ଦଳଗତ ନୃତ୍ୟାଭିନୟରେ ଦୁଲୁକିଲା ମଞ୍ଚ

ଗୁରୁ ରାମହରି ଦାସ ଓ ସ୍ନେହଲତା ସାମନ୍ତରାୟଙ୍କୁ ‘ପରିରମ୍ଭଣମ୍‌ ସମ୍ମାନ’

ଭୁବନେଶ୍ବର: ନୃତ୍ୟାନୁଷ୍ଠାନ ନୃତ୍ୟ ଉପାସନା ପୀଠ ପକ୍ଷରୁ ଏହାର ନବମ ବାର୍ଷିକୋତ୍ସବ ‘ପରିରମ୍ଭଣମ୍‌’ ଆଜି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ମନ୍ୟାଷା ରାୟ କୃଷ୍ଣ ମଙ୍ଗଳାଚରଣ ଓ ନୃତ୍ୟାଭିନୟ ସଙ୍ଗିନୀ ଚାହାଁ, ବରଣ୍ୟା ସାବତ୍‌ ବସନ୍ତ ପଲ୍ଲବୀ ଓ ନୃତ୍ୟାଭିନୟ ମୋହନେ ଦେଲେ ଚାହିଁ, ପଦ୍ମଜା ପ୍ରିୟମ୍ବଦାଙ୍କ କଳାବତୀ ପଲ୍ଲବୀ, ସୂର୍ଯ୍ୟାଷ୍ଟକମ୍‌ ଏବଂ ସତ୍ୟପ୍ରକାଶ ସାହୁଙ୍କ ଶଙ୍କରାହରଣ ପଲ୍ଲବୀ ଓ ଅଷ୍ଟଶମ୍ଭୁ ଏକକ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥିଲା। କାର୍ଯ୍ୟକ୍ରମରେ ଗୁରୁ ମନୋରଞ୍ଜନ ପ୍ରଧାନ, ଗୁରୁ ମିନତି ପ୍ରଧାନ ଓ ନୃତ୍ୟବିଶାରଦ ସଙ୍ଗୀତା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ନୃତ୍ୟଶିଳ୍ପୀମାନେ ମା’ ଶକ୍ତି, ମଲ୍ଲୀମାଳ ଶ୍ୟାମକୁ…, ଗଙ୍ଗାତରଙ୍ଗ, ସୂର୍ଯ୍ୟାଷ୍ଟକମ୍‌, ବାଳଗୋପାଳ ଅଷ୍ଟକମ୍‌ ଆଦିରେ ଦଳଗତ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଏହି ପର୍ଯ୍ୟାୟରେ ନାଲ୍‌କୋ ମହିଳା ସମିତି ଅଧ୍ୟକ୍ଷା ତଥା ଶିକ୍ଷାବିତ୍‌ ପ୍ରୀତି ରାୟ ଚାନ୍ଦ, କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ ଓ ଗୁରୁ ଧନେଶ୍ବର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଗୁରୁ ରାମହରି ଦାସ ଓ ସ୍ନେହଲତା ସାମନ୍ତରାୟଙ୍କୁ ‘ପରିରମ୍ଭଣମ୍‌ ସମ୍ମାନ’ରେ ସମ୍ମାନିତ କରାଯାଇଛି। ନୃତ୍ୟଗୁରୁ ସୋନାଲି ମହାପାତ୍ରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର