ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର: ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ବିଡିଏ ପକ୍ଷରୁ ବ୍ୟାପକ ଜବରଦଖଲ ଉଚ୍ଛେଦ କରାଯାଇଛି। ବସ୍‌ଷ୍ଟାଣ୍ଡର ପ୍ରବେଶ ପଥ ଓ ନୂଆ ପାର୍କିଂ ପାଇଁ ଚିହ୍ନଟ ହୋଇଥିବା ଜାଗାକୁ ଗମନାଗମନ ସୁବିଧା କରାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଜବରଦଖଲସ୍ଥଳରୁ ୫ଟି ଦୋକାନ ଓ ୫୦ ଫୁଟ୍‌ ଲମ୍ବର ଏକ ପାଚେରିକୁ ହଟାଇ ଦିଆଯାଇଛି। ଫଳରେ ପ୍ରାୟ ୬୦୦ ବର୍ଗଫୁଟ୍‌ରୁ ଅଧିକ ଜାଗାକୁ ଜବରଦଖଲ ମୁକ୍ତ କରାଯାଇପାରିଛି। ଆଜି ଦିନ ପ୍ରାୟ ୧୧ଟା ୪୫ରୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ କାର୍ଯ୍ୟକ୍ରମ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଦେଢ଼ ମାସ ତଳୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ନୋଟିସ୍ ଦିଆଯାଇଥିବାରୁ ଆଜି ଉଚ୍ଛେଦବେଳେ କୌଣସି ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇନଥିଲା। ଏହି କାର୍ଯ୍ୟକ୍ରମରେ ବିଡିଏକୁ ସହଯୋଗ କରିବା ପାଇଁ ଭରତପୁର ଥାନା ପୁଲିସ ଓ ଏକ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ର ନବୀକରଣ କାର୍ଯ୍ୟ ଚାଲୁଥିବାରୁ ପରିସରରେ ପ୍ରାୟ ୬୦ ପ୍ରତିଶତରୁ ଅଧିକ ଜାଗାରେ କାମ ଚାଲୁଛି। ଗାଡ଼ି ରହିବା ପାଇଁ ଓୟୁଏଟି ଫାର୍ମର କିଛି ଅଂଶକୁ ପାର୍କିଂ ପାଇଁ ଦିଆଯାଇଛି।

ସମ୍ବନ୍ଧିତ ଖବର