ଟ୍ରାଫିକ୍‌ ଚଢ଼ଉ ପାଇଁ ସଜବାଜ: ଦିନକରେ ୧୫୨ ଲାଇସେନ୍ସ ବାତିଲ, ଚଢ଼ଉ ପାଇଁ ପୁଲିସ, ଆର୍‌ଟିଓ ପ୍ରସ୍ତୁତ

୩ ମଦ୍ୟପ ଚାଳକ ଗିରଫ, ଡବଲ ହେଲ୍‌ମେଟ୍‌ ଏନ୍‌ଫୋର୍ସମେଣ୍ଟ ଅବଗଣନା

ଭୁବନେଶ୍ବର: ବାଇକ୍‌ରେ ବସିଥିବା ଦୁଇଜଣଙ୍କ ମୁଣ୍ଡରେ ହେଲ୍‌ମେଟ୍‌ ନଥିଲେ କାର୍ଯ୍ୟାନୁଷ୍ଠାନ ହେବ। ୨୦୨୧ ଜାନୁଆରି ୧ ତାରିଖରୁ ଏହି ଆଇନ କଡ଼ାକଡ଼ି ଲାଗୁ କରାଯିବ। ଏଥିପାଇଁ ଆଉ ୮ ଦିନ ବାକି ଅଛି। ତେଣୁ ଏବେଠାରୁ ଉଭୟ ଆର୍‌ଟିଓ ଓ କମିସନରେଟ୍‌ ପୁଲିସ ପ୍ରସ୍ତୁତ ହେବାରେ ଲାଗି ପଡ଼ିଛନ୍ତି। ବାଇକ୍‌ରେ ଥିବା ଦୁଇଜଣଙ୍କୁ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ସଚେତନତା ସୃଷ୍ଟି କରାଯାଉଥିବା ବେଳେ କିଛି ଟ୍ରାଫିକ୍‌ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତରାତିରେ ଆର୍‌ଟିଓ(୨) ପକ୍ଷରୁ ଚଢ଼ଉ କରାଯାଇ ୩ଜଣ ମଦୁଆ ଚାଳକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପି କାମରାଜ ରେଡ୍ଡୀ, ଧନବଳ ମାଝୀ ଓ ମୋହନ ଲେଙ୍କା। ଡମଣା ଛକରେ ବ୍ରେଦ୍‌ ଆନାଲାଇଜର ଜରିଆରେ ଚେକିଂ ଚାଲିଥିବା ବେଳେ ଏମାନେ ମଦ୍ୟପାନ କରିଥିବା ଜଣାପଡ଼ିଥିଲା। ଏଣୁ ସେମାନଙ୍କୁ ଗିରଫ କରିବା ପାଇଁ ଚନ୍ଦ୍ରଶେଖରପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା ବୋଲି ଆରଟିଓ(୨)ଅଧିକାରୀ ବିରଞ୍ଚି ଅଧିକାରୀ କହିଛନ୍ତି। ସେମାନଙ୍କ ନାମରେ ୪୫ ହଜାର ଟଙ୍କାର ଜରିମାନା ଚାଲାଣ ମଧ୍ୟ କଟା ଯାଇଛି।

ଟ୍ରାଫିକ୍‌ ପୁଲିସ ମଧ୍ୟ ଜାନୁଆରି ୧ ତାରିଖଠାରୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛି। ଗାଡ଼ି ଯାଞ୍ଚ କରିବା ପାଇଁ ୨୪ଟି ସ୍ଥାନ ନିରୂପଣ କରାଯାଇଛି। ୪ଟି ଦଳ କେବଳ ସହର ସାରା ବୁଲି ବୁଲି ଯାଞ୍ଚ କରିବା ପାଇଁ ଯୋଜନା ହୋଇଛି। ଗତକାଲି କେବଳ ଗୋଟିଏ ଦିନରେ ୧୫୨ଜଣଙ୍କ ଲାଇସେନ୍‌ସ ବାତିଲ କରିବା ପାଇଁ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଆର୍‌ଟିଓଙ୍କୁ ସୁପାରିସ୍‌ କରିଛି। ବିନା ହେଲ୍‌ମେଟ୍‌ରେ, ରାସ୍ତାର ଭୁଲ୍‌ ପାର୍ଶ୍ବରେ ଗାଡ଼ି ଚଳାଇବା ଓ ବାଇକ୍‌ରେ ତିନି ଜଣ ବସିବା ପ୍ରଭୃତି ବେଆଇନ ଗାଡ଼ିଚାଳନା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାଇଛନ୍ତି ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର। ତେବେ କେବଳ କାର୍ଯ୍ୟାନୁଷ୍ଠାନ ହେଉନାହିଁ, ବରଂ ବାଇକ୍‌ରେ ଡବଲ ହେଲ୍‌ମେଟ୍‌ ବ୍ୟବହାର ଉପରେ ଚାଳକଙ୍କୁ ସଚେତନ କରାଯାଉଛି। ରାସ୍ତା ଯେଭଳି ଜାମ୍‌ ନ ହେବ, ସେଥିପାଇଁ ରାସ୍ତାକଡ଼ ପାର୍କିଂ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ମିସନ୍‌ରେ ଆଜି ୨୪ଗାଡ଼ି ଜବତ କରାଯିବା ସହ ଅନ୍ୟ ମାଲିକମାନଙ୍କୁ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ସଚେତନ କରାଯାଇଛି।

କେନ୍ଦ୍ର ପରିବହନ ମନ୍ତ୍ରାଳୟ ମଧ୍ୟ ଏହି ନୂଆ ଆଇନ କୋହଳ ହେବ ନାହିଁ ବୋଲି ସ୍ପଷ୍ଟ କରିଛି। ଏଥିପ୍ରତି ସମସ୍ତ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଯତ୍ନବାନ ହେବା ଜରୁରି ବୋଲି ଆର୍‌ଟିଓମାନଙ୍କୁ ପରିବହନ ମନ୍ତ୍ରାଳୟ ପକ୍ଷରୁ ତାଗିଦ୍‌ କରାଯାଇଛି। ଏଥିପାଇଁ ଗାଡ଼ିର କାଗଜପତ୍ର ହାସଲ କରିବାରେ ମାଲିକ/ଚାଳକକୁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ କୁହାଯାଇଛି। ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଇଛି। ତଥାପି ଲୋକମାନେ ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ଼ ଜମାଉଥିବା ପରିଲକ୍ଷିତ ହୋଇଛି। ଆରଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି ଯେ ସମସ୍ତ ବ୍ୟବସ୍ଥା ଅନ୍‌ଲାଇନ୍‌ରେ ହେଉଛି, କିନ୍ତୁ କିଛି ଅଜାଣତରେ ଅଫିସ୍‌ ଆସୁଛନ୍ତି। ସେମାନଙ୍କୁ ସଚେତନ କରାଯାଉଛି।

ସମ୍ବନ୍ଧିତ ଖବର