ଅସରାଏ ବର୍ଷାରେ ରାଜଧାନୀରେ ଘରେ ପଶୁଛି ପାଣି, ଗୌରୀନଗର ଓ ଭୀମପୁର ଅଞ୍ଚଳ ପରିଦର୍ଶନ କଲେ ବାବୁ ସିଂ

ପୁରୁଣା ଭୁବନେଶ୍ୱର: ମୌସୁମୀ ବର୍ଷା ଆରମ୍ଭରୁ ରାଜଧାନୀରେ ଡ୍ରେନେଜ ସମସ୍ୟା ମୁଣ୍ଡ ଟେକିଲାଣି। ଅସରାଏ ବର୍ଷାରେ ଲୋକଙ୍କ ଘରେ ପାଣି ପଶୁଛି। ବିଫଳ ଡ୍ରେନେଜ ବ୍ୟବସ୍ଥା ଏହାର ମୁଖ୍ୟ କାରଣ ହୋଇଥିଲେ ହେଁ ସରକାର ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି। ବିଏମ୍‌ସି ନିକଟରେ ଏହି ସମସ୍ୟା ନେଇ ଜଣାଇଥିଲେ ମଧ୍ୟ କିଛି ସମାଧାନ କରାଯାଉନାହିଁ ବୋଲି ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି। ଶ୍ରୀ ସିଂ ଏକାମ୍ର ନିର୍ବାଚନ ମଣ୍ଡଳୀର ଗୌରୀନଗର ଓ ଭୀମପୁର ଅଞ୍ଚଳ ପରିଦର୍ଶନ କରି ସେଠାକାର ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ସେ କହିଛନ୍ତି ଟିକିଏ ବର୍ଷା ହେଲେ ଲୋକଙ୍କ ଘର ଭିତରକୁ ଡ୍ରେନ ପାଣି ପଶି ଯାଉଛି। ଏଭଳି ସମସ୍ୟା ପ୍ରତି ବର୍ଷ ବର୍ଷା ଦିନେ ହେଉଥିଲେ ମଧ୍ୟ ବିଏମସି ଦୃଷ୍ଟି ଦେଉନାହିଁ। ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସେମାନଙ୍କୁ ବିଭିନ୍ନ ମାଷ୍ଟର ପ୍ଲାନର ଆଳ ଦେଖେଇ ପ୍ରଶାସନ ଭଣ୍ଡେଇ ଚାଲିଛି। ଏପରିକି ଡ୍ରେନ ଗୁଡ଼ିକ ଅନେକ ଦିନ ଧରି ସଫା କରାଯାଇନାହିଁ। ଫଳରେ ସେଥିରେ ପାଣି ନଯାଇ ଜମି ରହୁଛି ଓ ଦୁର୍ଗନ୍ଧରେ ସ୍ଥାନୀୟ ପରିବେଶ ଫାଟିପଡ଼ୁଛି। ଏହି ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସିଂ ଚେତାବନୀ ଦେଇଛନ୍ତି। ଶ୍ରୀ ସିଂଙ୍କ ପରିଦର୍ଶନ ବେଳେ ତାଙ୍କ ସହ ସ୍ଥାନୀୟ ବିଜେପି ନେତା ଶିବ ବେହେରା, ତୃପ୍ତିମୟୀ ମକଦ୍ଦମ, ମନୋଜ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର