ସୁନାବେଶରେ ଦର୍ଶନ ଦେଲେ, ଇସ୍କନ୍‌ରେ ରତ୍ନବେଦିକୁ ବିଜେ କଲେ ଦାରୁଦିଅଁ

ଭୁବନେଶ୍ବର: ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ପାଇଁ ରାଜଧାନୀର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ସ୍ଥିରୀକୃତ ସମୟ ଅନୁଯାୟୀ ପ୍ରଭୁ ସୁନାରେ ସଜ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଇସ୍କନ୍‌ ସମ୍ମୁଖରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୭ଟାରେ ଇସ୍କନ୍‌ରେ ମହାପ୍ରଭୁ ସୁନାବେଶ ହୋଇଥିଲେ। ସାଢେ ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ପ୍ରଭୁଙ୍କର ଏହି ଅପୂର୍ବ ବେଶ ଦର୍ଶନ ପାଇଁ ଇସ୍କନ୍‌ ସମ୍ମୁଖ ଓଭରବ୍ରିଜ୍‌ ଉପରେ ଅଟକି ଯାଉଥିଲେ ଭକ୍ତଗଣ। ତଳେ ବାଟ ସିଲ୍‌ ହୋଇଯାଇଥିବାରୁ ଓଭରବ୍ରିଜ୍‌ କଡ଼ରେ ଗାଡ଼ି ରଖି ପ୍ରଭୁଙ୍କ ସୁନାବେଶ ଦର୍ଶନର ସୁଯୋଗ ନେଉଥିଲେ ଅନେକ ଶ୍ରଦ୍ଧାଳୁ। ସାଢେ଼ ୧୦ଟା ପରେ ଏଠାରେ ଅଧରପଣା ଭୋଗ ହେବା ପରେ ପ୍ରଭୁ ରତ୍ନବେଦିକୁ ବାହୁଡ଼ି ଯାଇଥିଲେ। ସବୁଠୁ ପୁରୁଣା ରଥଯାତ୍ରା ଅନୁଷ୍ଠିତ ହେଉଥିବା ୮ନମ୍ବର ଓୟୁଏଟି କଲୋନିରେ ସୁନାବେଶ ଦର୍ଶନ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ଜାଗମରା ଧର୍ମବିହାରସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ସାଢେ଼ ୬ଟାରେ ସୁନାବେଶ ଆରମ୍ଭ ହୋଇଥିବା ବେଳେ ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିଥିଲେ।

ଏଥିସହିତ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ଭଜନ ପରିବେଷଣ ସାଙ୍ଗକୁ ପ୍ରସାଦ ସେବନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ସଭାପତି ଏସ୍‌.ସି ମିଶ୍ର ଓ ଅଜୟ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋଳଥିଆ ଚିଦାନନ୍ଦ ବିହାରରେ ମଧୢ ୩ ରଥରେ ପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହେବା ସଙ୍ଗେସଙ୍ଗେ ଭଜନ ସମାରୋହ ଜମିଥିଲା। କିଟ୍‌, ପଟିଆ, ଆର‌୍‌ସିଏମ୍‌, ବରମୁଣ୍ତା, ରେଣ୍ଟାଲ୍‌ କଲୋନି, ଯମେଶ୍ବର ପାଟଣା, ଡୁମଡୁମା, ସହିଦନଗର, ପୁରୁଣା ଭୁବନେଶ୍ବର, ଗଙ୍ଗନଗର ପିଡବ୍ଲ୍ୟୁଡି କଲୋନି, ଗଙ୍ଗନଗରରେ ମଧୢ ସୁନାବେଶ ଦର୍ଶନ ପାଇଁ ନାହିଁ ନଥିବା ଭିଡ଼ ଲାଗିଥିଲା। ଅଧିକାଂଶ ସ୍ଥାନରେ ଭଜନ ସମାରୋହର ଆସର ଜମିଥିଲା। ଇସ୍କନ୍‌‌ରେ ପ୍ରଭୁ ଆଜି ପହଣ୍ଡି ହୋଇ ରତ୍ନବେଦିକୁ ଯାଇଥିବା ବେଳେ ଅନ୍ୟ ସ୍ଥାନରେ ଆସନ୍ତାକାଲି ଅଧରପଣା ସହ ପଅରଦିନ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର