ନାଟକରେ ଜର୍ମାନୀ କଳାକାରଙ୍କ ପରିବେଶ ସୁରକ୍ଷା ବାର୍ତା

ଭୁବନେଶ୍ୱର : ନାଟକରେ ଜର୍ମାନୀ କଳାକାର ଦେଇଛନ୍ତି ପରିବେଶ ସୁରକ୍ଷାର ବାର୍ତା। କିପରି ପରିବେଶକୁ ରକ୍ଷା କରାଯାଇ ପୃଥିବୀକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖାଯାଇପାରିବ ତାକୁ ନେଇ ଏହି ନାଟକ ପରିବେଷିତ ହୋଇଥିଲା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ। ଥିଏଟର୍‌ ଓ ନୃତ୍ୟ ପ୍ରଯୋଜନା କରୁଥିବା ଜର୍ମାନୀର କୋଲୋଗ୍ନି ଗ୍ରୁପ୍‌ ଏଭଳି ଅଭିନବ ପ୍ରୟାସ କରିଥିଲେ। ଯାହା ଉପସ୍ଥିତ ଛାତ୍ରଛାତ୍ରୀ ଓ ଦର୍ଶକଙ୍କୁ ଅଭିଭୂତ କରିଥିଲା। ଏକ ଘଣ୍ଟା ଅବଧିର ଏହି ନାଟକରୁ ପିଲାମାନେ ଅନେକ ଶିକ୍ଷା ଲାଭ କରିଥିଲେ। ନାଟକର ନାମ ଥିଲା ‘ଟ୍ରାସ୍‌ଡେ’। ଏହା ସମସ୍ତଙ୍କ ପାଇଁ ପ୍ରବେଶ ମୁକ୍ତ ଥିଲା।

ଗୋଇଥି ଅନୁଷ୍ଠାନ, ମ୍ୟାକ୍ସ ମୁଲାର୍‌ ଭବନ କୋଲକାତାର ସହଯୋଗରେ ଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟତଃ ଗୋଇଥି ଅନୁଷ୍ଠାନ ବିଶ୍ୱରେ ୧୫୯ରୁ ଊର୍ଦ୍ଧ୍ୱ ଅନୁଷ୍ଠାନରେ ଜର୍ମାନୀ ଭାଷା ଶିକ୍ଷାଦାନ କରୁଛି। ବିଶେଷକରି ନାଟକ ମାଧ୍ୟମରେ ଜର୍ମାନୀ ଓ ଭାରତ ମଧ୍ୟରେ ସାଂସ୍କୃତିକ ଭାବବିନିମୟ କାର୍ଯ୍ୟକ୍ରମ ଜାରି ରଖିଛି। ସେହି ଅନୁସାରେ ଏଠାରେ ପରିବେଶ ସଚେତନତାର ବାର୍ତା ନେଇ ଏହି ନାଟକ ଆଜି ସଂଧ୍ୟାରେ ପ୍ରଦର୍ଶିତ ହୋଇଥିଲା। ଯାହାକୁ କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର