ସ୍କୁଲରେ କେତେ ସୁରକ୍ଷିତ ଛାତ୍ରଛାତ୍ରୀ? ଅଧିକାଂଶ ସ୍କୁଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ

ଯାଞ୍ଚ କରୁନାହାନ୍ତି ବିଡିଏ, ବିଏମ୍‌ସି
ଅଗ୍ନିଶମ ବିଭାଗ ବି ଚୁପ୍‌
ସିଓଆର୍‌ ଦେଲାବେଳେ ଯାଞ୍ଚ ହେଉନି

ଭୁବନେଶ୍ବର : ରାଜଧାନୀରେ ପ୍ରାୟ ୨୫୦ଟି ସରକାରୀ ଓ ବେସରକାରୀ ସ୍କୁଲ ଅଛି। ଏଠାରେ ୨୫ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ହେଲେ ଏହି ଛାତ୍ରଛାତ୍ରୀମାନେ ସ୍କୁଲରେ ସୁରକ୍ଷିତ ଭାବେ ପାଠ ପଢ଼ୁଛନ୍ତି ତ? ଯଦି ସ୍କୁଲରେ କିଛି ଅଘଟଣ ଘଟେ ସେଥିରୁ ମୁକୁଳିବା ପାଇଁ ସ୍କୁଲରେ ଆବଶ୍ୟକ ଭିତ୍ତିଭୂମି ଅଛି କି ନାହିଁ ଏହାକୁ କେହି ଯାଞ୍ଚ କରୁନାହାନ୍ତି।

ସ୍କୁଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ, ସ୍କୁଲରେ ଛାତ୍ରଛାତ୍ରୀ ଯାତାୟତ ପାଇଁ ଯେମିତି କରିଡର ରହିବା କଥା ତାହା ଅଛି ନା ନାହିଁ, ସ୍କୁଲ ଯେଉଁ କୋଠାରେ ଚାଲୁଛି ତାହା ସ୍କୁଲ ପାଇଁ ଉପଯୋଗୀ କି ନାହିଁ, ଛାତ୍ରଛାତ୍ରୀ ଯାତାୟତ କରୁଥିବା ସିଡିଗୁଡ଼ିକ ନିୟମ ଅନୁଯାୟୀ ଅଛି କି ନାହିଁ ତାହା ସରକାର ଯାଞ୍ଚ କରୁନାହାନ୍ତି। ଯିଏ ସ୍କୁଲ ଖୋଲିଲା ତାକୁ ସାର୍ଟିଫିକେଟ୍ ଅଫ୍ ରିକୋଗ୍ନାଇଜେସନ୍ (ସିଓଆର୍) ଦେଇ ଦେଉଛନ୍ତି। ହେଲେ ପିଲା ସ୍କୁଲରେ ସୁରକ୍ଷିତ ଭାବେ କିପରି ରହିବ ତାହା ଚିନ୍ତା କରୁନାହାନ୍ତି।

ବିଡ଼ମ୍ବନାର ବିଷୟ ରାଜଧାନୀର କୌଣସି ସରକାରୀ ସ୍କୁଲ‌େର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ସରକାରୀ ଛାଡ଼, ହାତ ଗଣତି କେତୋଟି ଘରୋଇ ସ୍କୁଲକୁ ଛାଡ଼ିଦେଲେ ବାକି ଘରୋଇ ସ୍କୁଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଆଣିବା ଦୂର କଥା ଘରୋଇ ସ୍କୁଲଗୁଡ଼ିକ ଭଡ଼ା ଘରେ, ବିପଦସଙ୍କୁଳ ଘରେ ଦୀର୍ଘ ବର୍ଷ ଧରି ସ୍କୁଲ ଚଲାଉଥି‌େଲ ହେଁ ଏହାକୁ କେହି ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଯେଉଁ ସ୍କୁଲ କର୍ତ୍ତୃପକ୍ଷ ଜଣେ ଜଣେ ଛାତ୍ର/ଛାତ୍ରୀଙ୍କଠାରୁ ଫି’ ବାବଦକୁ ମାସକୁ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି ‌େସମାନେ କୁନି କୁନି ପିଲାଙ୍କର ସୁରକ୍ଷା ଦିଗରେ ଆଖି ବୁଜି ଦେଇଛନ୍ତି। ଫଳରେ କେଉଁଠି ବିନା ଖୋଲା ସ୍ଥାନରେ ସ୍କୁଲ ଖୋଲୁଛି ତ କେଉଁଠି ୧୦ଫୁଟର କରିଡର ଜାଗାରେ ୩ରୁ ୪ଫୁଟ କରିଡର ଅଛି। ଏପରିକି ୩ଫୁଟିଆ ସିଡ଼ି ପାହାଚରେ ଛାତ୍ରଛାତ୍ରୀ ଯାତାୟତ କରୁଛନ୍ତି। ଲୋକ ଆବାସିକ ଘର ପାଇଁ ପ୍ଲାନ୍ ନେଇ ଘର ନିର୍ମାଣ କରୁଛନ୍ତି, ପରେ ସେଠାରେ ସ୍କୁଲ ଖୋଲି ବ୍ୟବସାୟ କରୁଛନ୍ତି। କିନ୍ତୁ ସିଓଆର୍‌ ଦେଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଏହାକୁ ଦେଖୁନାହାନ୍ତି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କ’ଣ ଦରକାର, ସ୍କୁଲ କିପରି ନିର୍ମାଣ ହେବା ଦରକାର ସେନେଇ ଓଡ଼ିଶା ଅଗ୍ନି ନିରାପତ୍ତା ଏବଂ ଅଗ୍ନି ସୁରକ୍ଷା ନିୟମ (ସଂଶୋଧିତ-୨୦୧୯)ରେ ବିସ୍ତୃତ ନିୟମ ଅଛି। ଓଡିଏ ଆକ୍ଟ ଏବଂ ବିଡିଏର ବିଲଡିଂ ଓ ପ୍ଲାନିଂ ନିୟମରେ ଏନେଇ ବହୁ ନିୟମ ଅଛି। ହେଲେ ଏହାକୁ ନା ଅଗ୍ନିଶମ ବିଭାଗ ଯାଞ୍ଚ କରୁଛି ନା ବିଡିଏ, ବିଏମ୍‌ସି କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି। ଫଳରେ କାଗଜକଲମ ହିସାବରେ ଯଥା ପିଲାଙ୍କ ଅନୁପାତରେ ଶିକ୍ଷକ ଅଛନ୍ତି କି ନାହିଁ, ଶିକ୍ଷକଙ୍କ ଯୋଗ୍ୟତା ଅଛି କି ନାହିଁ, ଆର୍‌ଟିଇ ଲାଗୁ ହୋଇଛି କି ନାହିଁ, ଖେଳ ପଡ଼ିଆ ଅଛି କି ନାହିଁ ଆଦି ଯାଞ୍ଚ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍କୁଲକୁ ସିଓଆର୍‌ ଦେଇଦେଉଛନ୍ତି।

ଓଡ଼ିଶା ଅଗ୍ନି ନିରାପତ୍ତା ଏବଂ ଅଗ୍ନି ସୁରକ୍ଷା ନିୟମରେ ସବୁ ସ୍କୁଲ ପାଇଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ବାଧ୍ୟତାମୂଳକ ଥିଲା। ଏହାକୁ କେହି ମାନିଲେନି। ଏହାପରେ ଅଗ୍ନିଶମ ବିଭାଗ ଓଡ଼ିଶା ଅଗ୍ନି ନିରାପତ୍ତା ଏବଂ ଅଗ୍ନି ସୁରକ୍ଷା ନିୟମ(ସଂଶୋଧିତ-୨୦୧୯)ରେ ପରିବର୍ତ୍ତନ ଅାଣିଥିଲା। ଏଥିରେ ନିୟମ କରିଛି ଯେ, ସବୁ ସ୍କୁଲରେ ସେଫ୍‌ଟି କରିଡର ନିଶ୍ଚିତ ରହିବ। ଯେଉଁ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନର ଉଚ୍ଚତା ୧୨ମିଟର କିମ୍ବା ତିନି ମହଲାରୁ ଅଧିକ ହୋଇଥିବ ବା ହଜାରେ ବର୍ଗମିଟରରୁ ଅଧିକ ନିର୍ମାଣ ଅଞ୍ଚଳ ଥିବ (ଗୋଟିଏ ମହଲା ହେଉ କି ଏକାଧିକ) ସେମାନେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନେବା ବାଧ୍ୟତାମୂଳକ। ଏପରିକି ସବୁ ସ୍କୁଲରେ ପାହାଚଗୁଡ଼ିକର ଲମ୍ବ ୧.୫ମିଟରର ହେବା ଦରକାର। ୩୦୦ ବର୍ଗମିଟରରୁ କମ୍‌ ନିର୍ମାଣ ଅଞ୍ଚଳରେ ସ୍କୁଲ ଥିଲେ ସିଡ଼ି ପାହାଚର ଲମ୍ବ ୧.୨ ମିଟର ରହିବ।

ଏହି ନିୟମକୁ ସରକାରୀ ସ୍କୁଲ କେତେକ କ୍ଷେତ୍ରରେ ମାନୁଥିଲେ ହେଁ ଅଧିକାଂଶ ଘରୋଇ ସ୍କୁଲ ମାନୁନାହାନ୍ତି। କିନ୍ତୁ କଡ଼ାକଡ଼ି ଯାଞ୍ଚ ହେଉନଥିବାରୁ ସମ‌େସ୍ତ ଢିଲା ନିୟମର ଫାଇଦା ଉଠାଉଛନ୍ତି। ଏନେଇ ବିଡିଏର ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଭୁବନେଶ୍ବରରେ ଯେଉଁ କୋଠା ନିର୍ମାଣ ହେଉଛି ବା ହୋଇଛି ସବୁ ବିଡିଏ ଓ ବିଏମ୍‌ସିର ବିଲଡିଂ ଆଣ୍ଡ ପ୍ଲାନିଂ ନିୟମ ଅନୁଯାୟୀ ହେବା ଦରକାର। ଯେଉଁଠି ଶହ ଶହ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ସେ କୋଠାର ସୁରକ୍ଷା, ଷ୍ଟ୍ରକଚରାଲ୍ ଅଡିଟ୍ କରିବା କାମ ବିଏମ୍‌ସି ଓ ବିଡିଏର। ଅଗ୍ନିଶମ ବିଭାଗ ବି ‌ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଜରୁରୀକାଳୀନ ନିଷ୍କାସନ ବ୍ୟବସ୍ଥା ଦେଖିବା ଦରକାର। ଆମେ ଏହାକୁ ଯାଞ୍ଚ କରିବୁ। କିନ୍ତୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯେତେବେଳେ ସ୍କୁଲଗୁଡ଼ିକୁ ଏନ୍‌ଓସି ଦେଉଛନ୍ତି ସେତେବେଳେ ସେମାନେ ଆମର ପରାମର୍ଶ ଲୋଡ଼ିଲେ ଯାଞ୍ଚ ବ୍ୟବସ୍ଥା ଠିକ୍ ଭାବେ ‌ହୋଇପାରନ୍ତା। ଏପରିକି ଯେଉଁ ଘରଗୁଡ଼ିକ ବହୁ ବର୍ଷ ପୁରୁଣା ବା ଯେଉଁଗୁଡ଼ିକ ଆବାସିକ ଘର ପ୍ଲାନ୍ ନେଇ ଘର ନିର୍ମାଣ କରିଛନ୍ତି ଏବଂ ସେଠାରେ ‌ସ୍କୁଲ ଖୋଲିଛନ୍ତି ସେହି ଘରେ ସ୍କୁଲ ଖୋଲିବାକୁ ଅନୁମତି ଦିଆନଯାଉ। ଏହାହେଲେ ସମସ୍ୟାର ବହୁ ମାତ୍ରାରେ ସମାଧାନ ହୋଇଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆମର ନିୟମ ଅନୁସାରେ ଆମେ ଯାଞ୍ଚ କରୁଛୁ। ଆମେ ଶିକ୍ଷା ବ୍ୟବସ୍ଥାକୁ ଦେଖି ସିଓଆର୍ ଦେଉଛୁ। ଯଦି ବିଡିଏର କୋଠା ସୁରକ୍ଷା ଯାଞ୍ଚ କରିବାର ନିୟମ ଅଛି ତେବେ ସେମାନେ ଯାଞ୍ଚ କରନ୍ତୁ। ସେମାନେ ଯଦି କୌଣସି ସ୍କୁଲକୁ ଅସୁରକ୍ଷିତ ଦର୍ଶାଇବେ ତେବେ ଆମେ ଏନ୍‌ଓସି ନଦେବା ପାଇଁ ବିଚାର କରିବୁ।

ସମ୍ବନ୍ଧିତ ଖବର