ଲୁପ୍ତପ୍ରାୟ ଲୋକକଳାର ୪୬ତମ ସନ୍ଧ୍ୟା

ମଞ୍ଚସ୍ଥ ହେଲା ପୁଷ୍ପଚନ୍ଦନ ପାଲା

ଭୁବନେଶ୍ୱର : ଯେତେବେଳେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏତେ ଅଧିକ ବିକାଶିତ ହୋଇ ନଥିଲା ସେତେବେଳେ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା ପାଲା ଓ ନାଟ ଆଦି ଲୋକକଳା। ଧୀରେଧୀରେ ଏହି ସବୁ ଲୋକକଳା ଲୁପ୍ତ ହେବାକୁ ବସିଥିବା ବେଳେ ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନ୍‌ ମିଳିତ ସହଯୋଗରେ ଆୟୋଜିତ ‘ଲୁପ୍ତପ୍ରାୟ ଲୋକକଳା’ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ବଞ୍ଚେଇ ରଖିବାକୁ ପ୍ରୟାସ କରାଯାଉଛି। ଆଜି ଭାରତୀୟ ବିଦ୍ୟାଭବନ ପରିସରରେ ଏହାର ୪୬ତମ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ‘ଲଳିତା’ ଓ ‘ପୁଷ୍ପଚନ୍ଦନ’। ପଶ୍ଚିମବଙ୍ଗର ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆ ଭାଷାଭାଷୀ ଲୋକଙ୍କର ଏହି ପାଲା ପରିବେଷଣ ବେଶ୍‌ ନିଆରା। ଏଥିରେ ସଂଗୀତ, ନୃତ୍ୟ ଓ ସଂଳାପ ସହ ବିଭିନ୍ନ ଚରିତ୍ର ଦେଖିବାକୁ ମିଳିଥାଏ। ବାଲିଡିଙ୍ଗିରି ଗ୍ରାମର ‘ମା’ ସାତ ଭଉଣୀ ସୃଷ୍ଟି ମଙ୍ଗଳ ସଂସ୍ଥା’ ପକ୍ଷରୁ ଏହି ପାଲା ପରିବେଷିତ ହୋଇଥିଲା। ସଂସ୍ଥାର ମୁଖ୍ୟ ଉପଦେଷ୍ଟା ସୁବଳ ନାୟକଙ୍କ ନେତୃତ୍ୱରେ ୧୫ଜଣ କଳାକାର ଏହା ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଭାରତୀୟ ବିଦ୍ୟାଭବନର ଅଧ୍ୟକ୍ଷ ବି କେ ମହାପାତ୍ର, ମହାନିର୍ଦ୍ଦେଶକ ଏସ୍‌ କେ ତାମୋଟିଆ ଓ ଅର୍ଥ ନିର୍ଦ୍ଦେଶକ ପି.କେ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ମଥ କୁମାର ଶତପଥୀ ଶେଷରେ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର