼ ସଂସ୍ଥା ସହ କାମ କରିଥିବା କହି ମଡେଲଙ୍କ ବିଶ୍ୱାସ ଜମାଇଥିଲେ। ଦିନକୁ କାମ ବାବଦକୁ ୧୦ ହଜାର ଦିଆଯିବ ବୋଲି କହିଥିଲେ। କେବଳ ଏତିକି ନୁହେଁ ୱେବସିରିଜ ସହ ବଲିଉଡରେ ମଧ୍ୟ କାମ କରିବାର ସୁଯୋଗ ମିଳିବ। ହେଲେ ପ୍ରତିବଦଳରେ ପ୍ରଯୋଜକଙ୍କୁ ଖୁସ୍ କରିବା ପାଇଁ ପଡ଼ିବ ବୋଲି ପ୍ରଯୋଜକ ଜେଡି ରାଉତ ମଡେଲଙ୍କୁ କହିଥିଲେ। ଏହାସହ କେବଳ ବୋଲ୍‌ଡ ସିନ ଦେଲେ ହେବନି, ବରଂ ଗ୍ଲାମର ଲାଇନରେ ପାଦ ରଖିବାକୁ ହେଲେ ଉଲଗ୍ନ ହୋଇ ରୢାମ୍ପରେ ଚାଲିବାକୁ ପଡ଼ିବ। ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ ପାଇଁ ସୁଯୋଗ ଦେବେ ବୋଲି ଜେଡି ତାଙ୍କୁ ପ୍ରଲୋଭନ ଦେଖାଇଥିଲେ। ଏମିତିକି ତାଙ୍କର ସହିଦନଗରରେ ଏକ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ ରହିଛି ବୋଲି କହିଥିଲେ। କେବଳ ସେତିକି ନୁହେଁ, ସେ ବାଧ୍ୟ କରି ଯୁବତୀଙ୍କ ଅଶ୍ଳିଳ ଫଟୋ ଉଠାଇଥିଲେ। ତେବେ ଦିନକୁ ଦିନ ମାନସିକ ନିର୍ଯାତନା ଅସହ୍ୟ ହୋଇ ପଡ଼ିବାରୁ ବାଧ୍ୟ ହୋଇ ଯୁବତୀ ଜଣକ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର