ଜାଗରରେ ନୀତି ବିଳମ୍ବ ଆଶଙ୍କା: ସହଯୋଗ କରିବନି ବ୍ରାହ୍ମଣ ନିଯୋଗ

ଭଜନ ସମାରୋହରେ ଯୋଗ ଦେବେ ଅନୁ ମଲିକ, ଅନୁରାଧା ପଡ଼ୱାଲ୍‌

ପୁରୁଣା ଭୁବନେଶ୍ୱର: ପବିତ୍ର ଜାଗର ଯାତ୍ରାରେ ସହଯୋଗ କରିବ ନାହିଁ ବ୍ରାହ୍ମଣ ନିଯୋଗ। ଜାଗର ପୂର୍ବ ଦିନ ବ୍ରାହ୍ମଣ ନିଯୋଗ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯିବ। ସେହିଭଳି ବଡ଼ୁ ନିଯୋଗ ମଧ୍ୟ ଅସହଯୋଗ କରିବ। ସରକାର ଲିଙ୍ଗରାଜଙ୍କ ପରମ୍ପରା ରକ୍ଷା କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଶ୍ରାବଣୀ ପାଉଣା ବିବାଦ ସମାଧାନ ହୋଇ ନଥିବାରୁ ବିଭିନ୍ନ ନିଯୋଗ ପକ୍ଷରୁ ଏଭଳି ଅସହଯୋଗ ବାର୍ତ୍ତା ଦିଆଯାଇଛି। ତେଣୁ ମହାଶିବରାତ୍ରୀ ପୂର୍ବରୁ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ି ଯାଇଛି। ମହାସାମରୋହରେ ମହାଶିବରାତ୍ରୀ ପାଳନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଭିନ୍ନ ନିଯୋଗର ଏଭଳି ଚେତାବନୀ ଆଜି ମନ୍ଦିର ପ୍ରଶାସନର ଚିନ୍ତା ବଢ଼ାଇଛି।

୧୧ ତାରିଖ (ଗୁରୁବାର) ମହାଶିବରାତ୍ରୀ। ଜିଲ୍ଲା ପ୍ରଶାସନ, ବିଏମ୍‌ସି ଓ ମନ୍ଦିର ପ୍ରଶାସନ ପ୍ରାୟ ସବୁ ପ୍ରସ୍ତୁତି ଶେଷ କରିଛି। କିନ୍ତୁ ଠିକ୍‌ ଏତିକିବେଳେ ବ୍ରାହ୍ମଣ ନିଯୋଗ ପ୍ରଶାସନକୁ ଅଡ଼ୁଆରେ ପକାଇଛି। ସରକାର ଲିଙ୍ଗରାଜଙ୍କ ପରମ୍ପରା ରକ୍ଷା କରିପାରୁନଥିବା ଅଭିଯୋଗ କରି ଜାଗର ପୂର୍ବ ଦିନ ନୀତି ବନ୍ଦ କରିବାକୁ ବ୍ରାହ୍ମଣ ନିଯୋଗ ଚେତାବନୀ ଦେଇଛି। ସେହିଭଳି ଶ୍ରାବଣୀ ପାଉଣା ବିବାଦ ସମାଧାନ ନକଲେ ବଡ଼ୁ ନିଯୋଗ ମହାଶିବରାତ୍ରୀ ଦିନ ଅସହଯୋଗ କରିବ ବୋଲି ଚେତାବନୀ ଦେଇଛି। ବିଭିନ୍ନ ନୀତି ସୁରୁଖୁରୁରେ ଚାଲିଲେ ହିଁ ଠିକଣା ସମୟରେ ମହାଦୀପ ଉଠିବ। କିନ୍ତୁ ୧୦ ତାରିଖରୁ ନୀତିରେ ଅସ‌ହଯୋଗ କରିବେ ବୋଲି ବ୍ରାହ୍ଣଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। ଏନେଇ ସେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଚିଠି ପ୍ରଦାନ କରିଛନ୍ତି। ଶ୍ରୀ ପତିଙ୍କ କହିବା ଅନୁଯାୟୀ, ମହାଶିବରାତ୍ରିର ପର ଶନିବାର ଦିନ ଶ୍ରୀ ଲିଙ୍ଗରାଜ କପିଳନାଥଙ୍କ ମନ୍ଦିରକୁ ଯାତ୍ରା କରନ୍ତି। କିନ୍ତୁ ଗତ କିଛି ବର୍ଷ ହେଲା ଏହି ପରମ୍ପରା ବନ୍ଦ ହୋଇଯାଇଛି। ଏହି ପରମ୍ପରା ରକ୍ଷା ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରୁନାହିଁ। ଫଳରେ ଲକ୍ଷଲକ୍ଷ ଭକ୍ତ ଓ ସେବାୟତଙ୍କ ମନରେ ଘୋର ଆଘାତ ଲାଗିଛି। ଏଣୁ ଆସନ୍ତା ୧୦ ତାରିଖରେ ନୀତିରେ ଅସହଯୋଗ କରିବା ସହ ଶିବରାତ୍ରୀଠାରୁ କୌଣସି ଯାନିଯାତ୍ରାରେ ସହଯୋଗ କରାଯିବ ନାହିଁ ବୋଲି ଶ୍ରୀ ପତି କହିଛନ୍ତି। ସେହିପରି ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ କୁହନ୍ତି ଯେ ଶ୍ରାବଣୀ ପାଉଣା ଟଙ୍କା ପ୍ରଶାସନ ନଦେଲେ ମହାଶିରାତ୍ରୀ ଦିନ ନିଯୋଗର କୌଣସି ସଭ୍ୟ କାର୍ଯ୍ୟରେ ଯୋଗ ଦେବେ ନାହିଁ। କେବଳ ପାଳିଆ ବଡ଼ୁ କାର୍ଯ୍ୟରେ ଯୋଗ ଦେବେ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉକି, ଆଜି ସନ୍ଧ୍ୟାରେ ବିଭିନ୍ନ ସେବାୟତଙ୍କୁ ନେଇ ମହାଶିବରାତ୍ରୀ ବୈଠକ କରାଯାଇଥିଲା। ସେବାୟତଙ୍କ ସହଯୋଗ କାମନା କରି ପ୍ରଶାସନ ବୈଠକ କରିଥିଲା। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମ‌ାର ଦାଶ କହିଛନ୍ତି ଯେ ଏନେଇ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହେବ ଓ ସମସ୍ୟାର ସମାଧାନ କରାଯିବ।

ଭଜନ ସମାରୋହରେ ଯୋଗ ଦେବେ ଅନୁ ମଲିକ, ଅନୁରାଧା ପଡ଼ୱାଲ୍‌
ଭୁବନେଶ୍ୱର: ଚଳିତବର୍ଷ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଭଜନ ସମାରୋହରେ ପ୍ରଖ୍ୟାତ ସଂଗୀତଜ୍ଞ ଅନୁ ମଲିକ ଓ ଗାୟିକା ଅନୁରାଧା ପଡ଼ୱାଲ୍‌ ଯୋଗ ଦେବେ। ତାଙ୍କ ସହିତ ସ୍ବଦେଶ ଭୋଁସଲେ୍‌, କବିତା ପଡ଼ୱାଲ୍‌ ଓ ସ୍ମୃତି ମିଶ୍ର ମଧ୍ୟ ଭଜନ ପରିବେଷଣ କରିବେ। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ସହ ବହୁ ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ମଧ୍ୟ ଭଜନ ସମାରୋହରେ ସାମିଲ୍ ହୋଇ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ କରିବେ। ଆଜି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ନୂଆ ଲିଙ୍ଗରାଜ ମାର୍କେଟ୍‌ ଲାଇବ୍ରେରି ହଲ୍‌ରେ ଅନୁଷ୍ଠିତ ହୋଇଯାଇଥିବା ଏହି ବୈଠକ ଶେଷରେ ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର କହିଥିଲେ ଯେ ଜାତୀୟସ୍ତରୀୟ ଏହି ଭଜନ ସମାରୋହ ଚଳିତ ବର୍ଷ ୩୨ ବର୍ଷ ପୂର୍ତ୍ତି ପାଳନ କରିବ। ତେଣୁ ଅଧିକ ଆକର୍ଷଣୀୟ କରିବା ପାଇଁ ମୁମ୍ବାଇର ଖ୍ୟାତନାମା କଣ୍ଠଶିଳ୍ପୀ ସ୍ୱଦେଶ ଭୋଁସଲେ, ଅନୁ ମଲିକ, ଅନୁରାଧା ପଡ଼ୱାଲ, କବିତା ପଡ଼ୱାଲ, ସ୍ମୃତି ମିଶ୍ର ଆଦିଙ୍କୁ ଆମନ୍ତ୍ରଣ କରାଯାଇଛି ଓ ସେମାନେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଭୋର୍‌ ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ ପାଠ, ଗୀତା ପାଠ, ଶିବ ଚେତନା ପାଠ, ହରି ଭଜନ, ରାମଚରିତ ପାରାୟାଣ ଓ ପ୍ରବଚନ ପ୍ରଭୃତି କାର୍ଯ୍ୟକ୍ରମ ରହିଛି। ଆଜି ବୈଠକ ଶେଷରେ ଅନୁଷ୍ଠାନର ସଂଯୋଜନ ଲିଙ୍ଗରାଜ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ କପିଳ ଚନ୍ଦ୍ର ପଣ୍ଡା, ରତିକାନ୍ତ ମହାସୁଆର, ବାବନ ଚନ୍ଦ୍ର ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଚକ୍ରଧର ବେହେରା, ଗଣେଶ ପାଲ, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, କେଦାରନାଥ ମହାପାତ୍ର, ବିଶ୍ୱନାଥ ମହାପାତ୍ର, ସୁଧୀର ରଞ୍ଜନ ଜେନା, ବିଷ୍ଣୁପ୍ରସାଦ ମୁଦୁଲି, ଜୟକୃଷ୍ଣ ମଲିଆ, ରମେଶ ମହାପାତ୍ର ପ୍ରମୁଖ ବହୁ ସଭ୍ୟ ଆଜି ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର