ଅଧଘଣ୍ଟାର ଆତଙ୍କରାଜ: ସଚିବାଳୟରେ ମାତିଲେ ମହୁମାଛି

ଗୋଡ଼ାଇ ଗୋଡ଼ାଇ ବିନ୍ଧିଲେ, ଛିନ୍‌ଛତ୍ର ହୋଇ ଦୌଡ଼ିଲେ ସମସ୍ତେ

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ଆଜି ଅପରାହ୍ନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ମହୁମାଛିଙ୍କ ଆତଙ୍କରାଜ ସଚିବାଳୟକୁ ହଲ୍‌ଚଲ୍‌ କରିଦେଇଥିଲା। ସଚିବାଳୟର ପୋର୍ଟିକୋ, ବଗିଚା, କରିଡର୍‌ ସବୁଠି ଅଧଘଣ୍ଟା କାଳ ମହୁମାଛି ଆତଙ୍କ ସୃଷ୍ଟି କଲେ। ପ୍ରଥମ ଥର ପାଇଁ ସରକାରୀ ଭାବେ ସଚିବାଳୟ ବୁଲି ଆସିଥିବା କିଛି ଆଦିବାସୀଙ୍କୁ ହଲାପଟା କରି ମାରିଲେ। ସଚିବାଳୟ କର୍ମଚାରୀଙ୍କୁ ଘାଇଲା କଲେ। ସମୟ ଅପରାହ୍ନ ପ୍ରାୟ ୫ଟା ୧୫। ସଚିବାଳୟ ପୋର୍ଟିକୋ ସାମ୍ନା ବଗିଚାରେ ବସିଥିଲେ ପାଖାପାଖି ୨୦୦ ଆଦିବାସୀ ପୁରୁଷ, ମହିଳା, ଶିଶୁ। ଆସନ୍ତାକାଲି ଉତ୍କଳ ମଣ୍ଡପରେ ହେବାକୁ ଥିବା ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବା ପାଇଁ ସେମାନେ ଭୁବନେଶ୍ୱର ଆସିଛନ୍ତି। ଆଜି ସେମାନଙ୍କୁ ସଚିବାଳୟ ଅଣାଯାଇଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକ ଫଟୋ ଓ ଭିଜୁଆଲ୍‌ ରେକର୍ଡିଂ ପାଇଁ। ସଚିବାଳୟ ଲନ୍‌ରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଫଟୋ ପୋଜ୍‌ ଦେଇଥା’ନ୍ତେ ଓ ଭିଡିଓ ସୁଟିଂ ବି ହୋଇଥା’ନ୍ତା। ଜଣାଶୁଣା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଏହାର ଦାୟିତ୍ୱରେ ଥିଲେ। ଏହି ଫଟୋ ଓ ଭିଡିଓ ସରକାରୀ ବିଜ୍ଞାପନରେ ବ୍ୟବହାର ହୋଇଥା’ନ୍ତା। ମୁଖ୍ୟମନ୍ତ୍ରୀଙ୍କ ଆସିବା ସମୟ ଥିଲା ୫ଟା ୪୫। ଏହାର ଠିକ୍‌ ୨୦ ମିନିଟ୍‌ ପୂର୍ବରୁ ହଠାତ୍‌ ମହୁମାଛି ବଗିଚା ଭିତରେ ଉଡ଼ିବା ଆରମ୍ଭ କଲେ। ଭୟଭୀତ ହୋଇ ସେଠାରୁ ଆଦିବାସୀ ପୁରୁଷ ଓ ମହିଳାମାନେ ଦୌଡ଼ିବା ଆରମ୍ଭ କଲେ। ମହିଳାମାନେ ଛୋଟ ପିଲାଙ୍କୁ ଧରି ବିକଳ ହୋଇ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। କିଛି ଲୋକ ଉପର ମହଲାକୁ ଚଢ଼ିଯାଇଥିଲେ। ପୋର୍ଟିକୋ ନିକଟରେ ଥିବା କର୍ମଚାରୀ ଓ ସୁରକ୍ଷା କର୍ମୀମାନେ ଦୌଡ଼ିଥିଲେ। ପୋର୍ଟିକୋ ଆଖପାଖ ଅଞ୍ଚଳରେ ବି ମହୁମାଛି ଆତଙ୍କ ଖେଳାଇଥିଲେ। ପ୍ରାୟ ୧୦/୧୫ ମିନିଟ୍‌ ଧରି ଏପରି ଚାଲିଲା। ସେହି ସ୍ଥାନ ପ୍ରାୟ ଶୂନ୍‌ଶାନ୍‌ ହୋଇଗଲା। ମହୁମାଛି ଆକ୍ରମଣରେ କିଛି ଲୋକ ଆହତ ବି ହୋଇଥିଲେ। ସଙ୍ଗେ ସଙ୍ଗେ ତିନିଟି ୧୦୮ ଆମ୍ବୁଲାନ୍ସ ଆହତଙ୍କୁ ହସ୍ପିଟାଲ୍‌ ନେବାକୁ ସଚିବାଳୟ ଭିତରେ ପହଞ୍ଚିଯାଇଥିଲା। ତେବେ ଆହତ ହୋଇଥିବା କିଛି ବ୍ୟକ୍ତି ପୂର୍ବରୁ ହସ୍ପିଟାଲ୍‌ ନିଜ ନିଜ ବାଟରେ ଚାଲିଯାଇଥିଲେ। ଫଳରେ ଆମ୍ବୁଲାନ୍ସ ଫେରିଯାଇଥିଲା। କ୍ୟାପିଟାଲ୍‌ ହସ୍ପିଟାଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ୍‌ ୯ ଜଣ ଆହତ ବ୍ୟକ୍ତି ହସ୍ପିଟାଲ୍‌ ଯାଇଥିଲେ। ସେମାନଙ୍କୁ ପ୍ରାଥମିକ ଚିିକିତ୍ସା ପରେ ଛାଡ଼ି ଦିଆଯାଇଛି। ନିର୍ଦ୍ଧାରିତ ସମୟର କିଛି ସମୟ ବିଳମ୍ବରେ ସଚିବାଳୟ ଭିତରକୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ପଶିଥିଲା। ସବୁ ଦିନ ପରି ସାମ୍ନା ପୋର୍ଟିକୋ ତଳେ ମୁଖ୍ୟମନ୍ତ୍ରୀ ଓହ୍ଲାଇ ନ ଥିଲେ। ଯଦିଓ ସେତେବେଳେ ମହୁମାଛି ଆତଙ୍କ ଶେଷ ହୋଇଯାଇଥିଲା, ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପଛ ପଟ ପୋର୍ଟିକୋରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ ଲିଫ୍‌ଟ୍‌ରେ ତୃତୀୟ ମହଲା ଯାଇଥିଲେ। ସମୟ ଗଡ଼ିଯାଇଥିବାରୁ ଆଉ ମୁଖ୍ୟମନ୍ତ୍ରୀଙ୍କ ସହ ଆଦିବାସୀମାନଙ୍କ ଫଟୋ ସେସନ୍‌ ହୋଇପାରି ନ ଥିଲା। ତାହାକୁ ବାତିଲ୍‌ କରିଦିଆଯାଇଥିଲା ସଚିବାଳୟର ପୋର୍ଟିକୋ ଉପରେ ଏବଂ କିଛି ପୁରୁଣା ଗଛରେ ମହୁମାଛି ବସା ରହିଛି। ନିର୍ଦ୍ଦିଷ୍ଟ ଭାବେ ମହୁମାଛି କେଉଁ ସ୍ଥାନରୁ ବାହାରିଲେ, ତାହା ଜଣାପଡ଼ି ନ ଥିଲା।

ସମ୍ବନ୍ଧିତ ଖବର