ମହଙ୍ଗା ପଡ଼ିବ ନିଶା ଖାଇ ଗାଡ଼ି ଚଳାଇବା ଜରିମାନା ସହ ଜେଲ୍‌ ବି ଯିବେ

ଭୁବନେଶ୍ବର : ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ‌ଲେ ମହଙ୍ଗା ପଡ଼ିବ। ଖାଲି ଜରିମାନା ନୁହେଁ, ଜେଲ୍‌ଦଣ୍ଡ ବି ଭୋଗିବାକୁ ପଡ଼ିବ। ରାଜ୍ୟରେ ଘଟୁଥିବା ଦୁର୍ଘଟଣା ହାରକୁ ଦୃଷ୍ଟି‌ରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମୋଟର ଯାନ ଆଇନ-୧୯୮୮ର ଧାରା ୧୮୫ ଅନୁସାରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଚାଳକଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ସଂଖ୍ୟା ୧୯୮୬-୧୩/୮/୧୯ରେ ନିଶାସକ୍ତ ଗାଡ଼ି ଚାଳନାକୁ ରୋକିବାକୁ ମୋଟର ଯାନ ଆଇନର ଅନୁଚ୍ଛେଦ ୨୦୨ ଓ ୨୦୩ ଅନୁସାରେ ଚାଳକଙ୍କୁ ତୁରନ୍ତ ଗିରଫ କରାଯିବ। ରାଜପଥ ସମେତ ଅନ୍ୟାନ୍ୟ ସଡ଼କ ପଥରେ ଥିବା ଟୋଲଗେଟ୍‌ଗୁଡ଼ିକରେ ଗାଡ଼ି ଚାଳକଙ୍କ ଯାଞ୍ଚ ହେବ। ଗିରଫ ହେବାର ୨ଘଣ୍ଟା ମଧ୍ୟରେ ଜଣେ ପଞ୍ଜୀକୃତ ଚିକିତ୍ସାଧିକାରଙ୍କ ଜରିଆରେ ନିଶାଡ଼ିଙ୍କ ରକ୍ତ ପରୀକ୍ଷା ହେବ। ସେହିପରି ମହିଳା ଚାଳକଙ୍କ ରକ୍ତ ପରୀକ୍ଷା ମଧ୍ୟ ମହିଳା ଚିକିତ୍ସାଧିକାରୀଙ୍କ ଦ୍ବାରା କରାଯିବ। କାର୍ଯ୍ୟାନୁଷ୍ଠାନ ସମୟରେ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ଧାରା ଅନୁକରଣ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଟୋଲଗେଟ୍‌ର ସିସିଟିଭି ଫୁଟେଜ୍‌ ମାଧ୍ୟମରେ ତଥ୍ୟ ସଂଗ୍ରହ ହେବ।

ସମ୍ବନ୍ଧିତ ଖବର