ରାଜଧାନୀରେ ଅସୁରକ୍ଷିତ ଡାକ୍ତର: ଆୟୁଷ ଡାକ୍ତରଙ୍କୁ ଢେଲା ମାଡ଼, ମେଡିକାଲ ଅଫିସର୍‌ଙ୍କଠାରୁ ଲୁଟ୍‌

ଭୁବନେଶ୍ୱର: ଜୀବନକୁ ବାଜି ଲଗାଇ କରୋନା ସହ ଅହରହ ସଂଗ୍ରାମ କରୁଛନ୍ତି ଡାକ୍ତର। ଏଥିପାଇଁ ସରକାର ତାଙ୍କୁ ଆଗଧାଡ଼ିର ଯୋଦ୍ଧା ଭାବେ ଅଭିହିତ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ଯେପରି ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସବୁ ପ୍ରକାର ସହାୟତା ଓ ସୁରକ୍ଷା ସରକାର ଯୋଗଇ ଦେଇଛନ୍ତି। କିନ୍ତୁ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ଡାକ୍ତର ଅସୁରକ୍ଷିତ। ନିକଟ ଅତୀତରେ ଘଟିଥିବା କେତୋଟି ଘଟଣାକୁ ବିଚାରକୁ ନେଲେ ଏହା ପ୍ରତୀୟମାନ ହେଉଛି। କରୋନା ବ୍ୟାପିବା ଭୟରେ ଦୁଇ ଦିନ ତଳେ ହାଇଦ୍ରାବାଦ୍‌ରୁ ଫେରିଥିବା ମହିଳା ଆୟୁଷ ଡାକ୍ତର ରାକ୍ଷୀ ସିଂଙ୍କୁ ତାଙ୍କ ଘରେ ପୂରାଇ ଦିଆଗଲା ନାହିଁ। ସ୍ଥାନୀୟ ଲୋକେ ତାଙ୍କ ପରିବାରବର୍ଗଙ୍କୁ ଢେଲାପଥର ମାଡ଼ କରିଥିଲେ। ଫଳରେ ସେମାନେ ନିଜ କାର୍‌ରେ ସପରିବାରେ ରାତି ବିତାଇବାକୁ ବାଧ୍ୟ ହେଲେ। ନା ପୁଲିସ ନା ସରପଞ୍ଚ, କେହି ସେମାନଙ୍କୁ ରାତି ବିତାଇବା ପାଇଁ ସଙ୍ଗରୋଧ କେନ୍ଦ୍ରର ସୁବିଧା ଦେଇ ପାରିନଥିଲେ।

ସେହିପରି ସୀମା ହାଁସଦା ନାମ୍ନୀ ଜଣେ ମହିଳା ଡାକ୍ତର ମେଡିକାଲ ଅଫିସର୍‌ ଭାବେ କାମ କରନ୍ତି। ଗତ ୨୮ ତାରିଖ ଦିନ ଡ୍ୟୁଟି ସାରି ଫେରୁଥିଲେ। ରାତି ୮ଟା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଶାସ୍ତ୍ରୀ ନଗରଠାରେ ଅଟକାଇ ଲୁଟ୍‌ କରିଥି‌ଲେ। ମାରଣାସ୍ତ୍ର ଦେଖାଇ ମୋବାଇଲ ଓ ଟଙ୍କା ନେଇ ଯାଇଥିଲେ। ଘଟଣାସ୍ଥଳରୁ ଟ୍ରାଫିକ୍‌ ପୋଷ୍ଟ ମାତ୍ର ୨ଶହ ମିଟର ଦୂରରେ ଥିଲା। ସେ ତତ୍‌କ୍ଷଣାତ୍‌ ସେଠାରେ କାର୍ଯ୍ୟରତ ଟ୍ରାଫିକ୍‌ ପୁଲିସଙ୍କୁ ଜଣାଇଥିଲେ। କିନ୍ତୁ ଟ୍ରାଫିକ୍‌ ପୁଲିସ ତାଙ୍କୁ ଥାନାକୁ ଯିବା ପାଇଁ କହିଥିଲେ। ଏନେଇ ସେ କମିସନ୍‌ରେଟ୍‌ ପୁଲିସକୁ ଟ୍ବିଟ୍‌ କରି କ୍ଷୋଭ ପ୍ରକାଶ କରିଛନ୍ତି। ଟ୍ବିଟ୍‌ରେ ସେ ଲେଖିଛନ୍ତି, ଡ୍ୟୁଟିକୁ ଯିବା ବେଳେ ସେ ସୁରକ୍ଷିତ ମଣୁନାହାନ୍ତି। ଆହୁରି ଲେଖିଛନ୍ତି, ମୁଁ ଭୁବନେଶ୍ବରରେ ସୁରକ୍ଷିତ କି? କେବେ ମୋର ଲୁଟ୍‌ ଜିନିଷ ମିଳିବ? କାହା ଉପରେ ଭରସା କରି ମୁଁ ଏକୁଟିଆ ଡ୍ୟୁଟି ଯିବି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ମାମଲା ତଦନ୍ତ ପାଇଁ ଜୋନ୍‌-୧ ଏସିପିଙ୍କୁ ଦିଆଯାଇଛି। ତାହାର ତଦନ୍ତ ଚାଲିଛି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି।
ସେହିଭଳି ଜଣେ ମହିଳା ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ପୁଲିସ ଗାଡ଼ିର ପାସ୍‌ ମାଗିବାକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା। ଗୋଟିଏ ପଟେ କୋଭିଡ୍‌-୧୯ ଯୋଦ୍ଧା ଭାବରେ ଡାକ୍ତରଙ୍କୁ ସମ୍ମାନ ମିଳୁଥିବା ବେଳେ ରାସ୍ତା ମଝିରେ ପୁଲିସର ଏତାଦୃଶ ବ୍ୟବହାର ତାଙ୍କୁ ମର୍ମାହତ କରିଥିଲା। ଏନେଇ ସେ ଖଣ୍ଡଗିରି ଥାନାରେ ପହଞ୍ଚିଥିଲେ ମଧ୍ୟ ସେଠାରେ ତାଙ୍କୁ ଉଚିତ ସମ୍ମାନ ମିଳିନଥିବା ଅଭିଯୋଗ ହୋଇଥିଲା।

ଅନ୍ୟ ଏକ ଘଟଣାକ୍ରମେ, ସହିଦନଗର ଅଞ୍ଚଳରେ ଜଣେ ଡାକ୍ତର ଭଡ଼ାଘରେ ରୋଗୀମାନଙ୍କୁ ପରାମର୍ଶ ଦେଉଥିଲେ। ଯେତେବେଳେ ବିଭିନ୍ନ ଡାକ୍ତରଖାନାକୁ ରୋଗୀମାନେ ଭୟରେ ଯାଉ ନଥିଲେ, ସେତେବେଳେ ସମ୍ପୃକ୍ତ ଡାକ୍ତର ଭଡ଼ା ଘରେ ରୋଗୀ ଦେଖିବା ପାଇଁ ଯୋଜନା କରିଥିଲେ। ସରକାରଙ୍କର ସମସ୍ତ ନିୟମ ପାଳନ ପୂର୍ବକ ସମ୍ପୃକ୍ତ ଘରକୁ ସାନିଟାଇଜ୍‌ କରାଇଥିଲେ। ହେଲେ ଘରମାଲିକଙ୍କର ପ୍ରବଳ ବିରୋଧ ଯୋଗୁଁ ସେ ସ୍ବାସ୍ଥ୍ୟସେବା ଆରମ୍ଭ କରିବା ସମ୍ଭବ ହୋଇନଥି‌ଲା। ତେବେ ପ୍ରସଙ୍ଗ ଗୁରୁତର ହେବାରୁ ମାଲିକ ନିଜ ଭୁଲ ବୁଝିପାରି ସ୍ବାସ୍ଥ୍ୟସେବା ପାଇଁ ସୁଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର