ରାଜଭବନ ସମ୍ମୁଖରେ ଫରୱାର୍ଡ ବ୍ଲକ୍‌ର ବିକ୍ଷୋଭ

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ବର୍ଦ୍ଧିତ ଦର ପ୍ରତ୍ୟାହାର, ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରବୃଦ୍ଧି ନିୟନ୍ତ୍ରଣ, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବନ୍ଦ କରିବା, କୋଭିଡ୍‌ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ, ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷର ସୁରକ୍ଷା କରିବା, କୃଷି ଓ କୃଷକ ବିରୋଧୀ ତିନିଗୋଟି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ବାତିଲ, ସମସ୍ତଙ୍କୁ ମାଗଣା କୋଭିଡ୍‌ ଟିକା ପ୍ରଦାନ, ରାଫେଲ ଓ ପେଗାସେସ୍‌ ଘଟଣାର ତଦନ୍ତ ଦାବିରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ତରଫରୁ ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା, ବିଜେପି କ୍ଷମତାକୁ ଆସିବା ପରେ ବିଭିନ୍ନ ଜନବିରୋଧୀ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିଷହ କରିସାରିଲାଣି। ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ସମେତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍‌ ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ତ କ୍ଷେତ୍ରରେ ବିଫଳ ମୋଦି ସରକାର ଶାସନ କ୍ଷମତାରେ ରହିବାର ନୈତିକତା ହରାଇ ସାରିଲାଣି ବୋଲି ଦଳ ଅଭିଯୋଗ କରିଥିଲା। ପରେ ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲା।

ଦଳର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ସର୍ବେଶ୍ୱର ମିଶ୍ର, ଜିତେନ୍ଦ୍ରୀୟ ବେହେରା, ରାଜୀବ ଖାଡ଼ଙ୍ଗା, ନାରାୟଣ ଡାଳୁଆ, ସୁଶୀଲ ଥାନପତି, ସୋମନାଥ ଖିଲ, ବେଣୁଧର ହରିଚନ୍ଦନ, ଆଲୋକ ମହାପାତ୍ର, ମୁନା ନାୟକ, ମହିଳା ନେତ୍ରୀ ମଧୁଛନ୍ଦା ପଟ୍ଟନାୟକ, ବନଲତା ବେହେରା, ଭାନୁମତୀ କାଣ୍ଡି ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର