ଆବର୍ଜନାମୟ ୟୁନିଟ୍‌-୧ ଖେଳପଡ଼ିଆ: ହାଟ ଉଠିଲା, ଅଳିଆ ଉଠିଲାନି

ଭୁବନେଶ୍ବର: ୟୁନିଟ୍‌-୧ ଖେଳପଡ଼ିଆରେ ଚାରିଆଡ଼େ ପଡ଼ିଛି ଅଳିଆ ଆବର୍ଜନା। ଆବର୍ଜନାମୟ ହୋଇପଡ଼ିଥିବାରୁ ଏହା ଆଉ ଖେଳପଡ଼ିଆ ଉପଯୋଗୀ ହୋଇ ରହିନାହିଁ। ନା ନିକଟସ୍ଥ ବିଦ୍ୟାଳୟ ଛାତ୍ରଛାତ୍ରୀ ସେଠାରେ ଖେଳି ପାରୁଛନ୍ତି ନା ସ୍ଥାନୀୟ ବରିଷ୍ଠ ନାଗରିକମାନେ ସେଠାରେ ସକାଳେ ସନ୍ଧ୍ୟାରେ ଚଲାବୁଲା କରିପାରୁଛନ୍ତି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ବେଳେ ଏଠାରେ ଅସ୍ଥାୟୀଭାବେ ବସିଥିବା ହାଟ ଉଠିଯିବା ପରେ ଏହି ପଡ଼ିଆର ଅବସ୍ଥା ଏମିତି ଦୟନୀୟ ହୋଇ ରହିଛି। ବିଏମ୍‌ସି ପକ୍ଷରୁ ସଫେଇ ଓ ମରାମତି କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

କରୋନା କଟକଣା ସମୟରେ କ୍ୟାପିଟାଲ ହାଟକୁ ଏହି ଖେଳପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ଗ୍ରାହକଙ୍କ ଭିତରେ ସାମାଜିକ ଦୂରତା ରକ୍ଷା ପାଇଁ ବଡ଼ ଜାଗା ଆବଶ୍ୟକ ହେତୁ ଏହି ପଡ଼ିଆକୁ ଅସ୍ଥାୟୀ ହାଟ କରାଯାଇଥିଲା। ଲକ୍‌ଡାଉନ୍ ଜାରି ରହିଥିବା ପର୍ଯ୍ୟନ୍ତ ଦୀର୍ଘ ୮ ମାସ ଧରି ଏହି ପଡ଼ିଆରେ ହାଟ ଚାଲିଲା। ତେଣୁ ଗ୍ରାହକଙ୍କ ଯା’ଆସ ଯୋଗୁଁ ପଡ଼ିଆ ଖାଲଖମା ହେଲା ଓ ହାଟର ବର୍ଜ୍ୟବସ୍ତୁ ସବୁ ଏଣେତେଣେ ଜମା ହୋଇ ରହିଲା। ପରେ କରୋନା କଟକଣା କୋହଳ ହେଲା ଓ ହାଟ ପୁରୁଣା ସ୍ଥାନକୁ ଫେରିଗଲା। ମାତ୍ର ଏହି ଖେଳପଡ଼ିଆରୁ ଅଳିଆ ହଟିଲା ନାହିଁ। ସେହିଭଳି ଖାଲଖମା ହୋଇଥିବା ଜାଗାକୁ ମାଟି ପକାଇ ପୋତାଗଲା ନାହିଁ। ଏବେ ବି ଏହି ଖେଳପଡ଼ିଆ ସେମିତି ଆବର୍ଜନାମୟ ହୋଇ ରହିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ୮ ମାସ ଧରି ଏହି ଖେଳପଡ଼ିଆରେ ହାଟ ଚାଲିଲା। ଗତ ଡିସେମ୍ବରରେ ହାଟ ପୁଣି ଏକ ନମ୍ବର ମାର୍କେଟ୍‌କୁ ଉଠି ଯାଇଥିଲା। ଏହା ଭିତରେ ଦୁଇ ମାସ ବିତି ଯାଇଥିଲେ ହେଁ ବିଏମ୍‌ସି ପଡ଼ିଆ ସଫେଇ କରିବା ନାଁ ଧରୁନାହିଁ। ପଡ଼ିଆରେ ଜମି ରହିଥିବା ଆବର୍ଜନା‌ ଉଠାଇ ନିଆଯାଉନାହିଁ। ଫଳରେ ନିକଟସ୍ଥ ସ୍କୁଲ ପିଲାମାନେ ଏହି ପଡ଼ିଆରେ ଖେଳକୁଦ କି ନାଚଗୀତ କରିପାରୁନାହାନ୍ତି। ଅପରିଷ୍କାର ପରିବେଶକୁ ଦେଖି ଛାତ୍ରଛାତ୍ରୀମାନେ ପଡ଼ିଆକୁ ଯିବାକୁ ନାକ ଟେକୁଛନ୍ତି।

ସୂଚନାଯୋଗ୍ୟ ରାଜଧାନୀ ଯୁବକ ସଂଘ (କ୍ୟାପିଟାଲ ୟୁଥ୍‌ ଆଣ୍ଡ ସ୍ପୋର୍ଟସ ସଙ୍ଘ) ପକ୍ଷରୁ ଦୀର୍ଘ ୨୨ ବର୍ଷ ହେଲା ଏହି ପଡ଼ିଆରେ ଟୁର୍ଣ୍ଣାମେଣ୍ଟ ହୋଇ ଆସୁଛି। ସକାଳେ ଓ ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଯୋଗ ବ୍ୟାୟାମ କରୁଛନ୍ତି। କିନ୍ତୁ ଏବେ କେବଳ ଆବର୍ଜନା ଜମି ରହିବା ଓ ଖାଲକମା କାରଣରୁ ସବୁ ବନ୍ଦ ହୋଇଯାଇଛି। ଯୁବକ ସଂଘ ପକ୍ଷରୁ ବିଏମ୍‌ସିକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସମାଧାନ କରାଯାଇନାହିଁ। ରାଜଧାନୀ ଯୁବକ ସଂଘର ସଭାପତି ଜ୍ୟୋତିରଂଜନ ସ୍ୱାଇଁ କହିଛନ୍ତି ଯେ ବିଏମ୍‌ସି ପ୍ରଶାସନକୁ ଚିଠି କରିଛୁ ଓ ଆଶା କରୁଛୁ ଖୁବ୍‌ ଶୀଘ୍ର ପଡ଼ିଆର ପୁରୁଣା ଅବସ୍ଥା ଫେରାଇ ଆଣିବାରେ ବିଏମ୍‌ସି ତତ୍ପରତା ପ୍ରଦର୍ଶନ କରିବ।

ସମ୍ବନ୍ଧିତ ଖବର